Sporting News
ବୁଦାପେଷ୍ଟ : ବିଶ୍ବ ବିଜେତା ମାକ୍ସ ଭର୍ଷ୍ଟାପେନ୍ ରବିବାର ଏଠାରେ ଆୟୋଜିତ ହଙ୍ଗେରିଆନ ଗ୍ରାଁ ପ୍ରି ଫର୍ମୁଲା ୱାନ୍ ରେସ୍ ଜିତି ନେଇଛନ୍ତି। ଏଥି ସହିତ ସେ ଫେରାରି ବିପକ୍ଷରେ ପୂରା ଫାଇଦା ଉଠାଇ ରେଡ୍ ବୁଲ୍କୁ ବିଜୟ ଭେଟି ଦେଇଛନ୍ତି। ଠିକ୍ ଗୋଟିଏ ସପ୍ତାହ ପୂର୍ବରୁ ଫ୍ରେଞ୍ଚ୍ ଗ୍ରାଁ ପ୍ରି ବିଜେତା ହୋଇଥିବା ନେଦରଲାଣ୍ଡ୍ର ୨୪ ବର୍ଷ ବୟସ୍କ ଭର୍ଷ୍ଟାପେନ୍ ହଙ୍ଗେରିରେ ମଧ୍ୟ ପ୍ରଥମ ସଫଳତା ହାତେଇଛନ୍ତି। ସେ ୧୦ମ ଗ୍ରିଡ୍ରୁ ରେସ୍ ଆରମ୍ଭ କରିଥିଲା ବେଳେ ମର୍ସିଡେଜ୍ ଚାଳକ ଲୁଇସ୍ ହାମଇଲଟନ୍ ଏବଂ ଜର୍ଜ ରସେଲଙ୍କଠୁ ୭.୮ ସେକେଣ୍ଡ ପୂର୍ବରୁ ରେସ୍ ଶେଷ କରିଥିଲେ। ଏହି ବିଜୟ ସହିତ ଭର୍ଷ୍ଟାପେନ୍ ଚାମ୍ପିଅନ୍ସିପ୍ ତାଲିକାରେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଚାର୍ଲସ ଲେକ୍ଲେର୍କଙ୍କଠାରୁ ୮୦ ପଏଣ୍ଟ୍ ଆଗରେ ରହିଛନ୍ତି।
ଲେକ୍ଲେର୍କ ରବିବାର ରେସ୍ରେ ଫେରାରୀ ଦଳୀୟ ସାଥୀ କାର୍ଲୋସ ସେଞ୍ଜ୍ ଓ ସର୍ଗି ପେରେଜ୍ଙ୍କ ପଛକୁ ଷଷ୍ଠ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ଭର୍ଷ୍ଟାପେନ୍ ଚଳିତ ଋତୁର ଅଷ୍ଟମ ଏବଂ ମୋଟ ଉପରେ କ୍ୟାରିୟରର ୨୮ତମ ବିଜୟ ହାସଲ କରିଛନ୍ତି। ମ୍ୟାକ୍ଲେରେନ୍ର ଲାଣ୍ଡୋ ନୁରିସ୍ ଦୁଇ ଥର ବିଜେତା ଫର୍ଣ୍ଣାଣ୍ଡୋ ଆଲୋଁସୋ ଓ ତାଙ୍କ ଅଲ୍ପାଇନ ଦଳୀୟ ସାଥୀ ଇଷ୍ଟେବନ ଓକୋନ ଏବଂ ୪ ଥର ବିଜେତା ଅଷ୍ଟନ ମାର୍ଟିନ୍ର ସେବାସ୍ତିଆନ ଭିଟେଲଙ୍କ ପଛକୁ ସପ୍ତମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ହଙ୍ଗେରିରେ ନବମ ବିଜୟ ଲକ୍ଷ୍ୟରେ ରହିଥିବା ହାମିଲଟନ୍ ରେସ୍ ବିଜେତା ହୋଇନଥିଲେ ମଧ୍ୟ କ୍ରମାଗତ ଭାବେ ପଞ୍ଚମ ପୋଡିୟମ୍ ଫିନିସ୍ କରିଥିବାରୁ ତାଙ୍କ ଦଳକୁ ପ୍ରଶଂସା କରିଥିଲେ।
Follow Us