ଆଜିଠୁ ଦ୍ବିତୀୟ ଟେଷ୍ଟ୍‌: ନୂଆ ବିଶ୍ବାସରେ ଖେଳିବ କୋହଲି ସେନା, ଖ୍ରୀଷ୍ଟଚର୍ଚ୍ଚ ଘାସୁଆ ପିଚ୍‌ରେ ଅଗ୍ନି ପରୀକ୍ଷା

Advertisment
ଆଜିଠୁ ଦ୍ବିତୀୟ ଟେଷ୍ଟ୍‌: ନୂଆ ବିଶ୍ବାସରେ ଖେଳିବ କୋହଲି ସେନା, ଖ୍ରୀଷ୍ଟଚର୍ଚ୍ଚ ଘାସୁଆ ପିଚ୍‌ରେ ଅଗ୍ନି ପରୀକ୍ଷା

ଖ୍ରୀଷ୍ଟଚର୍ଚ୍ଚ: ଦିନିକିଆ ଶୃ୍‌ଙ୍ଖଳାରେ ୦-୩ ମୂଳପୋଛ ହୋଇଥିବା ଭାରତୀୟ ଦଳ ଆଗରେ ଆଉ ଏକ ଅଗ୍ନି ପରୀକ୍ଷା। ଶନିବାରଠାରୁ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ସମ୍ମାନ ରକ୍ଷା ଲାଗି ଭାରତ ନିକଟରେ ଶେଷ ସୁଯୋଗ। ଟ୍ବେଣ୍ଟି-୨୦ରେ ଅର୍ଜନ କରିଥିବା ୫-୦ ଗୌରବକୁ ସୁରକ୍ଷିତ ରଖିବା ଲାଗି ମଧ୍ୟ କୋହଲି ସେନାକୁ ଟେଷ୍ଟ୍‌ ବିଜୟ ସହ ଅଭିଯାନ ଶେଷ କରିବାର ସମୟ ଉପନୀତ। ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଏହି ମୁକାବିଲାରେ ଭାରତୀୟ ଦଳ ମଧ୍ୟ ନୂଆ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବ ବୋଲି ସଙ୍କଳ୍ପ ନେଇଛି। ଏକାଧିକ ପରିବର୍ତ୍ତନ ମଧ୍ୟ ଦଳ ପାଇଁ ବାଧ୍ୟବାଧକତା ହୋଇଛି।

ଆହତ କାରଣରୁ ଆଶଙ୍କାରେ ଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ପୃଥ୍ବୀ ସ’ ଫିଟ୍‌ ଘୋଷିତ ହୋଇଥିବାରୁ ଭାରତୀୟ ଶିବିର ଆଶ୍ବସ୍ତ ହୋଇଛି। କିନ୍ତୁ ଭାରତର ସଫଳତମ ବିଦେଶ ବୋଲର ଈଶାନ୍ତ ଶର୍ମାଙ୍କ ନାମ ଆହତ ତାଲିକାରେ ରହିବାରୁ ଉମେଶ ଯାଦବଙ୍କୁ ସୁଯୋଗ ମିଳିବା ନିଶ୍ଚିତ ହୋଇଛି। ଏପରିକି ନଭଦୀପ ସୈନିଙ୍କ ଉପରେ ମଧ୍ୟ ନଜର ରହିଛି। ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ବିଫଳତା ପରେ ରବୀନ୍ଦ୍ର ଜାଦେଜାଙ୍କ ପ୍ରତ୍ୟାବର୍ତନ ନିଶ୍ଚିତ ହୋଇଛି। ମଧ୍ୟକ୍ରମରେ ହନୁମା ବିହାରୀଙ୍କ ବଦଳରେ ଶୁଭମନ ଗିଲଙ୍କୁ ବି ସୁଯୋଗ ମିଳିବା ବିଚାର କରାଯାଉଛି। ଈଶାନ୍ତ ଅନ୍ୟୁନ ୬ ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ପାଇଛନ୍ତି। ଖ୍ରୀଷ୍ଟଚର୍ଚ୍ଚର ହଗଲେ ଓଭାଲ୍‌ରେ ବି ଘାସୁଆ ପିଚ୍‌ ପ୍ରସ୍ତୁତ ରହିଛି। ୱେଲିଂଟନ୍‌ ତୁଳନାରେ ବି ଅଧିକ ଭାବେ ଦ୍ରୁତ ବୋଲରଙ୍କୁ ସୁହାଇବ। ବିରାଟ କୋହଲି, ଚେତେଶ୍ବର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ମଧ୍ୟ ନିଜ ଖ୍ୟାତି ଦୃଷ୍ଟିରୁ ପରୀକ୍ଷାରେ ପଡ଼ିବେ। ଏମାନଙ୍କଠାରୁ ଭଲ ପାଳି ମିଳିଲେ ଭାରତ ନିଶ୍ଚିତ ଲଢ଼ୁଆ ସ୍କୋର୍‌ କରିପାରିବ। ନ୍ୟୁଜିଲାଣ୍ଡ୍‌ ନିଜର ସର୍ଟ ବଲ୍‌ ଯୋଜନାରେ ପୁଣି ଭାରତୀୟଙ୍କୁ ଘାଇଲା କରିବା ଆଶାରେ ରହିଛି। ୱେଲିଂଟନ୍‌ରେ ଭାରତୀୟ ବ୍ୟାଟିଂକୁ ବିଧ୍ବସ୍ତ କରିଥିବା ଟିମ୍ ସାଉଦି, ଟ୍ରେଣ୍ଟ୍ ବୋଲ୍‌ଟ, କାଏଲ୍ ଜାମିସନଙ୍କ ସହିତ ଏବେ ନିଲ୍ ୱାଗନର୍‌ ସାମିଲ ହୋଇଛନ୍ତି। ବିନା ବିଶେଷଜ୍ଞ ସ୍ପିନରରେ ନ୍ୟୁଜିଲାଣ୍ଡ୍‌ ଖେଳିଲେ ଅଜାଜ ପଟେଲ୍‌ ବାହାରେ ବସିବେ।

ତଥ୍ୟ: ନୂଆ ବଲ୍‌ ବୋଲର ଭାବେ ସାଉଦି-ବୋଲ୍ଟ ମିଳିତ ଭାବେ ୨୬.୫୧ ହାରରେ ମୋଟ ୪୨୬ ୱିକେଟ୍ ନେଇଛନ୍ତି। ତାଙ୍କଠାରୁ ବ୍ରଡ୍‌-ଆଣ୍ଡରସନ୍‌ ଏବଂ ୱାସିମ-ୱାକର୍‌ ଆଗରେ ରହିଛନ୍ତି। ୱାଲ୍ସ-ଆମ୍ବ୍ରୋସ, ମ୍ୟାକ୍‌ଗ୍ରା-ଗିଲେସ୍ପି, ଡୋନାଲ୍ଡ-ପୋଲକଙ୍କୁ ଏହି କିୱି ଯୋଡ଼ି ପଛରେ ପକାଇ ସାରିଛନ୍ତି। ନ୍ୟୁଜିଲାଣ୍ଡ୍‌ ମଧ୍ୟ ଏହି ଦୁଇ ଜଣଙ୍କୁ ମିଳିତ ଭାବେ ଖେଳାଇବା ବେଳେ ମାତ୍ର ୨ଟି ଘରୋଇ ଟେଷ୍ଟ୍ ହାରିଛି। ଏହ‌ି ଦୁଇ ପରାଜୟ ଦଳକୁ ୨୦୧୫-୧୬ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ମିଳିଥିଲା। ଭାରତ ପାଇଁ ଅଶ୍ବିନ୍‌-ଜାଦେଜାଙ୍କ ସଫଳତା ସେଭଳି ରହିଛି। ଘରୋଇ ମାଟି‌ରେ ଏମାନଙ୍କୁ ଖେଳାଇ ଭାରତ ମାତ୍ର ଗୋଟିଏ ହାରିଛି।

ଭାରତୀୟ ଦଳ (ସମ୍ଭାବ୍ୟ ୧୨): ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ/ଶୁଭମନ ଗିଲ୍‌, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ଉମେଶ ଯାଦବ, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି।

ନ୍ୟୁଜିଲାଣ୍ଡ୍‌ ଦଳ (ସମ୍ଭାବ୍ୟ ୧୨): କେନ୍‌ ୱିଲିୟମ୍‌ସନ୍ (ଅଧିନାୟକ), ଟମ୍ ବ୍ଲଣ୍ଡେଲ୍‌, ଟମ୍ ଲଥାମ, ହେନରି ନିକୋଲ୍ସ, ରସ୍ ଟେଲର୍‌, କଲିନ୍ ଗ୍ରାଣ୍ଡହୋମ୍‌, ବିଜେ ୱାଟଲିଙ୍ଗ୍‌ (ୱିକେଟରକ୍ଷକ), ଟିମ୍ ସାଉଦି, ଟ୍ରେଣ୍ଟ୍ ବୋଲ୍ଟ, ନିଲ୍‌ ୱାଗନର୍‌, କାଏଲ୍‌ ଜାମିସନ୍‌/ଅଜାଜ ପଟେଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe