ନ୍ୟୁୟର୍କ: ବିଗତ ଦିନର ବିବାଦୀୟ ହେଭିୱେଟ୍ ମୁଷ୍ଟିଯୋଦ୍ଧା ମାଇକ୍ ଟାଇସନ୍ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି। ଜଣେ ୟୁଟ୍ୟୁବର୍ ତଥା ସୌଖିନ ମୁଷ୍ଟିଯୋଦ୍ଧା ଜେକ୍ ପଲ୍ଙ୍କୁ ମୁଥ ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସେ। ଏହି ଘଟଣା ରବିବାରର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଘଟିଥିଲା। ଏହି ପ୍ରମୋସନାଲ୍ ଫେସ୍ଅଫ୍ ଇଭେଣ୍ଟ୍ରେ କୌଣସି କଥାକୁ ନେଇ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିଥିଲେ ଟାଇସନ୍ ଓ ପଲ୍। ଏଥିରେ ଉତ୍କ୍ଷିପ୍ତ ହୋଇ ୫୮ ବର୍ଷୀୟ ଟାଇସନ୍ ୨୮ ବର୍ଷୀୟ ପଲ୍ଙ୍କ ଛାତିକୁ ଏକ ଶକ୍ତ ମୁଥ ମାରିଥିଲେ। ଆୟୋଜକଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପଲ୍ କିନ୍ତୁ ଟାଇସନ୍ଙ୍କ ଏହି ଊଗ୍ର ରୂପ ଦେଖି ପୂରା ଚକିତ ହୋଇଯାଇଥିଲେ।
ସୂଚନାଯୋଗ୍ୟ ଯେ ଟାଇସନ୍ ଓ ପଲ୍ଙ୍କ ମଧ୍ୟରେ ଏକ ଲଢ଼େଇ ନଭେମ୍ବର ୧୫ରେ ଆମେରିକାର ଟେକ୍ସାସ୍ରେ ହେବାର ଅଛି। ପୂର୍ବରୁ ଏହି ଲଢ଼େଇ ଜୁଲାଇ ୨୦ରେ ହେବାର ଥିଲା। ହେଲେ ଟାଇସନ୍ଙ୍କ ଅସୁସ୍ଥତା ପାଇଁ ଆୟୋଜକ ଏହାକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲେ। ପଲ୍ ଓ ତାଙ୍କ ମଧ୍ୟରେ ୨୮ ବର୍ଷର ବୟସ ବ୍ୟବଧାନ ଥିଲେ ମଧ୍ୟ ସେ ଏହି ଲଢ଼େଇ ସହଜରେ ଜିତିବେ ବୋଲି ନିଜ କ୍ୟାରିୟରରେ ୫୦-୬ ଜୟ/ପରାଜୟ ରେକର୍ଡ ରଖିଥିବା ଟାଇସନ୍ ଦମ୍ଭ ଦେଖାଇଛନ୍ତି।
Follow Us