ଆଜି ସେମି ପାଇଁ ଲଢ଼େଇ: କଳିଙ୍ଗରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ ଓଡ଼ିଶା ଏଫ୍‌ସି

Advertisment
ଆଜି ସେମି ପାଇଁ ଲଢ଼େଇ: କଳିଙ୍ଗରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ଲାଗି ଶୁକ୍ରବାର ଓଡ଼ିଶା ଏଫ୍‌ସି ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସିକୁ ଭେଟିବ। ଏହି ପ୍ରଥମ ନକ୍‌ଆଉଟ୍‌ ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବ। ପଏଣ୍ଟ୍‌ ଟେବୁଲର ଚତୁର୍ଥ ସ୍ଥାନରେ ରହି ଓଡ଼ିଶା ଏଫ୍‌ସି (୩୯) ଏହି ସ୍ଥାନ ନିଶ୍ଚିତ କରିଥିଲା ବେଳେ କେରଳ ବ୍ଲାଷ୍ଟର୍ସ (୩୩) ଷଷ୍ଠରେ ରହି ଆସିଥିଲା। ଲଗାତାର ୧୩ ମ୍ୟାଚ୍‌ରେ ଅପରାଜିତ ରହି ଓଡ଼ିଶା ଏଫ୍‌ସି ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ପହଞ୍ଚିଥିଲା। ଏପରିକି ଦଳ ଅନେକ ଦିନ ଶୀର୍ଷ ସ୍ଥାନ ବଜାୟ ରଖିଥିଲା। ଶେଷ ସମୟରେ ଦଳ ଟେବୁଲର ତଳକୁ ଖସି ଥିଲା। ଚଳିତ ଋତୁରେ ଓଡ଼ିଶା ଏଫ୍‌ସି ଘରୋଇ ପଡ଼ିଆରେ ଅପରାଜେୟ ରହିଛି। ୧୧ ମ୍ୟାଚ୍‌ ଖେଳି ୮ ବିଜୟ ୩ ଅମୀମାଂସିତରୁ ଏହି ଦଳ ୨୭ ପଏଣ୍ଟ ଘରୋଇ ପଡ଼ିଆରୁ ହିଁ ପାଇଥିଲା। ଘରୋଇ ପଡ଼ିଆରେ ଆଇଏସ୍‌ଏଲ୍‌ ଇତିହାସ‌ରେ ଅପରାଜେୟ ରହିବା ଏହା ତୃତୀୟ ଘଟଣା। ପୂର୍ବରୁ ୨୦୧୬ରେ ଦିଲ୍ଲୀ ଡାଇନାମୋସ (ଓଡ଼ିଶା ଏଫ୍‌ସି ପୂର୍ବ ନାମ) ଏବଂ ୨୦୧୮-୧୯ରେ ବେଙ୍ଗାଲୁରୁ ଏଫ୍‌ସି ଏହି ସଫଳତା ପାଇଥିଲା।

ଶୁକ୍ରବାର ଓଡ଼ିଶା ଏଫ୍‌ସି ଘରୋଇ ପଡ଼ିଆରେ ଅପରାଜେୟ ଧାରା ଜାରି ରଖି ସେମିଫାଇନାଲ୍‌ ପହଞ୍ଚିବା ଲକ୍ଷ୍ୟ ରଖିଛି। ଉଭୟ ଦଳ ୨୨ ଥର ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ଏଫ୍‌ସି ୬ଟି ଜିତିଥିଲା ବେଳେ କେରଳ ବ୍ଲାଷ୍ଟର୍ସ ୯ଟି ଜିତି ଆଗରେ ରହିଛି। ଅନ୍ୟ ୭ଟି ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଶେଷ ୭ ଲଢ଼େଇରେ ଓଡ଼ିଶା କେବଳ ୨ଟି ଜିତି ପଛରେ ପଡ଼ିଛି। ହେଲେ ଓଡ଼ିଶା ଏଫସି ଶେଷ ମୁକାବିଲାରେ କେରଳ ବ୍ଲାଷ୍ଟର୍ସକୁ ୨-୧ରେ ହରାଇଥିବାରୁ ମନୋବଳ ଦୃଢ଼ ରଖିଛି। ଏପରିକି ଦଳ କେରଳ ବିପକ୍ଷରେ ଖେଳିଥିବା ଶେଷ ଦୁଇ ମ୍ୟାଚ୍‌ ମଧ୍ୟ ଜିତିଛି। ତେଣୁ ଦଳ ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ‌ଆଶାରେ ରହିଛି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ‌ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେରା କହିଛନ୍ତି ଯେ ‘‘ଭଲରେ ଋତୁ ଶେଷ କରିବା ଆଶା ରଖିଛୁ। ଖେଳାଳିଙ୍କୁ ନେଇ ବହୁତ ଗର୍ବିତ। କଳିଙ୍ଗ ସୁପର କପ୍‌ରେ ଭାରତର ଭଲ ଦଳ ବିପକ୍ଷରେ‌ ଖେଳି ଫାଇନାଲ୍‌ରେ ପହଞ୍ଚିଥିଲୁ। ଲିଗ୍‌ ପର୍ଯ୍ୟାୟରେ ଆମେ ଭଲ କରିଛୁ। ଏବେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ୍‌ ଉପରେ ଲକ୍ଷ୍ୟ। ଏହି ମ୍ୟାଚ୍‌ରେ ଭଲ କରି ସେମିଫାଇନାଲ୍‌ରେ ସ୍ଥାନ ନିଶ୍ଚିତ କରିବାର ଆଶା ରଖିଛୁ। ଏଥିପାଇଁ ଆମେ ପୂରା ପ୍ରସ୍ତୁତ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe