ଆଜି ଭାରତ ପାଇଁ  ‘କର ବା ମର’

Advertisment
ଆଜି ଭାରତ ପାଇଁ  ‘କର ବା ମର’

LONDON - Vitality Women's Hockey World Cup India - Ireland Photo: KAUR Navneet COPYRIGHT WORLDSPORTPICS RODRIGO JARAMILLO

ଲଣ୍ଡନ୍‌: ଲଣ୍ଡନ୍‌ରେ ଚାଲିଥିବା ମହିଳା ହକି ବିଶ୍ୱକପ୍‌ରେ ଗ୍ରୁପ୍‌-ବିରେ ସ୍ଥାନ ପାଇଥିବା ଭାରତ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ ନେଇ ଆଶଙ୍କାରେ ପଡ଼ିଯାଇଛି। ୪ ଦଳୀୟ ଗ୍ରୁପ୍‌ରୁ ସର୍ବାଧିକ ପଏଣ୍ଟ୍‌ ସହ ଆୟର୍ଲାଣ୍ଡ୍‌ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିସାରିଥିଲା ବେଳେ ଅନ୍ୟ ଦୁଇ ଦଳ ହିଁ ଏହି ସୁଯୋଗ ପାଇବେ। ଚତୁର୍ଥ ସ୍ଥାନରେ ରହିବା ଦଳ ସେହିଠାରୁ ବିଦାୟ ନେବ। ଆୟର୍ଲାଣ୍ଡ୍‌ କ୍ରମାଗତ ୨ ବିଜୟ ସହ ପ୍ରଥମ ସ୍ଥାନରେ ରହି କ୍ୱାର୍ଟର ଯୋଗ୍ୟତା ହାତେଇ ସାରିଛି। ଅନ୍ୟପକ୍ଷରେ ଇଂଲଣ୍ଡ୍‌ ୨ ମ୍ୟାଚ୍‌ରୁ ୨ ଅମୀମାଂସିତ ସହ ୨ ପଏଣ୍ଟ୍‌ ପାଇଥିଲା ବେଳେ ଭାରତ ୨ ମ୍ୟାଚ୍‌ରୁ ଗୋଟିଏ ଅମୀମାଂସିତ ଓ ଗୋଟିଏ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌କୁ ଶକ୍ତିଶାଳୀ ଇଂଲଣ୍ଡ ସହ ପଏଣ୍ଟ୍‌ ବାଣ୍ଟିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ନିଜଠୁ କମ୍‌ ମାନ୍ୟତାପ୍ରାପ୍ତ ଆୟର୍ଲାଣ୍ଡ୍‌ ନିକଟରୁ ହାରିଯାଇ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି। ତେବେ ରବିବାରର ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଅନ୍ତିିମ ମ୍ୟାଚ୍‌ ହିଁ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ ପାଇଁ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍‌ରେ ଭାରତ ଭେଟିବ ଆମେରିକାକୁ। ଆମେରିକା ମଧ୍ୟ ତା’ର ୨ ମ୍ୟାଚ୍‌ରୁ ଗୋଟିଏ ପରାଜୟ ଓ ଗୋଟିଏ ଅମୀମାଂସିତ ସହ ୧ ପଏଣ୍ଟ୍‌ ପାଇଛି। ଉଭୟ ଭାରତ ଓ ଆମେରିକା ସମାନ ପଏଣ୍ଟ୍‌ରେ ଥିଲା ବେଳେ ଭାରତ ଗୋଲ୍‌ ବ୍ୟବଧାନରେ ଗୋଟିଏ ଆଗୁଆ ରହିଛି। ଫଳରେ ରବିବାର ଆମେରିକା ବିପକ୍ଷ ମ୍ୟାଚ୍‌ ହିଁ ଭାରତ ପାଇଁ ‘କର ବା ମର’ ପାଲଟିଯାଇଛି। ଏହି ମ୍ୟାଚ୍‌କୁ ଅତିକମ୍‌ରେ ଅମୀମାଂସିତ ରଖିପାରିଲେ ଭାରତ ୩ ସ୍ଥାନ ମଧ୍ୟରେ ରହି କ୍ୱାର୍ଟର ସ୍ଥାନ ପକ୍କା କରିନେବ। ଆଉ ହାରିଲେ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେବ। ଆୟର୍ଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ଅନେକ ତ୍ରୁଟି କରି ଗୋଲ୍‌ ସୁଯୋଗ ହାତଛଡ଼ା କରିଥିଲା ରାଣୀ ରାମ୍‌ପଲ୍‌ଙ୍କ ଭାରତୀୟ ଦଳ। ମୋଟାମୋଟି ଭାବେ ଭାରତର ରକ୍ଷଣଭାଗ ଓ ଅଗ୍ରଭାଗ ଖେଳାଳି ବଲ୍‌ ନିୟନ୍ତ୍ରଣ ଏବଂ ଫିନିସିଂରେ ବିଫଳ ହୋଇଥିଲେ। ତେବେ ଆୟର୍ଲାଣ୍ଡ୍‌ ବିପକ୍ଷ ତ୍ରୁଟିର ପୁନରାବୃତ୍ତି ଆମେରିକା ବିପକ୍ଷରେ କରିବୁ ନାହିଁ ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିନ୍‌ କହିଛନ୍ତି। ତାଙ୍କ କହିବା କଥା ହେଲା, ଦଳର ସନ୍ତୁଳନ ଓ ଯୋଜନା ସବୁ କିଛି ଠିକ୍‌ ରହିଛି। ଫଳରେ ଆମେ ଷ୍ଟ୍ରାଇକିଂ ସର୍କଲରେ ସୁଯୋଗ ସୃଷ୍ଟି କରିପାରିଥଲୁ। ମାତ୍ର ସୁଯୋଗଗୁଡ଼ିକୁ ଗୋଲ୍‌ରେ ରୂପାନ୍ତରିତ କରିନପାରିବା ଯୋଗୁଁ ଆମକୁ ମୂଲ୍ୟ ଦେବାକୁ ପଡ଼ିଲା। ଇଂଲଣ୍ଡ ମ୍ୟାଚ୍‌ ତୁଳନାରେ ଆମେ ଯଥେଷ୍ଟ ଅଧିକ ଥର ପ୍ରତିପକ୍ଷ ବଳୟରେ ପ୍ରବେଶ କରିଥିଲୁ। ଏ କ୍ଷେତ୍ରରେ ଇଂଲଣ୍ଡ ବିପକ୍ଷରେ ୧୦ ଏବଂ ଆୟର୍ଲାଣ୍ଡ୍‌ ବିପକ୍ଷରେ ୨୭ ପାଇଥିଲୁ। ଅବଶ୍ୟ ଏହି ଦୁଇ ଦଳ ବିପକ୍ଷରେ ଖେଳିବା ପୂରା ଭିନ୍ନ ଥିଲା। ଆୟର୍ଲାଣ୍ଡ୍‌ ବିପକ୍ଷରେ ଗୋଲ୍‌ ନପାଇବା ନିରାଶ କରିଥିଲା। ଏବେ ଆମେରିକା ବିପକ୍ଷରେ ସୁଯୋଗ ସୃଷ୍ଟି କରିବା ସାଙ୍ଗକୁ ଗୋଲ୍‌ କରିବା ଉପରେ ଜୋର୍‌ ଦେବୁ ବୋଲି ମାରିନ୍‌ କହିଛନ୍ତି। ଦଳର ରକ୍ଷଣଭାଗ ଶକ୍ତିଶାଳୀ ରହିଛି। ଯାହାକି ଆମେରିକା ବିପକ୍ଷରେ ଆମକୁ ଫାଇଦା ଦେବ ବୋଲି ମାରିନ୍‌ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe