ଆଜି ଫାଇନାଲ୍ ଟକ୍କର, ହ୍ୟାଟ୍ରିକ୍ ଶୃଙ୍ଖଳା ପରାଜୟର ବିପଦ

Advertisment
ଆଜି ଫାଇନାଲ୍ ଟକ୍କର, ହ୍ୟାଟ୍ରିକ୍ ଶୃଙ୍ଖଳା ପରାଜୟର ବିପଦ

ପୁଣେ: ଇଂଲଣ୍ଡ କ୍ରିକେଟ୍ ଦଳର ଘଟଣା ବହୁଳ ଭାରତ ଗସ୍ତ ପାଖାପାଖି ୫୦ ଦିନ ପରେ ରବିବାର ଶେଷ ହେଉଛି। ଆସନ୍ତାକାଲି ମଧ୍ୟ ଉଭୟ ଦଳ ମଧ୍ୟରେ ଶେଷ ଲଢ଼େଇ ହେବ। ଚାରି ଟିକିଆ ଟେଷ୍ଟ୍ ଓ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ଖେଳଯାଉଥିବା ତିନି ଟିକିଆ ଦିନିକିଆ ଶୃଙ୍ଖଳାର ଫାଇନାଲ୍ ଟକ୍କର ଅପରାହ୍‌ଣ ସାଢ଼େ ଗୋଟାଏରୁ ଆରମ୍ଭ ହୋଇଯିବ। ଦୁଇଟି ଯାକ ଦଳ ସଂପ୍ରତି ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ ସ୍ଥିତିରେ ରହିଛନ୍ତି। ସେଥିପାଇଁ ତୃତୀୟ ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଭାରତ ପ୍ରଥମ ମ୍ୟାଚ୍‌କୁ ୬୬ ରନ୍‌ରେ ଜିତିବା ପରେ ଦ୍ବିତୀୟରେ ୩୩୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଇଂଲଣ୍ଡ ୬.୩ ଓଭର ପୂର୍ବରୁ ଓ ମାତ୍ର ୪ ୱି‌କେଟ୍ ହରାଇ ହାସଲ କରି ନେଇଥିଲା। ଏହା ଭାରତୀୟ ଖେଳାଳି ନୁହେଁ, ବହୁ କ୍ରିକେଟ୍ ପଣ୍ଡିତଙ୍କୁ ମଧ୍ୟ ଚକିତ କରି ଦେଇଥିଲା। ସେମାନଙ୍କ ଅଙ୍କକଷା ଯେମିତି ପୂରା ଭୁଲ ହୋଇ ଯାଇଥିଲା। ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଛକା ବର୍ଷାରେ କେବଳ ଭାରତର ବିଜୟ ଆଶା ବୁଡ଼ି ଯାଇନଥିଲା, ବରଂ ଶୃଙ୍ଖଳା ବିଜୟର ସୁଯୋଗ ବି ହାତରୁ ଖସି ଯାଇଥିଲା। ପାହାଡ଼ଭଳିଆ ରନ୍‌କୁ ସଫଳତାର ସହ ପଶ୍ଚାତଧାବନ କରିବା ପରେ ଇଂଲଣ୍ଡର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌ରେ ସ୍ପିନରମାନେ ମିଳିତ ଭାବେ ୩୫ ଓଭରରେ ୮.୦୯ ହାରରେ ୨୮୩ ରନ୍ ବ୍ୟୟ କରିବା ପରେ ଭାରତ ପାଇଁ ତାର ରଣନୀତି ବଦଳାଇ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିବା ଅବଶ୍ୟମ୍ଭାବୀ ହୋଇଯାଇଛି।

ରଣନୀତିରେ ଫରକ
ଶୃଙ୍ଖଳାର ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଭାରତ ଏବଂ ଗୋଟିଏ ଇଂଲଣ୍ଡ ଜିତିଛି। ହେଲେ ଏକଥା ସତ ଯେ ଦୁଇଟି ଯାକ ମ୍ୟାଚ୍‌ରେ ଭାରତ ହାତରୁ ଇଂଲଣ୍ଡ ମ୍ୟାଚ୍ ଛଡ଼ାଇ ନେବା ସ୍ଥିତିରେ ଥିଲା। ଏହା ଉଭୟ ଦଳର ରଣନୀତିରେ ଥିବା ଫରକକୁ ଦର୍ଶାଉଛି। ଭରତୀୟ ପ୍ରାରମ୍ଭିକ ଯୋଡ଼ି ପ୍ରଥମେ ମନ୍ଥର ବ୍ୟାଟିଂ କରି ୱିକେଟ୍ ବଞ୍ଚାଇବାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେମା‌ନେ ଅବଶ୍ୟ ପରବର୍ତ୍ତୀ ସମୟରେ ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ି କିନ୍ତୁ ପ୍ରଥମ ବଲ୍‌ରୁ ଆକ୍ରମଣ କରୁଛନ୍ତି। ଧମାକାଦାର ବ୍ୟାଟିଂ କରି ଭରତୀୟ ବୋଲରଙ୍କ ମନୋବଳ ଏକପ୍ରକାର ଭାଙ୍ଗି ଦେଉଛନ୍ତି। ଫଳରେ ଯେ କୌଣସି ଲକ୍ଷ୍ୟ ସେମାନଙ୍କ ପାଇଁ ସହଜ ହେଉଛି। ଭାରତ ପାଇଁ ଟସ୍ ମଧ୍ୟ ଆଉ ଏକ ସମସ୍ୟା ଭା‌ବେ ଉଭା ହୋଇଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ହାରିଛନ୍ତି। ସେଥିପାଇଁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରୁଛି। ରାତିରେ କାକାର ପଡ଼ିବା ଫଳରେ ଭାରତୀୟ ବୋଲର ସଠିକ୍ ଲାଇନ୍ ଓ ଲେନ୍ଥରେ ବୋଲିଂ କରି ନପାରି ମାତ୍ରାଧିକ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ସେହିଦୃଷ୍ଟିରୁ ଭାରତକୁ ନିଜ ବ୍ୟାଟିଂ ରଣନୀତି ବଦଳାଇବାକୁ ପଡ଼ିବ। ଟସ୍ ବେଳେ ବି କୋହଲିଙ୍କୁ ଭାଗ୍ୟଶାଳୀ ହେବାକୁ ହେବ।

ହ୍ୟାଟ୍ରିକ୍ ଶୃଙ୍ଖଳା ପରାଜୟର ବିପଦ
ରବିବାର ମ୍ୟାଚ୍‌ରେ ବିଜୟୀ ହେଲେ ଭାରତୀୟ କ୍ରିକେଟ୍ ଦଳ ହ୍ୟାଟ୍ରିକ୍ ଏକଦିବସୀୟ ଶୃଙ୍ଖଳା ପରାଜୟକୁ ଏଡ଼ାଇ ପାରିବ। ପରାଜିତ ହେଲେ ଅଷ୍ଟ୍ରେଲିଆ (୧-୨) ଓ ନ୍ୟୁଜିଲାଣ୍ଡ (୦-୩) ପରେ ଇଂଲଣ୍ଡଠାରୁ ହାରି ଲଗାତାର ତିନିଟି ଶୃଙ୍ଖଳା ହାରିବାର ଅଦରକାରି ପରିସଂଖ୍ୟାନ ନିଜ ଇତିହାସରେ ଯୋଡ଼ିବ। ଏଣୁ କୋହଲି ବାହିନୀ ଉପରେ ଆସନ୍ତାକାଲିର ମ୍ୟାଚ୍‌ରେ ହ୍ୟାଟ୍ରିକ୍ ଶୃଙ୍ଖଳା ହାରିବାର ବିପଦ ରହିବ। ସେପଟେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଆଉ ୯୦ ରନ୍ କଲେ ଦଶମ ଭାରତୀୟ ଭାବେ ଦିନିକିଆ କ୍ରିକେଟ୍‌ରେ ୬,୦୦୦ ରନ୍ ପୂରଣ କରିବେ। ପୁଣେରେ ଖେଳାଯାଇଥିବା ଗତ ପାଞ୍ଚଟି ପାଳିରେ ହାରାହାରି ୩୦୩.୨୦ ରନ୍ ସଂଗୃହିତ ହୋଇଛି। ସେଥିମଧ୍ୟରୁ ପଛରେ ବ୍ୟାଟିଂ କରିବା ଦଳ ୩ ଏବଂ ପ୍ରଥମେ ବ୍ୟାଟିଂ କରିବା ଦଳ ୨ ଥର ବିଜୟୀ ହୋଇଛି। ଏଣୁ ରବିବାର ମ୍ୟାଚ୍ ମଧ୍ୟ ହାଇସ୍କୋରିଂ ‌ହେବ ବୋଲି ଆଶା କରାଯାଉଛି।

ଫେରିପାରନ୍ତି ଚହଲ
ପ୍ରଥମ ଦୁଇ ମ୍ୟାଚ୍‌ରେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ମାତ୍ରାଧିକ ରନ୍ ବ୍ୟୟ କରିବା ପରେ ରବିବାରର ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକରେ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ପୂରା କମ୍ ରହିଛି। ସେଥିପାଇଁ ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କ ସ୍ଥାନ ନେଇପାରନ୍ତି। ସେହିଭଳି ଚଳିତ ଶୃଙ୍ଖଳାରେ ଏକଦିବସୀୟ ପଦାର୍ପଣ କରିଥିବା କ୍ରୁନାଲ ପାଣ୍ଡ୍ୟା ୬ ଓଭରରେ ୭୨ ରନ୍ ବ୍ୟୟ କରିବା ପରେ ତାଙ୍କ ସ୍ଥାନ ୱା‌ସିଂଟନ୍ ସୁନ୍ଦରଙ୍କୁ ମିଳିପାରେ। ପ୍ରସିଦ୍ଧକୃଷ୍ଣ ଓ ଶାର୍ଦୁଳ ଠାକୁରଙ୍କ ଭିତରୁ ଜଣଙ୍କର ସ୍ଥାନ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ନେବାର ବି ଯଥେଷ୍ଟ ସମ୍ଭାବନା ରହିଛି। ଇଂଲଣ୍ଡ ତା ଚୂଡ଼ାନ୍ତ ଏକାଦଶରେ ଅଦଳବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ। ତଥାପି ମାର୍କ ଉଡ୍ ସୁସ୍ଥ ଥିଲେ ନବାଗତ ରେସେ ଟପ୍‌ଲି କିମ୍ବା ଟମ୍ କରନଙ୍କ ସ୍ଥାନ ନେଇପାରନ୍ତି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା/ୱାସିଂଟନ୍ ସୁନ୍ଦର, ଭୁବନେଶ୍ବର କୁମାର, ଶାର୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧକୃଷ୍ଣ/ଟି. ନଟରାଜନ।

ସମ୍ଭାବ୍ୟ ଇଂଲଣ୍ଡ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଦାୱିଦ ମଲାନ, ଜୋସ୍ ବଟଲର, ଲିୟମ ଲିଭିଂଷ୍ଟୋନ, ମୋଇନ ଅଲ୍ଲୀ, ସାମ୍ କରନ, ମାର୍କ ଉଡ୍/ଟମ୍ କରନ, ଆଦିଲ ରସିଦ, ରେସେ ଟପ୍‌ଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe