ଚେସ୍ ଅଲିମ୍ପିଆଡ୍‌ରେ ଅପରାଜିତା ଏଫ୍‌ପିପି ବିଶେଷଜ୍ଞ

Advertisment
ଚେସ୍ ଅଲିମ୍ପିଆଡ୍‌ରେ ଅପରାଜିତା ଏଫ୍‌ପିପି ବିଶେଷଜ୍ଞ

ଭୁବନେଶ୍ବର: ଚେନ୍ନାଇର ମହାବଲିପୂରମଠାରେ ଚଳିତ ମାସ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଚେସ୍ ଅଲିମ୍ପିଆଡ୍ ଲାଗି ଓଡ଼ିଶାର ଅପରାଜିତା ଗୋଛିକାର ଶୃଙ୍ଖଳିତ ଖେଳ ସମିତି ବିଶେଷଜ୍ଞ ବା ଫେୟାର ପ୍ଲେ ପ୍ୟାନେଲ (ଏଫ୍‌ପିପି) ଏକ୍ସପର୍ଟ ନିଯୁକ୍ତ ହୋଇଛନ୍ତି। ବିଶ୍ବ ଚେସ୍ ମହାସଂଘ (ଫିଡେ) ସୋମବାର ତାଙ୍କୁ ଏଥିଲାଗି ବାଛିଛି। ଏହି ସମ୍ମାନଜନକ ପଦ ପାଇବା‌ରେ ଅପରାଜିତା ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା। ଚେସ୍ ଅଲିମ୍ପିଆଡ୍ ବିଶ୍ବ ଚେସ୍‌ର ସବୁଠାରୁ ବଡ଼ ପ୍ରତିଯୋଗିତା ବିବେଚିତ ହେଉଥିଲା ବେଳେ ପ୍ରଥମ ଥର ପାଇଁ ଏହା ଭାରତରେ ଆୟୋଜିତ ହେଉଛି। ଏଥିରେ ୧୮୮ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଫିଡେ ସାରା ବିଶ୍ବର ମାତ୍ର ୧୮ଜଣ ଏଫ୍‌ପିପି ବିଶେଷଜ୍ଞଙ୍କୁ ନିଯୁକ୍ତ ଦେଇଛି। ଅପରାଜିତା ଅଷ୍ଟାଦଶ ଏଫ୍‌ପିପି ବିଶେଷଜ୍ଞ ଭାବେ ଫିଡେ ଦ୍ବାରା ‌ସୋମବାର ମନୋନୀତ ହୋଇଛନ୍ତି। ୨୯ ବର୍ଷୀୟ ଅପରାଜିତାଙ୍କ ପାଇଁ ଏହା ବହୁତ ବଡ଼ ସୁଯୋଗ। ନିଜ ପ୍ରତିକ୍ରିୟାରେ ସେ ଏଭଳି ଏକ ସମ୍ମାନଜନକ ଦାୟିତ୍ବ ଦେଇଥିବାରୁ ଫିଡେ, ସର୍ବଭାରତୀୟ ଚେସ୍‌ ମହାସଂଘ, ନିଖିଳ ଓଡ଼ିଶା ଚେସ୍ ସଂଘକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେହିଭଳି ତାଙ୍କୁ ନିୟମିତ ସମର୍ଥନ ଦେଇ ଆସୁଥିବାରୁ ରାଷ୍ଟ୍ରାୟତ କଂପାନି ନାଲ୍‌କୋକୁ ବି ଧନ୍ୟବାଦ ଦେଇଛନ୍ତି। ଏଫ୍‌ପିପି ବିଶେଷଜ୍ଞ ଦାୟିତ୍ବ ସଠିକ୍ ଭାବେ ତୁଲାଇବେ ବୋଲି ମଧ୍ୟ ସେ ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe