ଆଶଙ୍କାରେ ଉଦୀପ୍ତଙ୍କ ବିଶ୍ୱ ପ୍ରତିଯୋଗିତା ଅଂଶ ଗ୍ରହଣ:ସ୍ୱିଜରଲାଣ୍ଡ ଦଳର ପ୍ରାୟୋଜକ ହେଲା ଆନ୍ଧ୍ର

Advertisment

ଓଡ଼ିଆ ପିଲାଙ୍କୁ ଅଣଦେଖା କରୁଛନ୍ତି ଓଡ଼ିଶା ସରକାର

ଓଡ଼ିଆ ପିଲାଙ୍କୁ ଅଣଦେଖା କରୁଛନ୍ତି ଓଡ଼ିଶା ସରକାର

ଆଶଙ୍କାରେ ଉଦୀପ୍ତଙ୍କ ବିଶ୍ୱ ପ୍ରତିଯୋଗିତା ଅଂଶ ଗ୍ରହଣ:ସ୍ୱିଜରଲାଣ୍ଡ ଦଳର ପ୍ରାୟୋଜକ ହେଲା ଆନ୍ଧ୍ର

ଭୁବନେଶ୍ୱର: ଓଡ଼ିଶାର ଏକମାତ୍ର ପେସାଦାର ମୋଟରସାଇକେଲ୍‌ ରେସର ଉଦୀପ୍ତ କୁମାର ରଥଙ୍କର ବିଶ୍ୱ ପ୍ରତିଯୋଗିତାରେ ଅଂଶ ଗ୍ରହଣ ସ୍ୱପ୍ନ ସ୍ୱପ୍ନରେ ରହିଗଲା ଭଳି ଲାଗୁଛି। କାରଣ ବିଶ୍ୱ ପ୍ରତିଯୋଗିତାକୁ ଯିବାର ପ୍ରଥମ ପାହାଚ ଭାବେ ପରିଚିତ ପିରେଲି ସୁପର ବାଇକ୍‌ ପ୍ରତିଯୋଗିତାକୁ ଯିବା ଲାଗି ଯେତିକି ଅର୍ଥ ଦରକାର ସେତିକି ସେ ଏବେସୁଦ୍ଧା ଯୋଗାଡ଼ କରି ପାରି ନାହାନ୍ତି। ମାଲେସିଆରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ସବୁ ଚାଳକଙ୍କୁ ପ୍ରବେଶିକା ଏବଂ ଅନ୍ୟାନ୍ୟ ଦେୟ ବାବଦରେ ୨୫ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଗତବର୍ଷ ତିନିଟି ଘରୋଇ କଂପାନି ଜ୍ୟୋତି ମୋଟର୍ସ, ମିଲକି ମୁ ଏବଂ ମୋଟୋଜିଲର ଆର୍ଥିକ ସହାୟତାରେ ଉଦୀପ୍ତ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏବର୍ଷ କିନ୍ତୁ ଜ୍ୟୋତି ମୋଟର୍ସକୁ ଛାଡ଼ିଦେଲେ ଅନ୍ୟ ଦୁଇ କଂପାନି ଏପର୍ଯ୍ୟନ୍ତ କୌଣସି ଆର୍ଥିକ ଆଶ୍ୱାସନା ଦେଇ ନାହାନ୍ତି। ସେଥିପାଇଁ ଉଦୀପ୍ତ ଚିନ୍ତାରେ ରହିଛନ୍ତି।

ଏବେବି ଏଥିଲାଗି ସାଢ଼େ ବାର ଲକ୍ଷ ଟଙ୍କାର ନିଅଣ୍ଟ ରହିଛି। ସେପଟେ ଆନ୍ଧ୍ରପ୍ରଦେଶ ସରକାର ବିଶ୍ୱ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ସ୍ୱିଜରଲାଣ୍ଡର ଏକ ଦଳକୁ ଆର୍ଥିକ ସହାୟତା ଦେବା ସହ ସେହି ଦଳର ଅନ୍ୟତମ ପ୍ରାୟୋଜକ ହୋଇଥିବା ଜଣା ପଡ଼ିଛି। ଏହା ଦ୍ୱାରା ବିଶ୍ୱ ଦରବାରରେ ବ୍ରାଣ୍ଡ ଆନ୍ଧ୍ରର ପ୍ରଚାର ଓ ପ୍ରସାର ହୋଇ ପାରିବ ବୋଲି ଆନ୍ଧ୍ରସରକାର ହୃଦୟଙ୍ଗମ କରିଛନ୍ତି। ସେହିଭଳି ଆନ୍ଧ୍ରର କେତେକ କଂପାନି ସ୍ୱିଜରଲାଣ୍ଡରେ ସୌରଶକ୍ତି ଉତ୍ପାଦନରେ ଜଡ଼ିତ ଥିବାରୁ ସେହି ଦେଶର ଦଳର ପ୍ରାୟୋଜକ ହେବାକୁ ଆନ୍ଧ୍ରସରକାର ନିଜ ତରଫରୁ ଆଗ୍ରହ ପ୍ରକାଶ କରିଥିଲେ।

ହେଲେ ବିଡ଼ମ୍ବନାର ବିଷୟରେ ବିଶ୍ୱ ପ୍ରତିଯୋଗିତାକୁୁ ଯିବାର ଯୋଗ୍ୟତା ଜଣେ ଓଡ଼ିଆ ପିଲାର ଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ ଆଦୌ ଗୁରୁତ୍ୱ ଦେଉ ନାହାନ୍ତି। ଯାହା ଉଦୀପ୍ତଙ୍କୁ ବ୍ୟଥିତ କରିଛି। ଏଥିନେଇ ସେ କହିଛନ୍ତି ଯେ ବିଶ୍ୱ ମୋଟରସାଇକେଲ ରେସିଂର ଲୋକପ୍ରିୟତାରୁ ଲାଭ ଉଠାଇବା ଲାଗି ଆନ୍ଧ୍ରସରକାର ଏକ ସ୍ୱିଜରଲାଣ୍ଡ ଦଳର ପ୍ରାୟୋଜକ ହୋଇଛନ୍ତି। ମୁଁ ବି ପିରେଲି ରେସିଂ ଲାଗି ଯୋଗ୍ୟତା ଅର୍ଜନ କରିଛି। ଏହି ପ୍ରତିଯୋଗିତା ଲାଗି ରାଜ୍ୟ ସରକାର ମୋତେ କିଛି ଆର୍ଥିକ ସହାୟତା ଦେଲେ ଓଡ଼ିଶାର ପ୍ରଚାର ପ୍ରସାର ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ହୋଇ ପାରନ୍ତା।
ସୂଚନାଯୋଗ୍ୟ ଯେ ପିରେଲି ରେସିଂ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ମେ ୧୧ରୁ ୧୩ ତାରିଖ ମଧ୍ୟରେ ଆୟୋଜିତ ହେବ। ଏହି ପ୍ରତିଯୋଗିତା ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ହେବ। ମାଲେସିଆର ପ୍ରସିଦ୍ଧ ସେପାଙ୍ଗ ସର୍କିଟରେ ଏହା ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଭଲ କଲେ ଏସୀୟ ଏବଂ ତା’ ପରେ ବିଶ୍ୱ ପ୍ରତିଯୋଗିତା ଖେଳିବାର ସୁଯୋଗ ଉଦୀପ୍ତଙ୍କୁ ମିଳିବ। ଉଦୀପ୍ତ ଏହା ସହ ଜୁନ ମାସରେ ହେବାକୁ ଥିବା ଜାତୀୟ ମୋଟରସାଇକେଲ ରେସିଂ ପ୍ରତିଯୋଗିତାରେ ମଧ୍ୟ ଅଂଶ ଗ୍ରହଣ କରିବେ। ବିଶ୍ୱ ପ୍ରତିଯୋଗିତା ମାର୍ଚ ୧୮ରୁ ଆରମ୍ଭ ହେବ। ଏହା ୧୮ ପର୍ଯ୍ୟାୟ ବିଶିଷ୍ଟ ହେବ। ଉଦୀପ୍ତ ଆସନ୍ତାବର୍ଷ ବିଶ୍ୱସ୍ତରକୁ ଯିବା ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe