ନଗଲଙ୍କୁ ଟୋକିଓ ଟିକେଟ୍‌

Advertisment
ନଗଲଙ୍କୁ ଟୋକିଓ ଟିକେଟ୍‌

Tribune India

ନୂଆଦିଲ୍ଲୀ : ଭାରତୀୟ ଟେନିସ ଖେଳାଳି ସୁମିତ ନଗଲଙ୍କୁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍‌ ମିଳିଯାଇଛି। ସେ ପୁରୁଷ ଏକକ ଲାଗି ଏହି ଟିକେଟ୍‌ ପାଇଛନ୍ତି। ଅଲିମ୍ପିକ୍ସରୁ ଅନେକ ଖେଳାଳି ଓହରିଯିବାରୁ ନଗଲଙ୍କୁ ଏହି ସୁଯୋଗ ମିଳିଛି। ଅଲିମ୍ପିକ୍ସ ପ୍ରବେଶ ପାଇଁ ଧାର୍ଯ୍ୟ ସମୟର କିଛି ଘଣ୍ଟା ପୂର୍ବରୁ ଅନ୍ତର୍ଜାତୀୟ ଟେନିସ ମହାସଂଘ ନଗଲ ‌ଅଲିମ୍ପିକ୍ସ ଖେଳିବା ଲାଗି ଯୋଗ୍ୟ ହେଉଛନ୍ତି ବୋଲି ସର୍ବଭାରତୀୟ ଟେନିସ ସଂଘକୁ ଜଣାଇଥିଲା। ଜୁନ୍‌ ୧୪ରେ ନଗଲଙ୍କ ମାନ୍ୟତା ୧୪୪ ଥିଲା। ସଂପ୍ରତି ଅଲିମ୍ପିକ୍ସ ଲାଗି କଟ୍‌ଅଫ୍‌ ମାନ୍ୟତା ୧୩୦ ରହିଥିଲା ବେଳେ ୧୨୭ ମାନ୍ୟତାପ୍ରାପ୍ତ ୟୁକି ଭାମ୍ବ୍ରି ଆହତ ‌ଯୋଗୁଁ ନିଜଆଡୁ ଓହରିଯିବାରୁ ନଗଲଙ୍କ ଅଲିମ୍ପିକ୍ସ ଖେଳିବା ସ୍ପଷ୍ଟ ହୋଇଥିଲା।

ଏହି ଖବର ଆସିବା ପରେ ଭାରତୀୟ ଟେନିସରେ ଖୁସିର ଲହର ଖେଳିଯାଇଛି। ପୂର୍ବରୁ କେବଳ ମହିଳା ଯୁଗଳ ଲାଗି ସାନିଆ ମିର୍ଜା ଏବଂ ଅଙ୍କିତା ରାଇନା ଯୋଗ୍ୟତା ଅର୍ଜନ କରିଥିଲେ। ନଗଲଙ୍କ ଟୋକିଓ ଖେଳିବା ନିଶ୍ଚିତ ହେବା ପରେ ‌ଏବେ ଟୋକିଓ ଅଲିମ୍ପିକ୍ସରେ ଭାରତରୁ ଟେନିସ୍‌ରେ ୩ ଜଣ ଅଂଶଗ୍ରହଣ କରିବେ। ତେବେ ପୁରୁଷ ଯୁଗଳ ଲାଗି ମିଳିତ ଭାବେ ୧୧୩ ମାନ୍ୟତାରେ ଥିବା ରୋହନ ବୋପାନ୍ନା ଓ ଦିଭିଜ ସରଣଙ୍କ ସହ ଏକକ ଲାଗି ପ୍ରଜ୍ଞେଶ ଗୁଣସ୍ବରନ୍‌ (୧୪୮)ଙ୍କ ଆଶା ମଧ୍ୟ ଉଜ୍ଜୀବିତ ରହିଛି। ନଗଲ ମଧ୍ୟ ଭାରତ ପକ୍ଷରୁ ମିଶ୍ରିତ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe