Image Courtesy of India Today
ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ‘ସୁପର୍ ହେଭିୱେଟ୍ କ୍ବାର୍ଟର୍ଫାଇନାଲ୍ସ୍ରେ ଉଜ୍ବେକିସ୍ତାନର ବାଖୋଦିର ଜାଲଲଭ୍ଙ୍କ ଠାରୁ ଭାରତୀୟ ମୁଷ୍ଟିଯୋଦ୍ଧା ସତୀଶ କୁମାର ୫-୦ରେ ପରାସ୍ତ ହୋଇଛନ୍ତି। ଉଚ୍ଚତର ସଫଳତା ହାର ଥିବାରୁ ବାଖୋଦିର ୫ଜଣଯାକ ବିଚାରକଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସେମାନେ ତାଙ୍କୁ ୩୦-୨୭ ପଏଣ୍ଟ୍ ଦେଇଥିଲେ।
ବିଶ୍ବର ୧ ନମ୍ବର ମୁଷ୍ଟିଯୋଦ୍ଧା ଉଜ୍ବେକିସ୍ତାନର ବାଖୋଦିର୍ ଜାଲଲଭ୍ଙ୍କୁ ମୁକାବିଲା କରିବା ନିମନ୍ତେ ଭାରତୀୟ ମୁଷ୍ଟିଯୋଦ୍ଧା ସତୀଶ କୁମାରଙ୍କୁ ଡାକ୍ତରୀ ‘କ୍ଲିଅରାନ୍ସ୍’ ମିଳିଥିଲା। ପ୍ରି-କ୍ବାର୍ଟର୍ଫାଇନାଲ୍ରେ ଜାମାଇକାର ରିକାର୍ଡୋ ବ୍ରାଉନ୍ଙ୍କ ସହ ମୁକାବିଲା କରୁଥିବା ବେଳେ ଆହତ ହେବାରୁ ସତୀଶଙ୍କ କ୍ଷତରେ ୭ଟି ସିଲାଇ (ଷ୍ଟିଚ୍) ହୋଇଥିଲା। ପ୍ରଥମ ରାଉଣ୍ଡ୍ରେ ମଧ୍ୟ ସତୀଶ ବାଖୋଦିର୍ଙ୍କ ମୁହଁରେ ମୁଥା ମାରି ଉତ୍ତମ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। କିନ୍ତୁ, ଦ୍ବିତୀୟ ରାଉଣ୍ଡ୍ରେ ପ୍ରତିଦ୍ବନ୍ଦ୍ବିତା ଏକତରଫା ହୋଇଯାଇଥିଲା। ତୃତୀୟ ରାଉଣ୍ଡ୍ରେ ସେ ଆଉ ବାଖୋଦିର୍ଙ୍କୁ ମୁକାବିଲା କରିବାକୁ ସମର୍ଥ ହୋଇ ନ ଥିଲେ।
Image Courtesy of Times of Indiaଅଲିମ୍ପିକ୍ସ୍ରେ ପ୍ରତିଦ୍ବନ୍ଦ୍ବିତା କରିବାରେ ସତୀଶ ହେଉଛନ୍ତି ଭାରତର ପ୍ରଥମ ସୁପର୍ ହେଭିୱେଟ୍ (+୯୧କେଜି) ମୁଷ୍ଟିଯୋଦ୍ଧା। ୨୦୧୯ ଏପ୍ରିଲ୍ରେ ଜୋର୍ଡାନ୍ର ଅମ୍ମାନରେ ଏସିଆ/ଓସିନିଆ ସେମିଫାଇନାଲ୍ରେ ଉତ୍ତୀର୍ଣ୍ଣ ହୋଇ ୨୯ ବର୍ଷିୟ ସତୀଶ ପ୍ରଥମ ଥର ପାଇଁ ଅଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ।
ବୁଲନ୍ଦସର ନିବାସୀ ଜଣେ କୃଷକଙ୍କ ପୁଅ ସତୀଶ ତାଙ୍କ ବଡ଼ଭାଇଙ୍କ ପରି ଭାରତୀୟ ସେନାବାହିନୀରେ ହିଁ ଯୋଗ ଦେବାକୁ ଚାହୁଁଥିଲେ। ୨୦୦୮ରେ ସେ ଘରୁ ପଳାଇ ଯାଇ ସେନାରେ ଜଣେ ସିପାହୀ ଭାବେ ଯୋଗ ଦେବା ପରେ ରାଣୀକ୍ଷେତକୁ ସ୍ଥାନାନ୍ତରିତ ହୋଇଥିଲେ। ସେହି ସମୟରେ ସେନା ତାଲିମ ଛାଉଣି ନିକଟରେ ରବିଶଙ୍କର ସାଙ୍ଗୱାନ୍ଙ୍କ ତତ୍ତ୍ବାବଧାନରେ ଅଳ୍ପ କେତେଜଣ ମୁଷ୍ଟିଯୋଦ୍ଧା ତାଲିମ ନେଉଥିଲେ। ତାହା ଦେଖି ସେଥିପ୍ରତି ସତୀଶଙ୍କର ଆଗ୍ରହ ଜନ୍ମିଥିଲା।
Follow Us