ଫିଟ୍‌ ରହିବା ମିତାଲି, ଝୁଲଣଙ୍କ ପାଇଁ ଆହ୍ବାନ

Advertisment
ଫିଟ୍‌ ରହିବା ମିତାଲି, ଝୁଲଣଙ୍କ ପାଇଁ ଆହ୍ବାନ

Outlook India

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦୁଇ ତାରକା ମିତାଲି ରାଜ ଓ ଝୁଲଣ ଗୋସ୍ବାମୀ। ମିତାଲି (୬୮୮୮ ରନ୍‌) ଦିନିକିଆରେ ବିଶ୍ବର ସର୍ବାଧିକ ରନ୍‌ ସଂଗ୍ରହକାରୀ ଏବଂ ଝୁଲଣ (୨୨୫ ୱିକେଟ୍‌) ସର୍ବାଧିକ ୱିକେଟ୍ ଦଖଲକାରୀ। ସଂପ୍ରତି ଦେଶରେ ଲକ୍‌ଡାଉନ୍‌ ଚାଲିଥିଲା ବେଳେ ଏହି ଦୁଇ ତାରକାଙ୍କ ପାଇଁ ଫିଟ୍‌ ରହିବା ଏକ ଆହ୍ବାନ ‌ହୋଇଛି। ଉଭୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି। ହେଲେ ଦୁଇ ଜଣ ଯାକ ନ୍ୟୁଜିଲାଣ୍ଡରେ ହେବାକୁଥିବା ୨୦୨୧ ବିଶ୍ୱକପ୍‌ ଉପରେ ନଜର ରଖିଛନ୍ତି। ହେଲେ କରେନା ଭୂତାଣୁ ସେମାନଙ୍କ ପ୍ରସ୍ତୁତିରେ ବାଧା ପହଞ୍ଚାଇଛି। ଲକଡାଉନ୍ ଯୋଗୁଁ ବିସିସିଆଇର ଦୁଇଟି ପ୍ରମୁଖ ଘରୋଇ ପ୍ରତିଯୋଗିତା ବରିଷ୍ଠ ମହିଳା ଦିନିକିଆ ନକ୍ଆଉଟ୍ ଏବଂ ଦିନିକିଆ ଚ୍ୟାଲେଞ୍ଜର୍ ବାତିଲ୍ ହୋଇଛି। ଆନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ ଲାଗି କିଛି ଘରୋଇ ମ୍ୟାଚ୍‌ ଖେଳିବାର ଥିଲା। ଆମେ ମଧ୍ୟ ଖେଳିବାକୁ ଉତ୍ସାହିତ ଥିଲୁ ତାଲାବନ୍ଦ ଯୋଗୁଁ ନିଜ ବାସଭବନରେ ଥିବା ଝୁଲଣ କହିଛନ୍ତି।

ଝୁଲଣ ଓ ମୁଁ କେବଳ ଗୋଟିଏ ଫର୍ମାଟ୍‌ରେ ସୀମିତ ଅଛୁ। ପ୍ରତିଯୋଗିତା ବାତିଲ ହେବା ଆମ ପାଇଁ କଷ୍ଟକର। କାରଣ ଆମେ କିଛି ସମୟ ଅଭ୍ୟାସରୁ ଦୂରେଇବାକୁ ପଡ଼ିବ। ଏହା ଆମକୁ ହତାଶ କରିଛି। ଆମେ ଏବେ ପଡ଼ିଆକୁ ଯାଉନୁ। ଯାହା ଭଲ ଲାଗୁନି। କାରଣ ଆମେ ସବୁବେଳେ ପଡ଼ିଆରେ ରହୁ। ଘରେ କମ୍‌ ସମୟ ରହୁ। ଏହି ଜୀବନ ଶୈଳୀ ଏବେ ବଦଳି ଯାଇଛି ବୋଲି ସର୍ବାଧିକ ଦିନିକିଆ ମ୍ୟାଚ୍‌ ଖେଳିଥିବା ଝୁଲଣ (୨୦୯ ମ୍ୟାଚ୍‌) କହିଛନ୍ତି। ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ପ୍ରସ୍ତୁତି ହେବା ଲାଗି କୌଣସି ମ୍ୟାଚ୍‌ ନଥିବାରୁ ଉଭୟ ଦୁଃଖ ପ୍ରକାଶ କରିଛନ୍ତି। ଯଦି ପାକିସ୍ତାନ ବିପକ୍ଷ ଘରୋଇ ଶୃଙ୍ଖଳା ଖେଳା ନଯାଏ ତ‌େବେ ଆଇସିସି ଉଭୟ ଦଳ ମଧ୍ୟରେ ସମାନ ପଏଣ୍ଟ ବାଣ୍ଟିଦେବ। ଫଳରେ ଭାରତ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିନେବ। ଯଦି ତାହା ନହୁଏ ତେବେ ଆମକୁ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ପଡ଼ିବ। ଯାହା ପୁନଃ ସ୍ଥିର ହେବାର ସମ୍ଭାବନା ରହିଛି। ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଶୃଙ୍ଖଳା ମଧ୍ୟ ଅନିଶ୍ଚିତତାରେ ରହିଛି। ଆମର ପ୍ରସ୍ତୁତି ଉପରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବ ବୋଲି ମିତାଲି ସ୍ୱୀକାର କରିଛନ୍ତି।

ମୁଁ ସକାଳୁ ଉଠି ଚାଲେ। ସୂର୍ଯ୍ୟୋଦୟ ଦେଖିବା ବହୁତ ସୁନ୍ଦର ଅଟେ। ତା'ପରେ ବାପାଙ୍କ ସହ ଜଳଖିଆ ଖାଏ, ଯାହା ମୁଁ ବହୁଦିନ ଧରି କରି ନ ଥିଲି। ସନ୍ଧ୍ୟାରେ ମୁଁ କାର୍ ପାର୍କିଂ ଅଞ୍ଚଳରେ ବ୍ୟାଟିଂ କୌଶଳର ଉନ୍ନତି ପାଇଁ କିଛି ସମୟ ଅତିବାହିତ କରେ। ସୂର୍ଯ୍ୟ ଅସ୍ତ ହେବା ପରେ କିଛି ସମୟ ପୁଣି ଚାଲେ। ନେଟ୍‌ଫ୍ଲିକ୍ସରେ ମଧ୍ୟ କିଛି ସମୟ କାଟେ ବୋଲି ମିତାଲି କହିଛନ୍ତି।
କାମ କରିବା, ସଙ୍ଗୀତ ଶୁଣିବା ଏବଂ ଚଳଚ୍ଚିତ୍ର ଦେଖିବା ବ୍ୟତୀତ ଝୁଲଣ ତାଙ୍କର ରନ୍ଧନ କଳା ବଢ଼ାଉଛନ୍ତି। ମୁଁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ନିଜେ କରୁଛି ବୋଲି ଝୁଲଣ କହିଛନ୍ତି। ମାରାତ୍ମକ କରୋନା ପାଇଁ ଉଭୟ ଚିନ୍ତିତ ଅଛନ୍ତି। ସମଗ୍ର ବିଶ୍ୱରେ ଏବେ ଏହାର କବଳରେ ଅଛି। ଏଥିରୁ ମୁକୁଳିବା ଲାଗି ମୁଁ ଭଗବାନଙ୍କ ପ୍ରାର୍ଥନା କରୁଛି। ଯେଉଁମାନେ ଏହି ଲଢ଼େଇରେ ନିୟୋଜିତ ଅଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବି। ପ୍ରତିଯୋଗିତା ପୁଣି ଆରମ୍ଭ ହୋଇପାରିବ କିନ୍ତୁ ଏଥିପାଇଁ ଜୀବନ ଦେଇ ହେବନି ବୋଲି ମିତାଲି କହିଛନ୍ତି। ଏହି ସମୟରେ ଆବଶ୍ୟକତା ହେଉଛି ନିଜକୁ ସୁରକ୍ଷିତ ରଖିବା। ଏହି ପର୍ଯ୍ୟାୟ ଅତିକ୍ରମ କରିବା ପରେ ଖେଳିବା ଲାଗି ଅନେକ ମ୍ୟାଚ୍ ହେବ ବୋଲି ଝୁଲଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe