ଆଜିଠୁ ଟ୍ରାକ୍‌ ଆଣ୍ଡ ଫିଲ୍ଡ: ମହିଳା ଡିସ୍‌କସ୍‌ରେ ପଦକ ଅଶା, ୧୦୦ ମିଟର ହିଟ୍‌ରେ ଦୌଡ଼ିବେ ଦୂତି

Advertisment
ଆଜିଠୁ ଟ୍ରାକ୍‌ ଆଣ୍ଡ ଫିଲ୍ଡ: ମହିଳା ଡିସ୍‌କସ୍‌ରେ ପଦକ ଅଶା, ୧୦୦ ମିଟର ହିଟ୍‌ରେ ଦୌଡ଼ିବେ ଦୂତି

ବର୍ମିଂହାମ: ଆହତ ଯୋଗୁଁ ଅଲିମ୍ପିକ୍‌ ବିଜେତା ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବା ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଥିଲା। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ଜିତିଥିବାରୁ ତାଙ୍କଠୁ ଏଠାରେ ନିଶ୍ଚିତ ପଦକ ଆଶା ଥିଲା। ମଙ୍ଗଳବାରଠୁ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଲଢ଼େଇ ଆରମ୍ଭ ହେବ। ‌ତେଣୁ ଜାଭ୍‌ଲିନ୍‌ରେ ନୀରଜଙ୍କ ଅନୁପସ୍ଥିତ ଅନୁଭବ ହେବ। ତେବେ ତାଙ୍କ ଅନୁପସ୍ଥିତିରେ ଲମ୍ବ ଡିଆଁଳି ମୁରଲୀ ଶଙ୍କର, ଷ୍ଟିପଲଚେଜର ଅବିନାଶ ସାବ୍‌ଲେ, ଭେଟେରାନ ଡିସ୍‌କସ୍‌ ଫିଙ୍ଗାଳି ସୀମା ପୁନିଆ ଓ ମହିଳା ଜାଭଲିନ୍‌ ଫିଙ୍ଗାଳି ଅନୁ ରାଣୀ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତ ପାଇଁ ପଦକ ଆଣିବା ଆଶା ରଖିଛନ୍ତି। ଟ୍ରିପଲ ଜମ୍ପ୍‌ରେ ଭାରତର ୩ ଜଣ ପ୍ରବୀଣ ଚିତ୍ରାଭେଲ, ଅବ୍‌ଦୁଲ ଆବୁବାକର ଓ ଏ‌ଲ୍‌ଦୋସ ପଲ ରହିଥିବାରୁ ଏଥିରେ ପଦକ ମଧ୍ୟ ଆଶା ରହିଛି। ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିବା ସହ ଚଳିତ ଋତୁରେ ଏମାନଙ୍କ ପ୍ରଦର୍ଶନ ଭଲ ରହିଛି। ଫଳରେ ଭାରତ ଚଳିତ ସଂସ୍କରଣରେ ଫିଲ୍ଡ ଆଣ୍ଡ ଟ୍ରାକ୍‌ରୁ ଅତିକମ୍‌ରେ ୬ ପଦକ ଆଶା ରଖିଛି। ୨୦୧୦ ଦିଲ୍ଲୀ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ା ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଭାରତ ଶ୍ରେଷ୍ଠ ସଫଳତା (୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୭ କାଂସ୍ୟ) ପାଇଥିଲା। ୨୦୧୪ ଓ ୨୦୧୮ରେ ଭାରତ ୩ ପଦକ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ପାଇଥିଲା।

publive-image

ମଙ୍ଗଳବାର ଭାରତର ଅଭିଯାନ ପୁରୁ‌ଷ ଲମ୍ବ ଡିଆଁ ଯୋଗ୍ୟତା ପର୍ଯ୍ୟାୟରୁ ଆରମ୍ଭ ହେବ। ଏଥିରେ ଶ୍ରୀଶଙ୍କର ଓ ମହମ୍ମଦ ଅନୀସ ୟାହିୟା ଭାଗ ନେବେ। ଜ‌ାତୀୟ କୀର୍ତ୍ତିମାନଧାରୀ ଶ୍ରୀଶଙ୍କର ଭଲ ଫର୍ମରେ ରହିଛନ୍ତି। ବିଶ୍ବ ପ୍ରତିଯୋଗିତା ଫାଇନାଲ୍‌ରେ ସେ ୭.୯୬ ମିଟର ଡେଇଁଥିଲେ। ତାଙ୍କର ବ୍ୟକ୍ତିଗତ ଶ୍ରେ‌ଷ୍ଠ ୮.୩୬ ମିଟର ରହିଛି। ୟାହିୟାଙ୍କ ଶ୍ରେଷ୍ଠ ୮.୧୫ ମିଟର ରହିଥିଲା। ଯୋଗ୍ୟତା ପର୍ଯ୍ୟାୟରେ ଏହି ମାର୍କ ଛୁଇଁଲେ ଫାଇନାଲ୍‌ରେ ପହଞ୍ଚିବା ପ୍ରାୟ ନିଶ୍ଚିତ ହେବ। ପ୍ରଥମ ଦିନରେ ସୀମା ଓ ନଭଜୀତ କୌର ଧିଲନଙ୍କଠୁ ପଦକ ଆଶା ରହିଛି। ଉଭୟ ଗତ ସଂସ୍କରଣରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥ‌ିଲେ। ସୀମା ଜିତିଲେ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ାରେ ତାଙ୍କର ପଞ୍ଚମ ପଦକ ହେବ। ପୂର୍ବରୁ ସେ ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତି ସାରିଛନ୍ତି। ମଙ୍ଗଳବାର ସଟ୍‌ପୁଟ୍‌ରେ ଜାତୀୟ କୀର୍ତ୍ତିମାନଧାରୀ ମନପ୍ରୀତ କୌରଙ୍କ ଆକ୍‌ସନ ଦେଖିବାକୁ ମିଳିବ। ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ଆକ୍‌ସନ୍‌ ମଧ୍ୟ ମଙ୍ଗଳବାର ଦେଖିବାକୁ ମିଳିବ। ଏହି ତାରକା ସ୍ପ୍ରିଣ୍ଟର ୧୦୦ ମିଟର ହିଟ୍‌ରେ ଦୌଡ଼ିବେ। ଉଚ୍ଚ ଡିଆଁଳି ତେଜସ୍ବିନ ଶଙ୍କରଙ୍କ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe