ଟୋକିଓ ଅଲିମ୍ପିକ୍ସ ହକି ସୂଚୀ ଘୋଷିତ: ପ୍ରଥ‌ମେ ଭାରତ ପୁରୁଷ ନ୍ୟୁଜିଲାଣ୍ଡ୍‌କୁ, ମହିଳା ନେଦରଲାଣ୍ଡ୍‌ସକୁ ଭେଟି‌ବେ

Advertisment
ଟୋକିଓ ଅଲିମ୍ପିକ୍ସ ହକି ସୂଚୀ ଘୋଷିତ: ପ୍ରଥ‌ମେ ଭାରତ ପୁରୁଷ ନ୍ୟୁଜିଲାଣ୍ଡ୍‌କୁ, ମହିଳା ନେଦରଲାଣ୍ଡ୍‌ସକୁ ଭେଟି‌ବେ

ଟୋକିଓ: ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ମଙ୍ଗଳବାର ହକି ସୂଚୀ ଘୋଷିତ ହୋଇଛି। ଆନ୍ତର୍ଜାତିକ ହକି ସଂଘ (ଏଫ୍‌ଆଇଏଚ୍‌) ଦ୍ବାରା ଘୋଷଣା କରାଯାଇଥିବା ସୂଚୀ ଅନୁଯାୟୀ ଭାରତୀୟ ପୁରୁଷ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବାକୁ ଥିଲା ବେଳେ ମହିଳା ଦଳ ନେଦରଲାଣ୍ଡ୍‌ସକୁ ଭେଟି ଅଭିଯାନ ଆରମ୍ଭ କରିବ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଜୁଲାଇ ୨୫ ତାରିଖ ଉଦ୍‌ଘାଟନୀ ଦିବସରେ ହିଁ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିବେ। ଭାରତୀୟ ପୁରୁଷ ଦଳ ଏବେ ବିଶ୍ବ ମାନ୍ୟତାର ପଞ୍ଚମରେ ଥିଲା ବେଳେ ମହିଳା ଦଳ ନବମ ମାନ୍ୟତାରେ ରହିଛି। ଚଳିତ ମାସ ପ୍ରାରମ୍ଭରେ ଭୁବନେଶ୍ବରରେ ରୁଷିଆକୁ ୧୧-୩ ଗୋଲ୍‌ରେ ପରାସ୍ତ କରି ପୁରୁଷ ଦଳ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ହାତେଇଥିଲା ବେଳେ ମହିଳା ଦଳ ସେହି ଭୁବନେଶ୍ବରରେ ଆମେରିକାକୁ ୬-୫ ବ୍ୟବଧାନ‌ରେ ପରାସ୍ତ କରି ଟୋକିଓ ଟିକେଟ ହାସଲ କରିଥିଲା।

ଆଠ ଥର ବିଜେତା ଭାରତୀୟ ପୁରୁଷ ଦଳ ଗ୍ରୁପ୍‌-ଏରେ ନ୍ୟୁଜିଲାଣ୍ଡ୍‌ ସହ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବା ପରେ ଜୁଲାଇ ୨୬ରେ ବିଶ୍ବ ମାନ୍ୟତାର ଶୀର୍ଷ ଅଷ୍ଟ୍ରେଲିଆ, ଜୁଲାଇ ୨୮ରେ ସ୍ପେନ୍‌, ଜୁଲାଇ ୩୦ରେ ପୂର୍ବତନ ବିଜେତା ଆର୍ଜେଣ୍ଟିନା ଏବଂ ଜୁଲାଇ ୩୧ ତାରିଖରେ ଆୟୋଜକ ଜାପାନକୁ ଭେଟିବ। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ମଧ୍ୟ ଗ୍ରୁପ୍‌-ଏରେ ସାମିଲ ରହିଥିଲା ବେଳେ ନେଦରଲାଣ୍ଡ୍‌ସ ସହ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବା ପରେ ଜୁଲାଇ ୨୭ରେ ଜର୍ମାନି, ଜୁଲାଇ ୨୯ରେ ଗ୍ରେଟ୍‌ ବ୍ରିଟେନ୍‌, ଜୁଲାଇ ୩୧ରେ ଆୟର୍ଲାଣ୍ଡ୍‌ ଏବଂ ଅଗଷ୍ଟ ୧ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଉଭୟ ପୁରୁଷ ଓ ମହିଳା ଦଳର ସ୍ବର୍ଣ୍ଣ ପଦକ ମୁକାବିଲା ଯଥାକ୍ରମେ ଅଗଷ୍ଟ ୬ ଓ ୭ ତାରିଖରେ ହେବ ବୋଲି ଏଫ୍‌ଆଇଏଚ୍‌ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe