ୟୁଏସ୍‌ ଓପନ୍‌: ସ୍ବିତେକ ନୂଆ ବିଜୟିନୀ

Advertisment

ମହିଳା ଏକକ ଫାଇନାଲ୍‌ରେ ଜାବିଉରଙ୍କୁ ହରାଇଲେ, ପିଅର୍ସ-ସାଣ୍ଡର୍ସ ଜିତିଲେ ମିଶ୍ରିତ ଯୁଗଳ ଟ୍ରଫି

ମହିଳା ଏକକ ଫାଇନାଲ୍‌ରେ ଜାବିଉରଙ୍କୁ ହରାଇଲେ, ପିଅର୍ସ-ସାଣ୍ଡର୍ସ ଜିତିଲେ ମିଶ୍ରିତ ଯୁଗଳ ଟ୍ରଫି

ୟୁଏସ୍‌ ଓପନ୍‌: ସ୍ବିତେକ ନୂଆ ବିଜୟିନୀ

ନ୍ୟୁୟର୍କ: ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ୍‌ ମହିଳା ଏକକ ବିଜୟିନୀ ହୋଇଛନ୍ତି। ଶନିବାର ରାତିରେ ଚଳିତ ୟୁଏସ୍‌ ଓପନ୍‌ ମହିଳା ଏକକ ଫାଇନାଲ୍‌ରେ ଏହି ପୋଲାଣ୍ଡ ମହିଳା ୬-୨, ୬-୭ (୫) ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ତୁନିସିଆର ଓନ୍ସ ଜାବିଉରଙ୍କୁ ପରାସ୍ତ କରି ଟ୍ରଫି ପରାୟତ୍ତ କରିଥିଲେ। ଏଥି ସହିତ ସ୍ବିତେକ୍‌ ମଧ୍ୟ ୨.୬ ମିଲିୟନ୍‌ ଆମେରିକୀୟ ଡଲାର ପୁରସ୍କାର ରାଶିର ଚେକ୍‌ ଗ୍ରହଣ କରିଥିଲେ। ଫ୍ଲୁସିଂ ମିଡୋଜ୍‌ରେ ୨୧ ବର୍ଷୀୟା ସ୍ବିତେକଙ୍କ ଏହା ପ୍ରଥମ ଏବଂ ମୋଟରେ ତୃତୀୟ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି। ଏହା ପୂର୍ବରୁ ସେ ଦୁଇ ଥର ଫ୍ରେଞ୍ଚ ଓପନ୍‌ ଜିତିଥିଲେ। ସ୍ବିତେକ୍‌ ମଧ୍ୟ ପ୍ରଥମ ପୋଲାଣ୍ଡ ମହିଳା ଭାବେ ୟୁଏସ୍‌ ଓପନ୍‌ ଟ୍ରଫି କରାୟତ୍ତ କରିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଆରବ ମହିଳା ଭାବେ ୱିମ୍ବଲଡନ୍‌ ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଥିବା ଜାବିଉର ମଧ୍ୟ ଏଠାରେ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ ମଧ୍ୟ ପ୍ରଥମ ଆଫ୍ରିକୀୟ ମହିଳା ଭାବେ ଫାଇନାଲ୍‌ ଖେଳିବାର ଗୌରବ ବହନ କରିଥିଲେ।

ଶନିବାର ପୂରା ଜୋସ୍‌‌ରେ କୋର୍ଟକୁ ଓହ୍ଲାଇଥିବା ସ୍ବିତେକ ନିଜର ତ୍ରୁଟିଶୂନ୍ୟ ସର୍ଭିସ ଏବଂ ଶାଣୀତ ଗ୍ରାଉଣ୍ଡ ସଟ୍‌ ବଳରେ ଜାବିଉରଙ୍କୁ ଭାରି ପଡ଼ିଥିଲେ। ଆରମ୍ଭରୁ ସେ ୩-୦ରେ ଆଗ୍ରଣୀ ନେଇଥିଲେ। ଏହାପରେ ଜାବିଉର ଲଗାତାର ଦୁଇଟି ଗେମ୍ ଜିତି ସ୍ଥିତି ୨-୩ କରିଥିଲେ। ହେଲେ ସ୍ବିତେକ ପୁଣି ଜାବିଉରଙ୍କ ଲୟ ଭାଙ୍ଗି ୩୦ ମିନିଟ୍‌ରେ ପ୍ରଥମ ସେଟ୍‌ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ କିନ୍ତୁ କଡ଼ା ସଂଘର୍ଷ ହୋଇଥିଲା। ଏହି ସେଟ୍‌ ଟାଇବ୍ରେକ୍‌କୁ ଯାଇଥିଲା। ଟାଇବ୍ରେକ୍‌ରେ ଜାବିଉର କିଛି ତ୍ରୁଟି କରିଦେବାରୁ ସ୍ବିତେକ ବିଜୟୀ ହେବା ସହଜ ‌ହୋଇଥିଲା। ଏଥିସହ ଜାବିଉରଙ୍କ ବିପକ୍ଷରେ ସ୍ବିତେକ ନିଜର କ୍ୟାରିୟର ବିଜୟ ବ୍ୟବଧାନକୁ ୩-୨ରେ ପହଞ୍ଚାଇଥିଲେ। ‘‘ମୁଁ ସ୍ଥିର ଏବଂ ଲୟ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲି। ଏହା ନ୍ୟୁୟର୍କ, ଏଠାରେ ଗହଳି ଲାଗି ରହିଥିଲା ବେଳେ ଟେନିସ ପାଗଳଙ୍କ ସଂଖ୍ୟା ଅଧିକ। ମୁଁ ଗର୍ବିତ ଯେ ଏସବୁ ଭିତରେ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି’’ ବିଜୟ ପରେ ସ୍ବିତେକ କହିଥିଲେ।

ପିଅର୍ସ-ସାଣ୍ଡର୍ସ ଜିତିଲେ ମିଶ୍ରିତ ଯୁଗଳ ଟ୍ରଫି

publive-image

ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳରେ ଜନ୍‌ ପିୟର୍ସ ଓ ଷ୍ଟ୍ରମ ସାଣ୍ଡର୍ସ ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ଏହି ଅଷ୍ଟ୍ରେଲୀୟ ଯୋଡ଼ି ୪-୬, ୬-୪, ୧୦-୭ ସେଟ୍‌ରେ ବେଲ୍‌ଜିଅମ ଓ ଫ୍ରାନ୍ସ ଯୋଡ଼ି କିର୍ଷ୍ଟନ ଫ୍ଲିକେନ୍ସ ଓ ଏଡୁଆର୍ଡ ରୋଜର-ଭାସେଲିନ୍‌ଙ୍କୁ ପରାସ୍ତ କରିଥିଲେ। ପିୟର୍ସ ଓ ସାଣ୍ଡର୍ସ ଯୋଡ଼ିଙ୍କ ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି। ଏଥିସହ ୨୦୦୧ ପରେ ପ୍ରଥମ ଅଷ୍ଟ୍ରେଲୀୟ ଯୋଡ଼ି ଭାବେ ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳ ଟ୍ରଫି କରାୟତ୍ତ କଲେ। ଅନ୍ୟପକ୍ଷରେ ପିୟର୍ସଙ୍କ ଏହା ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି। ପୂର୍ବରୁ ପିୟର୍ସ ୨୦୧୭ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁ‌ଷ ଯୁଗଳ ଟ୍ରଫି ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe