Daily Times
ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଏକ ଭର୍ଚୁଆଲ ବୋର୍ଡ ବୈଠକ ସୋମବାର ଅନୁଷ୍ଠିତ ହେବ। ବିଦାୟୀ ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ପରବର୍ତୀ ମୁଖ୍ୟ ପଦ ଲାଗି ଚୟନ ପ୍ରକ୍ରିୟା କିଭଳି ରହିବ ସେ ସମ୍ପର୍କରେ ଏହି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଅଧ୍ୟକ୍ଷ ମନୋନୟନ ସର୍ବସମ୍ମତିକ୍ରମେ କରାଯିବ କି ନିର୍ବାଚନ କରାଯିବ ମଧ୍ୟ ସ୍ପଷ୍ଟ ହୋଇଯିବ। ସୋମବାରର ଏଜେଣ୍ଡାରେ ମୁଖ୍ୟ କଥାଟି ହେଉଛି ଚୟନ ପ୍ରକ୍ରିୟା। ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମ୍ମତିରେ ଜଣେ ଅଧ୍ୟକ୍ଷ ହେବାର ବିଧି ରହିଥିଲେ ମଧ୍ୟ କିଛି ସଦସ୍ୟ ଏହାକୁ କେବଳ ସାଧାରଣ ସଂଖ୍ୟାଗରିଷ୍ଠତା ଭିତରେ କରାଇବାକୁ ଚାହୁଁଛନ୍ତି। ୧୭ ସଦସ୍ୟ ବିଶିଷ୍ଟ ବୋର୍ଡରେ ୧୨ ଟେଷ୍ଟ ଖେଳୁଥିବା ରାଷ୍ଟ୍ର, ୩ ସହଯୋଗୀ ସଦସ୍ୟ ରାଷ୍ଟ୍ର (ମାଲେସିଆ, ସ୍କଟଲାଣ୍ଡ, ସିଙ୍ଗାପୁର), ଅଧ୍ୟକ୍ଷ (ଏ କ୍ଷେତ୍ରରେ ଅନ୍ତରୀଣ) ଏବଂ ସ୍ବାଧୀନ ନିର୍ଦେଶକ (ଇନ୍ଦ୍ରା ନୁୟୀ) ରହିଛନ୍ତି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମାନୁ ସାୱନି ବୋର୍ଡ ବୈଠକର ଅଂଶବିଶେଷ ଥିଲେ ମଧ୍ୟ ତାଙ୍କର ଭୋଟିଂ ଅଧିକାର ନାହିଁ।
ଆଇସିସି ଅଧ୍ୟକ୍ଷ ପଦ ଲାଗି ପୂର୍ବତନ ଇସିବି ମୁଖ୍ୟ କଲିନ୍ ଗ୍ରେଭ୍ସ ଆଗୁଆ ରହିଥିବା କୁହାଯାଉଛି। ୱେଷ୍ଟଇଣ୍ଡିଜ୍ ବୋର୍ଡର ପୂର୍ବତନ ମୁଖ୍ୟ ଡାଭ୍ କାମେରନ୍ ମଧ୍ୟ ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଥିବା ଦାବି କରୁଛନ୍ତି। ଦକ୍ଷିଣ ଆଫ୍ରିକାର କ୍ରିସ୍ ନେନଜାନି ଆଗ୍ରହୀ ଥିଲେ ମଧ୍ୟ ଏହାର ନିର୍ଦେଶକ ଗ୍ରେମ୍ ସ୍ମିଥ୍ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଗାଙ୍ଗୁଲିଙ୍କ ପ୍ରାର୍ଥୀତ୍ବ ପ୍ରସଙ୍ଗ କିନ୍ତୁ ତାଙ୍କ ବିସିସିଆଇ କୁଲିଂ ଅଫ୍ ପିରିୟଡ୍ ମାମଲା ଉଚ୍ଚତ୍ତମ ନ୍ୟାୟାଳୟରେ ଥିବାରୁ ଝୁଲି ରହିଛି। ଏହାର ପରବର୍ତୀ ଶୁଣାଣି ଅଗଷ୍ଟ ୧୭ରେ ରହିଛି। ବିସିସିଆଇ ସହ ରହି ନପାରିଲେ ସେ ଆଇସିସିକୁ ଯିବାରେ କିଛି ଅସୁବିଧା ହେବ ନାହିଁ।
Follow Us