ଆଜି ଚତୁର୍ଥ ଟ୍ବେଣ୍ଟି-୨୦: ଶୃଙ୍ଖଳା ବଞ୍ଚାଇବା ଲାଗି ବିଜୟ ଜରୁରୀ, ପଞ୍ଚମକୁ ଉଠିଲେ କୋହଲି

ଆଜି ଚତୁର୍ଥ ଟ୍ବେଣ୍ଟି-୨୦: ଶୃଙ୍ଖଳା ବଞ୍ଚାଇବା ଲାଗି ବିଜୟ ଜରୁରୀ, ପଞ୍ଚମକୁ ଉଠିଲେ କୋହଲି

image credit : bcci

ଅହମଦାବାଦ: ତୃତୀୟ ଟ୍ବେଣ୍ଟି-୨୦କୁ ୮ ୱିକେଟ୍‌ରେ ହାରିବା ପରେ ଭାରତ ପାଇଁ ଶୃଙ୍ଖଳା ବଞ୍ଚାଇବା ଲାଗି ଏବେ ଗୁରୁବାରର ଚତୁର୍ଥ ମୁକାବିଲାକୁ ଜିତିବା ଅତ୍ୟନ୍ତ ଜରୁରୀ ହୋଇଯାଇଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ର ଗତ ତିନିଟି ଯାକ ମ୍ୟାଚ୍‌ରେ ଟସ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିବାରୁ ଏହାର ପ୍ରଭାବକୁ କମ୍ କରିବା ମଧ୍ୟ କୋହଲି ବାହିନୀ ସମ୍ମୁଖରେ ଆଉ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ପାଞ୍ଚ ଟିକିଆ ଶୃଙ୍ଖଳାରେ ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଂଲଣ୍ଡ ଯଦି ଆସନ୍ତାକାଲି ବିଜୟୀ ହୁଏ, ତାହା ହେଲେ ଟେଷ୍ଟ୍ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେଇ ପଞ୍ଚମ ତଥା ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳାକୁ ନିଜ ନାଁରେ କରିନେବ। ସେଥିପାଇଁ ଭାରତ ତୁଳନାତ୍ମକ ଭାବେ ଅଧିକ ଚାପରେ ରହିବ। ସଂପ୍ରତି ଟିମ୍ ଇଣ୍ଡିଆ ୧-୨ରେ ପଛୁଆ ଥିବାରୁ ଆସନ୍ତାକାଲି ବିଜୟୀ ‌‌ହୋଇ ପାରିଲେ ଯାଇ ସ୍ଥିତି ୨-୨ କରିପାରିବ। ଏଭଳି ସ୍ଥିତିରେ ପଞ୍ଚମ ମ୍ୟାଚ୍‌ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲା ହେବ। ଅନ୍ୟଥା ‌ଇଂଲଣ୍ଡ ଶୃଙ୍ଖଳାକୁ ଜିତି ନେବା ସହ ଶେଷ ମ୍ୟାଚ୍‌ର ଆଉ କୌଣସି ଗୁରୁତ୍ବ ରହିବ ନାହିଁ। ଏଥିରେ କେବଳ ଭାରତ ପାଇଁ ପରାଜୟ ବ୍ୟବଧାନ କମାଇବା ଏବଂ ଇଂଲଣ୍ଡ ଲାଗି ବିଜୟ ବ୍ୟବଧାନକୁ ବଢ଼ାଇବା ସୁଯୋଗ ରହିବ।
ପ୍ରଥମ ତିନିଟି ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରି ଭାରତ ଦୁଇଟିରେ ପରାଜିତ ହୋଇଛି। ଏହି ଦୁଇଟି ଯାକ ମ୍ୟାଚ୍‌ରେ ଦଳ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ଦଳ ପାୱାର ପ୍ଲେରେ ସଂଘର୍ଷ କରି ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା।

କେଏଲ୍ ରାହୁଲଙ୍କ ହ୍ୟାଟ୍ରିକ ବିଫଳତା ବି ଦଳ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତିନିଟି ମ୍ୟାଚ୍‌ରେ ୧,୦,୦ର ବ୍ୟାଟିଂ ଚିତ୍ର ପାଇବା ପରେ ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ମ୍ୟାଚ୍‌ରେ ସେ ଖେଳିବା ନେଇ ଆଶଙ୍କା ରହିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌‌ରେ ୧୫ ରନ୍ କରିଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମା ନିଜ ସ୍ଥାନ ବଜାୟ ରଖି ପାରନ୍ତି। ପାୱାର ପ୍ଲେରେ ମାର୍କ ଉଡ୍ ଓ ଜୋର୍ଫା ଆର୍ଚରଙ୍କ ଶାଣିତ ଓ ଦ୍ରୁତ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଘାଇଲା କରିଥିଲା। ଏକଥା ଅଧିନାୟକ କୋହଲି ମଧ୍ୟ ସ୍ବୀକାର କରିଥିଲେ। ଇଂଲଣ୍ଡ ଦ୍ରୁତ ବୋଲରଙ୍କ ଗତି ଓ ଶୁଦ୍ଧତା ହିଁ ଆମ କାମକୁ ଅତ୍ୟନ୍ତ କଷ୍ଟକର କରି ଦେଇଥିଲା ବୋଲି ତୃତୀୟ ମ୍ୟାଚ୍‌କୁ ହାରିବା ପରେ ସେ କହିଥିଲେ। ଏଣୁ ଗୁରୁବାର ହାର୍ଦିକ ପାଣ୍ଡ୍ୟା ଓ ୱାସିଂଟନ୍‌ ସୁନ୍ଦରଙ୍କ ସହ ଜଣେ ତୃତୀୟ ଅଲରାଉଣ୍ଡରଙ୍କୁ ଭାରତ ଖେଳାଇପାରେ ବୋଲି କୋହଲି ସଙ୍କେତ ଦେଇଛନ୍ତି। ଏହା ‌ହେଲେ ନବାଗତ ରାହୁଲ ତିୱା‌ତିଆ କିମ୍ବା ଅକ୍ଷର ପଟେଲ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି। ଦଳର ଏକ ନମ୍ବର ସ୍ପିନର ୟୁଝବେନ୍ଦ୍ର ଚହଲ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେବା ବି ଦଳ ପାଇଁ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ଭାରତ ସଂପ୍ରତି ୧-୨ରେ ପଛୁଆ ଥିଲେ ମଧ୍ୟ ଚତୁର୍ଥ ମ୍ୟାଚ୍‌ରେ ଦଳରେ ବଡ଼ ଧରଣର ଅଦଳବଦଳ ଆଶା କମ୍ ରହିଛି। ପ୍ରଥମ ତିନିଟି ମ୍ୟାଚ୍‌ରେ ପଶ୍ଚାତଧାବନ କରିଥିବା ଦଳ ବିଜୟୀ ହୋଇଥିବାରୁ ଗୁରୁବାର ମଧ୍ୟ ଟସ୍ ଜିତିବା ଦଳ ବିଜୟୀ ହେବାର ସମ୍ଭାବନା ଢେର ଅଧିକ ରହିଛି। ଇଂଲଣ୍ଡ ମଧ୍ୟ ତା’ର ବିଜୟୀ ଦଳରେ କୌଣସି ପରିବର୍ତ୍ତନ ନ କରିବାର ସଙ୍କେତ ଦେଇଛି।

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତାର ପଞ୍ଚମ ସ୍ଥାନକୁ ଉଠିଛନ୍ତି। ନିକଟରେ ଖେଳିଥିବା ୭୩* ଓ ୭୭* ରନ୍‌ ପାଳି ପାଇଁ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଫଳରେ କୋହଲି ବିଶ୍ବର ଏକମାତ୍ର କ୍ରିକେଟର୍‌ ଭାବେ ତିନୋଟି ଯାକ ଫର୍ମାଟ୍‌ (ଟ୍ବେଣ୍ଟି-୨୦, ଟେଷ୍ଟ୍, ଦିନିକିଆ) ମାନ୍ୟତା ତାଲିକାର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଟେଷ୍ଟ୍‌ରେ କୋହଲି ପଞ୍ଚମ ସ୍ଥାନରେ ରହିଛନ୍ତି। ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଆସିବା ସହ ସେମାନେ ଯଥାକ୍ରମେ ୩୧ ଓ ୮୦ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ଵାସି˚ଟନ ସୁନ୍ଦର ଦୁଇଟି ସ୍ଥାନ ଉପରକୁ ଯାଇ ୧୧ତମ ସ୍ଥାନରେ ଏବ˚ ଦ୍ରୁତ ବୋଲର ଶାର୍ଦୁଳ ଠାକୁର ୧୪ଟି ସ୍ଥାନ ଉପରକୁ ଲମ୍ଫ ମାରି ୨୭ତମ ସ୍ଥାନକୁ ଉଠିଛନ୍ତି। ଦ୍ରୁତ ବୋଲର ଭୁବନେଶ୍ବର କୁମାର ୪୫ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଵିଲିୟମସନ୍‌ଙ୍କ ସମକକ୍ଷ ହେଲେ

ମଙ୍ଗଳବାର ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ତ୍ବେ ଇ˚ଲଣ୍ତ ବିପକ୍ଷରେ ଭାରତ ପରାସ୍ତ ହୋଇଥିଲା। ତଥାପି ଏହି ପାଳି ଦ୍ବାରା କୋହଲି ଏକ କୀର୍ତ୍ତିମାନର ଅଧିକାରୀ ହୋଇପାରିଛନ୍ତି। ଟି-୨୦ରେ ଅଧିନାୟକ ଭାବେ ଲଗାତର ମ୍ୟାଚ୍‌ରେ ଅର୍ଧଶତକ ଅର୍ଜନ କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଵିଲିୟମସନ୍‌ଙ୍କ ସମକକ୍ଷ ହୋଇଛନ୍ତି। କୋହଲି ଏହି ପାଳିରେ ଅପରାଜିତ ୭୭ ରନ୍‌ ସ˚ଗ୍ରହ କରିଥିଲେ। ଉଭୟ କୋହଲି ଓ ଵିଲିୟମସନ୍‌ ଅଧିନାୟକ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୧୧ଟି ଲେଖାଏଁ ଅର୍ଧଶତକ ହାସଲ କରିଛନ୍ତି। ମଙ୍ଗଳବାର ମ୍ୟାଚ୍‌ ପୂର୍ବରୁ କୋହଲି ୭୩* ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଏହାଦ୍ବାରା କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏହି ସୀମିତ ଓଭର କ୍ରିକେଟ୍‌ରେ ୩ ହଜାର ରନ୍‌ ପୂରଣ କରିଥିଲେ। ବର୍ତ୍ତମାନ ସୁଦ୍ଧା କୋହଲି ମୋଟ ୮୮ ମ୍ୟାଚ୍‌ରୁ ୩୦୭୮ ରନ୍‌ ସ˚ଗ୍ରହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe