Image Courtesy of India Today
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳ ବିପକ୍ଷରେ ସ୍ମରଣୀୟ ଶୃଙ୍ଖଳା ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତୀୟ ଦଳକୁ ଭୂୟସୀ ପ୍ରଶଂସା କରିଛନ୍ତି। ଟିମ୍ ଇଣ୍ଡିଆର ଏହି ବିଜୟ ଦେଶର ଯୁବ ପିଢ଼ିକୁ ଖୁବ୍ ପ୍ରେରିତ କରିବ ବୋଲି ମୋଦୀ କହିଛନ୍ତି। କଙ୍ଗାରୁ ଦେଶ ଗସ୍ତ ଅବସରରେ ଏକାଧିକ ଆହ୍ବାନର ସମ୍ମୁଖୀନ ହେବା ସତ୍ତ୍ବେ ସେମାନଙ୍କ ଦକ୍ଷତା ଓ ଏକାଗ୍ରତା ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରିଥିଲା ବୋଲି ତେଜ୍ପୁର ବିଶ୍ବବିଦ୍ୟାଳୟର ଅଷ୍ଟାଦଶ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ମୋଦୀ କହିଥିଲେ। ଟିମ୍ ଇଣ୍ଡିଆ ଆରମ୍ଭରୁ ପରାଜୟ ବରଣ କରିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତ୍ତୀ ଟେଷ୍ଟ୍ ଜିତିଥିଲା।
ଏକାଧିକ ଖେଳାଳି ଆହତ ସତ୍ତ୍ବେ ଦୃଢ଼ ମନୋବଳ ଦେଖାଇଥିଲେ। ସେମାନେ ନିଜ ମୁଣ୍ଡ ଉପରକୁ କରି ଆହ୍ବାନକୁ ଗ୍ରହଣ କରିଥିଲେ। କଷ୍ଟକର ପରିସ୍ଥିତିରେ ଭାଙ୍ଗି ନପଡ଼ି ଭାରତୀୟ ଖେଳାଳିମାନେ ତାଜା ମନୋଭାବ ନେଇ ଲଢ଼ିଥିଲେ। ଶେଷରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ପରାଜୟ ପାଇଁ ବାଧ୍ୟ କରିଥିଲେ ବୋଲି ମୋଦୀ କହିଛନ୍ତି। ବିଶେଷକରି ଅଧଡଜନରୁ ଅଧିକ ଅନଭିଜ୍ଞ ଖେଳାଳି ଶେଷ ଦୁଇଟି ଟେଷ୍ଟ୍ ଖେଳିଥିଲେ ମଧ୍ୟ ସେମାନଙ୍କ ମାନସିକତା ଢେର ଉଚ୍ଚା ରହିଥିଲା। ଯାହା ଶୃଙ୍ଖଳା ଶେଷରେ ସ୍ପଷ୍ଟ ହୋଇଯାଇଥିଲା। ଗାବାରେ ମଧ୍ୟ ଟିମ୍ ଇଣ୍ଡିଆ ପ୍ରଥମ ଏସୀୟ ଦଳ ଭାବେ ଅଷ୍ଟ୍ରେଲିଆକୁ ହରାଇବାର ଗୌରବ ବହନ କଲା। ପୁଣି ୧୯୮୮ ପରେ ଅଷ୍ଟ୍ରେଲିଆକୁ ଗାବାରେ ପ୍ରଥମ ପରାଜୟ ଭେଟିଦେଲା। ତେଣୁ ଟିମ୍ ଇଣ୍ଡିଆକୁ ଏଭଳି ଦମ୍ଦାର ପ୍ରଦର୍ଶନ ପାଇଁ ସଲାମ ବୋଲି ମୋଦୀ କହିଛନ୍ତି। ଏହି ଅବସରରେ ମୋଦୀ ମଧ୍ୟ ତିନିଟି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ସଂକେତ ଦେଇଛନ୍ତି। ତାଙ୍କ କହିବା କଥା ହେଲା, ପ୍ରଥମତଃ ଆମେ ଆମର ସାମର୍ଥ୍ୟ ଉପରେ ଆସ୍ଥା ଓ ବିଶ୍ବାସ ରଖିବା ଉଚିତ। ଦ୍ବିତୀୟରେ ଏକ ସକାରାତ୍ମକ ମନୋଭାବ ବଡ଼ ସକାରାତ୍ମକ ଫଳ ଆଣି ଦେଇଥାଏ। ତୃତୀୟ ତଥା ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ମୋଦୀ କହିଥିଲେ, ଯଦି ଜଣେ ଦୁଇଟି ବିକଳ୍ପ (ନିରାପତ୍ତା ଓ କଷ୍ଟକର ବିଜୟ)ର ସାମ୍ନା କରେ ତାହାଲେ ସେ ବିଜୟକୁ ହିଁ ଶ୍ରେଷ୍ଠ ବିକଳ୍ପ ଭାବେ ନିଶ୍ଚିତ ଗ୍ରହଣ କରିବ। ଯାହାକି ଟିମ୍ ଇଣ୍ଡିଆ ପ୍ରମାଣିତ କରିଦେଇଛି ବୋଲି ମୋଦୀ କହିଛନ୍ତି। ଆମେ ଯଦି ବିଫଳତାର ଭୟ ଏବଂ ଅନାବଶ୍ୟକ ଚାପକୁ ଏଡ଼ାଇପାରିଲେ ଆମେ ନିର୍ଭୟ ରହିପାରିବା ବୋଲି ମୋଦୀ କହିଛନ୍ତି।
Follow Us