ଅଢ଼େଇ ବ‌ର୍ଷ ପରେ ଆଜି ବାରବାଟୀ ଲଢ଼େଇ, ଭାରତ ବନାମ ଦକ୍ଷିଣ ଆଫ୍ରିକା

Advertisment
ଅଢ଼େଇ ବ‌ର୍ଷ ପରେ ଆଜି ବାରବାଟୀ ଲଢ଼େଇ, ଭାରତ ବନାମ ଦକ୍ଷିଣ ଆଫ୍ରିକା

ଭୁବନେଶ୍ବର : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି ଏହି ମ୍ୟାଚ୍‌ ପୂର୍ବରୁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଏହି ଦ୍ବିତୀୟ ଟ୍ବେଣ୍ଟି-୨୦କୁ ନେଇ ବାରବାଟୀ ବାହାରେ ସୁରକ୍ଷା ବ୍ୟବସ୍ଥା ଯେତିକି କଡ଼ା, ଭିତରେ ପିଚ୍‌କୁ ନେଇ ସେତିକି ଦ୍ବନ୍ଦ୍ବ। ଦୁଇ ଦଳ ଶୁକ୍ରବାର ଜୋରଦାର ଅଭ୍ୟାସ କରି ମଧ୍ୟ ନିଜ ନିଜକୁ ଶାଣିତ କରିଛନ୍ତି। ଗୁରୁବାର ରାତିରେ ନୂଆଦିଲ୍ଲୀରେ ଖେଳାଯାଇଥିବା ଏହି ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରାଧାନ୍ୟ ଭରା ବିଜୟ ହାସଲ କରିଥିବାରୁ ଋଷଭ ପନ୍ତ୍‌ଙ୍କ ଦଳକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ରମୁଖ ତଥା ବରିଷ୍ଠ ଖେଳାଳିଙ୍କ ବିନା ଏହି ଶୃଙ୍ଖଳା ଖେଳୁଥିବାରୁ ଯୁବ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ତଥାପି ଅଧିନାୟକ ଋଷଭ ପନ୍ତ୍‌ଙ୍କ ସହ ହାର୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ଈଶାନ କିଶନ, ଦୀନେଶ କାର୍ତ୍ତିକ, ୟୁଝବେନ୍ଦ୍ର ଚହଲଙ୍କ ଭଳି ବରିଷ୍ଠଙ୍କ ଉପରେ ଘରୋଇ ଦଳର ଆଶା ଭରସା ରହିଛି।

ଦିଲ୍ଲୀରେ ଭାରତ ୨୧୧ ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଜବରଦସ୍ତ ବ୍ୟାଟିଂ କରି ଅନାୟାସରେ ଏହାକୁ ଅତିକ୍ରମ କରିଥିବାରୁ ଭାରତ ଉପରେ ଚାପ ରହିଛି। ବିଶେଷ କରି ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳିଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଜଣଙ୍କୁ ଛାଡ଼ି (ଅଭେସ୍‌ ଖାନ୍‌) ସମସ୍ତ ଭାରତୀୟ ବୋଲର ଓଭର ପିଛା ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିଥିଲେ। ରାସି ଭାନ୍ ଡର୍ ‌ଡସେନ୍‌ଙ୍କ କ୍ୟାଚ୍‌କୁ ଶ୍ରେୟସ ଆୟର ହାତଛଡ଼ା କରିବା ମ୍ୟାଚ୍‌କୁ ଏକତରଫା କରିଦେଇଥିଲା। ଏହି ଦୃଷ୍ଟିରୁ ବ୍ୟାଟରଙ୍କ ତୁଳନାରେ ବୋଲରଙ୍କ ଉପରେ ଅଧିକ ଚାପ ରହିବ। ଦିଲ୍ଲୀ ଭଳି ଫ୍ଲାଟ ବ୍ୟାଟିଂ ପିଚ୍‌ କିନ୍ତୁ ବାରବାଟୀରେ ମିଳିବ ନାହିଁ ବୋଲି ବିଶ୍ବାସ କରାଯାଉଛି।

publive-image

ଅପେକ୍ଷାକୃତ ସ୍ଲୋ ପିଚ୍‌ ଥିବାରୁ ସ୍ପିନରଙ୍କ ଭୂମିକା ରହିବ। ଏଭଳି କ୍ଷେତ୍ରରେ ଗତଥର ବାରବାଟୀରେ ବୋଲିଂ କମାଲ କରି ଭାରତକୁ ଜିତାଇଥିବା ୟୁଝବେନ୍ଦ୍ର ଚହଲଙ୍କ ଉପରେ ମଧ୍ୟ ନଜର ରହିବ। ଆଇପିଏଲ୍‌ ପ୍ଲେ ଅଫ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପହଞ୍ଚାଇ ନପାରିବା ଏବଂ ଭାରତର ପ୍ରଥମ ମ୍ୟାଚ୍‌ ପରାଜୟ ଏବେ ପନ୍ତ୍‌ଙ୍କ ପରୀକ୍ଷାକୁ ବଢ଼ାଇ ଦେଇଛି। ବରିଷ୍ଠତମ ବୋଲର ଭୁବନେଶ୍ବର କୁମାର ଏବଂ ହର୍ଷଲ ପଟେଲଙ୍କ ଦିଲ୍ଲୀ ପ୍ରଦର୍ଶନ ପ୍ରଭାବହୀନ ରହିଥିବାରୁ ରାହୁଲ ଦ୍ରାବିଡ଼ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଫଳରେ ବୋଲିଂ ବିଭାଗରେ ପରିବର୍ତନ କରି ସେ ଦୁଇ ନବାଗତ ଅର୍ଶଦୀପ ସିଂହ କିମ୍ବା ଉମ୍ରାନ ମଲ୍ଲିକଙ୍କ ମଧ୍ୟରୁ ଜଣଙ୍କୁ ‌ଖେଳାଇବା ଯୋଜନା କରୁଛନ୍ତି।

ଅନ୍ୟପକ୍ଷରେ ସତେଜ ଶାରୀରିକ ଓ ମାନସିକ ଦୃଢ଼ତାରେ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ସହ ଆଇପିଏଲ୍‌-୧୫ର ସଫଳ ତାରକା ଡେଭିଡ୍‌ ମିଲରଙ୍କ ଯୋଗଦାନ ଭ୍ରମଣକାରୀ ଦଳକୁ ଘରଠୁ ଦୂରରେ ରହି ଘରୋଇ ପରିବେଶରେ ଖେଳିବାର ଅନୁଭବ ଦେଇଛି। ଭାରତ ମାଟିରେ କେବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନଥିବା ଏହି ଦଳ ଏବେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି। ତେମ୍ବା ବଭୂମାଙ୍କ ଦଳର ମନୋବଳ ମଧ୍ୟ ଆକାଶଛୁଆଁ ରହିଛି। ବ୍ୟାଟିଂରେ କ୍ବିଣ୍ଟିନ୍ ଡି’କକ୍‌, ତେମ୍ବା ବଭୂମା, ରାସି ଭାନ୍‌ ‌ଡର୍‌ ଦସେନ୍‌, ଡେଭିଡ୍ ମିଲରଙ୍କ ଉପସ୍ଥିତି ମଧ୍ୟ ଏହି ଦଳକୁ ଏକ ବ୍ୟାଟିଂ ଶକ୍ତିରେ ପରିଣତ କରିଛି। ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେଁଙ୍କ ଭଳି ଖେଳାଳିଙ୍କୁ ବି ବାହାରେ ବସିବାକୁ ପଡ଼ିଛି। ବୋଲିଂରେ ମଧ୍ୟ କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଡ୍ବାନ୍ ପ୍ରିଟୋରିୟସ, କେଶବ ମହାରାଜ, ତାବ୍ରାଇଜ ସାମସୀଙ୍କୁ ନେଇ ବଭୂମାଙ୍କ ଦଳ ସନ୍ତୁଳିତ ରହିଛି।

publive-image

ଗତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପରଠାରୁ ଏହି ଦଳ ମଧ୍ୟ ବେଶ ଉନ୍ନତ ଖେଳିଆସୁଛି। ଭାରତ ତୁଳନାରେ ଦକ୍ଷିଣ ଆଫ୍ରିକା ଦଳ ଅଧିକ ଅଭିଜ୍ଞ ଥିବାରୁ ଏହି ଦଳର ପଲା ମଧ୍ୟ ଭାରି ରହୁଛି। କ୍ରମାଗତ ୫ ଟ୍ବେଣ୍ଟି-୨୦ ଜିତି ଆଫ୍ରିକୀୟ ବାହିନୀ ଆତ୍ବବିଶ୍ବାସରେ ରହିଛି। ଭାରତ ବିଗତ ୧୨ ଟ୍ବେଣ୍ଟି-୨୦ ଜିତି ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ ମଧ୍ୟ ଏହାକୁ ଦିଲ୍ଲୀରେ ଆଗକୁ ନେଇପାରିନଥିଲା। ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ ଏକାଦଶରେ କୌଣସି ପରିବର୍ତନ ନକରିବା କଥା ମଧ୍ୟ ବିଚାର କରୁଛି। କିନ୍ତୁ ପିଚ୍‌ ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜଙ୍କୁ ବସାଇ ଲୁଙ୍ଗି ଏନଗିଡି କିମ୍ବା ମାର୍କୋ ଜାନସେନ୍‌ଙ୍କୁ ଖେଳାଇବା ଯୋଜନା ରଖିଛି।

ଭାରତ ଏକାଦଶ (ସମ୍ଭାବ୍ୟ): ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ଋଷଭ ପନ୍ତ୍‌ (ଅଧିନାୟକ ଓ ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକ, ଅକ୍ଷର ପଟେଲ୍‌, ହର୍ଷଲ ପଟେଲ୍‌, ଅଭେସ୍‌ ଖାନ୍‌, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ୍‌।

ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): କ୍ବିଣ୍ଟନ୍ ଡି’କକ୍‌ (ୱିକେଟରକ୍ଷକ), ତେମ୍ବା ବଭୂମା, ରାସି ଭାନ୍ ଡର୍‌ ଦସେନ୍‌, ‌ଡେଭିଡ୍ ମିଲର, ତ୍ରିସ୍ତାନ ଷ୍ଟବ୍ସ, ଡ୍ବାଇନ୍ ପ୍ରିଟୋରିୟସ୍‌, ୱେନ ପାର୍ନେଲ, କାଗିସୋ ରବାଦା, ଲୁଙ୍ଗି ଏନଗିଡି/କେଶବ ମହାରାଜ, ଅନରିକ୍ ନର୍ଖିୟା, ତାବ୍ରାଇଜ ସାମସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe