୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌: ଭାରତ-ଶ୍ରୀଲଙ୍କା ଫାଇନାଲ୍‌

ବାଂଲାଦେଶ ଓ ପାକିସ୍ତାନ ସେମିରୁ ବିଦା

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌: ଭାରତ-ଶ୍ରୀଲଙ୍କା ଫାଇନାଲ୍‌

The Hindu

ସାର୍‌ଜା: ୟୁଏଇରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଏହି ମୁକାବିଲା ଆସନ୍ତାକାଲି ଦୁବାଇରେ ଖେଳାଯିବ। ଗୁରୁବାର ସେମିଫାଇନାଲ୍‌ରେ ଭାରତ ୧୦୩ ରନ୍‌ରେ ବାଂଲାଦେଶକୁ ଏବଂ ଶ୍ରୀଲଙ୍କା ୨୨ ରନ୍‌ରେ ପାକିସ୍ତାନକୁ ପରାସ୍ତ କରି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥି ସହିତ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଟ୍ରଫି ଜିତି ପ୍ରତିଯୋଗିତାର ସବୁଠୁ ସଫଳ ଦଳ ରହିଥିବା ଭାରତ ପଞ୍ଚମ ଥର ବିଜେତା ହେବାର ସୁଯୋଗ ପାଇଛି।

ସାର୍‌ଜାରେ ସେମିଫାଇନାଲ୍‌ରେ ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଥିଲା। ଆରମ୍ଭରୁ ମନ୍ଥର ବ୍ୟାଟିଂ ସତ୍ତ୍ବେ ସେକ୍‌ ରସିଦ୍‌ଙ୍କ ଅପରାଜିତ ୯୦ (୧୦୮ ବଲ୍‌, ୩ ଚୌକା, ୧ ଛକା) ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୪୩ ରନ୍‌ କରିଥିଲା। ଶେଷ ୫ ଓଭରରେ ଭିକି ଓସ୍‌ୱାଲ (୨୮, ୧୮ ବଲ୍‌, ୩ ‌ଚୌକା)ଙ୍କୁ ସାଥୀ କରି ରସିଦ୍‌ ୫୦ ରନ୍ ଯୋଡ଼ିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ୟାସ୍‌ ଧୂଲ (୨୬, ୨୯ ବଲ୍‌, ୨ ଚୌକା, ୧ ଛକା), ରାଜ ବୱା (୨୩, ୪୦ ବଲ୍‌, ୧ ଚୌକା), ରାଜ୍‌ବର୍ଦ୍ଧନ ହଙ୍ଗାରେକର (୧୬, ୭ ବଲ୍‌, ୧ ଚୌକା, ୨ ଛକା), ଅଙ୍ଗ୍‌କ୍ରିସ୍‌ ରଘୁବଂଶୀ (୧୬) ଏବଂ ହର୍ନୁର ସିଂହ (୧୫) ମୂଲ୍ୟବାନ ଅବଦାନ ରଖିଥିଲେ। ଅଧିନାୟକ ରକିବୁଲ୍‌ ହାସନ୍‌ ୩ ୱିକେଟ୍‌ ନେଇ ବାଂଲାଦେଶର ସଫଳ ବୋଲର ରହିଥିଲେ।

ଜବାବରେ ଭାରତୀୟ ବୋଲରଙ୍କ ମିଳିତ ଆକ୍ରମଣ ଆଗରେ ବାଂଲା ବ୍ୟାଟର୍‌ମାନେ ତିଷ୍ଠି ପାରିନଥିଲେ। ପୂରା ଦଳ ୩୮.୨ ଓଭରରେ ୧୪୦ ରନ୍‌ କରିପାରିଥିଲା। ଅରିଫୁଲ ଇସ୍‌ଲାମ ସର୍ବାଧିକ ୪୨ ରନ୍‌ କରିଥିଲେ। ରାଜ୍‌ବର୍ଦ୍ଧନ ହଙ୍ଗାରେକର (୨/୩୬), ରବି କୁମାର (୨/୨୨), ରାଜ୍‌ ବୱା (୨/୨୬) ଓ ଭିକି ଓସ୍‌ୱାଲ (୨/୨୫) ୮ ୱିକେଟ୍‌ ବାଣ୍ଟି ନେଇଥିଲା ବେଳେ ନିଶାନ୍ତ ସିନ୍ଧୁ ଓ କୌଶଳ ତାମ୍ବେ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଦୁବାଇରେ ଖେଳାଯାଇଥିବା ଅନ୍ୟ ସେମିଫାଇନାଲ୍‌ରେ ଶ୍ରୀଲଙ୍କା ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ୧୪୮ ରନ୍‌ର ପିଛା କରିଥିବା ପାକିସ୍ତାନ ପାଳି ୪୯.୩ ଓଭରରେ ୧୨୫ ରନ୍‌ରେ ସଫା ହୋଇଯାଇଥିଲା। ତ୍ରିବିନ୍‌ ମାଥ୍ୟୁ (୪/୧୪) ଏବଂ ଅଧିନାୟକ ଦୁନିତ୍‌ ୱେଲାଲାଗେ (୩/୩୧) ଦମ୍‌ଦାର ବୋଲିଂ କରିଥିଲେ। ଏହା ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ୪୪.୫ ଓଭରରେ ୧୪୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଜୀସାନ ଜମୀର (୪/୩୨), ଅହମ୍ମଦ ଖାନ୍‌ (୨/୨୬) ଓ ଆୱାଇସ୍‌ ଅଲ୍ଲୀ (୨/୨୭) ପାକିସ୍ତାନର ସଫଳ ବୋଲର ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe