ରହସ୍ୟମୟ ସ୍ପିନ୍ ବୋଲିଂରେ ପ୍ରତିପକ୍ଷ ବ୍ୟାଟର୍ଙ୍କୁ ଅନାୟସରେ ଜାଲରେ ଫଶାଇ ଦେଉଥିବା ଭାରତୀୟ ବୋଲର୍ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା। ଭାରତ ଚାମ୍ପିଅନ୍ସ ଟ୍ରଫି ବିଜେତା ହେବାରେ ଏହି ୩୩ ବର୍ଷୀୟ ବୋଲରଙ୍କ ପ୍ରମୁଖ ଅବଦାନ ରହିଥିଲା। ସେ ଦୁବାଇରେ ୩ ମ୍ୟାଚ୍ ଖେଳି ଗୋଟିଏ ୫ ୱିକେଟ୍ ସଫଳତା ସହ ୯ ୱିକେଟ୍ ଅକ୍ତିଆର କରିଥିଲେ। ଖୁବ୍ କମ୍ ଦିନ ଭିତରେ ଜଣେ ସଫଳ କ୍ରିକେଟର୍ ହୋଇ ପାରିଥିବା ବରୁଣ ବହୁମୁଖୀ ପ୍ରତିଭାର ଅଧିକାରୀ।
କ୍ରିକେଟ୍ କ୍ୟାରିୟର୍ ଆରମ୍ଭ କରିବା ପୂର୍ବରୁ ଏକ କ୍ରୀଡ଼ାଭିତ୍ତିକ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମଧ୍ୟ କିଣି ଦେଇଥିଲେ ସେ। ଏହି ଚଳଚ୍ଚିତ୍ରଟି ୧୧ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ମୁକ୍ତିଲାଭ କରିଥିଲା। ୬ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ବରୁଣ ବିଷ୍ଣୁ ବିଶାଳ ଓ ଶ୍ରୀଦିବ୍ୟା ଅଭିନୀତ ଚଳିଚ୍ଚିତ୍ର ‘ଜିଭା’ରେ ଜଣେ କ୍ରିକେଟର୍ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟି ଜଣେ କ୍ରିକେଟର୍ଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ଉପରେ ଆଧାରିତ ଥିଲା। ଶୀର୍ଷ ସ୍ତରରେ ପହଞ୍ଚିବା ପୂର୍ବରୁ ଜଣେ କ୍ରିକେଟର୍ଙ୍କୁ କିଭଳି ସଂଘର୍ଷ କରିବାକୁ ପଡ଼େ ତାହା ଏଥିରେ ନିଖୁଣ ଭାବେ ଦର୍ଶାଯାଇଥିଲା। ଏହି ଚଳଚ୍ଚିତ୍ରଟି ଜୁନ୍ ୨୦୨୩ରେ ଲୋକପ୍ରିୟ ତାମିଲ ସୋ’ କୁକୁ ୱିଥ୍ କୋମାଲିରେ ବି ପ୍ରଦର୍ଶନ ହୋଇଥିଲା।
କ୍ରିକେଟ୍କୁ ଭଲ ପାଉଥିବା ବରୁଣ ଏସ୍ଆର୍ଏମ୍ ବିଶ୍ବବିଦ୍ୟାଳୟରୁ ସ୍ଥାପତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୨୬ ବର୍ଷ ବୟସରେ ପେସାଗତ କ୍ରିକେଟ୍ ଆରମ୍ଭ କରିବା ପୂର୍ବରୁ ସେ ସ୍ଥାପତ୍ୟରେ କ୍ୟାରିୟର କରିଥିଲେ। ସେ ବୋଲର୍ ନୁହେଁ ଜଣେ ୱିକେଟ୍କିପର ବ୍ୟାଟର୍ ଭାବେ କ୍ରିକେଟ୍କୁ ଆସିଥିଲେ। ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏହାପରଠୁ ସେ ଆଉ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ। ଏହା ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନରେ ସେ ଭାରତୀୟ ଦଳ ଲାଗି ବଡ଼ ସମ୍ପତ୍ତି ପାଲଟି ଯାଇଛନ୍ତି।
Follow Us