Ranji Trophy: ସ୍ବସ୍ତିକ-ଶୁଭ୍ରାଂଶୁଙ୍କ ଶତକ ପରେ ବିଜୟ ବାସ୍ନା: ତୃତୀୟ ୱିକେଟ୍‌ରେ ଓଡ଼ିଶାର ରେକର୍ଡ ଭାଗୀଦାର

କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା-ନାଗାଲାଣ୍ଡ୍ ରଣଜୀ ଟ୍ରଫି ମ୍ୟାଚ୍‌ରେ ଘରୋଇ ଦଳ ବିଜୟ ବାସ୍ନା ପାଇଛି। ଯୁବ ଓପନର୍‌ ସ୍ବସ୍ତିକ ସାମଲ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ବହୁ ପ୍ରତୀକ୍ଷିତ ଶତକ ପରେ ଓଡ଼ିଶା ଭ୍ରମଣକାରୀ ନାଗାଲାଣ୍ଡ୍‌ ସମ୍ମୁଖରେ ୪୬୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Untitled-33

ଭୁବନେଶ୍ବର: କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା-ନାଗାଲାଣ୍ଡ୍ ରଣଜୀ ଟ୍ରଫି ମ୍ୟାଚ୍‌ରେ ଘରୋଇ ଦଳ ବିଜୟ ବାସ୍ନା ପାଇଛି। ଯୁବ ଓପନର୍‌ ସ୍ବସ୍ତିକ ସାମଲ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ବହୁ ପ୍ରତୀକ୍ଷିତ ଶତକ ପରେ ଓଡ଼ିଶା ଭ୍ରମଣକାରୀ ନାଗାଲାଣ୍ଡ୍‌ ସମ୍ମୁଖରେ ୪୬୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ନାଗାଲାଣ୍ଡ୍‌ ତୃ୍ତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୪୧ ରନ୍ କରିଛି। ବିଜୟ ପାଇଁ ଅର୍ଥାତ୍ ସମ୍ପୂର୍ଣ୍ଣ ୬ ପଏଣ୍ଟ୍ ପାଇଁ ବୁଧବାର ଓଡ଼ିଶାକୁ ୯ ୱିକେଟ୍ ଏବଂ ନାଗାଲାଣ୍ଡ୍‌କୁ ଆଉ ୪୨୪ ରନ୍‌ ଆବଶ୍ୟକ ହେଉଛି। ଦ୍ବିତୀୟ ଦିବସରେ ୧୫ ୱିକେଟ୍‌ର ପତନ ପରେ ବଢ଼ିଥିବା ରୋମାଞ୍ଚ କିନ୍ତୁ ତୃତୀୟ ଦିନରେ ମାତ୍ର ୪ ୱିକେଟ୍ ପତନ କାରଣରୁ ଶିଥିଳ ହୋଇଯାଇଛି। ସିଜନ ସାରା ସଂଘର୍ଷ କରୁଥିବା ଓଡ଼ିଶା ଏହି ମ୍ୟାଚ୍‌ରେ କିନ୍ତୁ ଏକାଧିକ ପ୍ରଥମ ଅର୍ଜନ କରିଛି। ପ୍ରଥମ ଥର କୌଣସି ବ୍ୟାଟର୍‌ ଶତକ ଅର୍ଜନ କରିବା, ପ୍ରଥମ ଥର ପ୍ରଥମ ପାଳିରେ ଅଗ୍ରଣୀ ନେବା ଏବଂ ପ୍ରଥମ ଥର ୩୦୦ ରନ୍ ଅତିକ୍ରମ କରିବା ଦେଖିବାକୁ ମିଳିଛି। ଗୋଟିଏ ପାଳିରେ ୩ ଜଣ ଶତକ ଅର୍ଜନ କରିବା ଭଳି ବିରଳ ସଫଳତା ବି ଦେଖାଇଛି କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌। କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବି ପ୍ରଥମ ବିଜୟ ପାଇବାର ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି। 

ମଙ୍ଗଳବାର ସ୍ବସ୍ତିକ ସାମଲ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅସୀମ ‌ଧୈର୍ଯ୍ୟ ଓ ସଂଯମତା ଦେଖାଇ ପ୍ରଥମରୁ ନାଗାଲାଣ୍ଡ୍ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ସ୍ପିନ୍‌-ପେସ୍‌ ମିଳିତ ଆକ୍ରମଣକୁ ଜାରି ରଖିଥିବା ନାଗାଲାଣ୍ଡ୍‌ ବୋଲର ବି କ୍ରମେ ଉନ୍ନତ ହେଉଥିବା ପିଚ୍‌ରୁ ଫାଇଦା ପାଇନଥିଲେ। ଶୁଭ୍ରାଂଶୁ ଦାୟିତ୍ବପୂର୍ଣ୍ଣ ପାଳି‌ ଖେଳିଥିବାବେଳେ ସ୍ବସ୍ତିକ ଅପେକ୍ଷାକୃତ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ଉଭୟ ୫୨ ଓଭର ଖେଳି ୨୬୧ ରନ୍ ଯୋଡ଼ିବା ଓଡ଼ିଶା ପାଇଁ ତୃତୀୟ ୱିକେଟ୍‌ରେ ନୂଆ ରେକର୍ଡ ସୃଷ୍ଟି କରିଥିଲା। ରଣଜୀ ଟ୍ରଫି ଇତିହାସରେ ଏହା ଓଡ଼ିଶା ପାଇଁ  ଦ୍ବିତୀୟ ସର୍ବୋଚ୍ଚ ଏବଂ ତୃତୀୟ ୱିକେଟ୍‌ ପାଇଁ ସର୍ବୋଚ୍ଚ ହୋଇଛି। ୧୦ ବର୍ଷ ତଳେ ରୋହତକଠାରେ ହରିୟାଣା ବିପକ୍ଷରେ ନଟରାଜ ବେହେରା ଓ ରଂଜିତ ସିଂହ ଦ୍ବିତୀୟ ୱିକେଟ୍‌ ପାଇଁ ସଂଗ୍ରହ କରିଥିବା ୨୮୧ ରନ୍ ଶୀର୍ଷରେ ରହିଛି। ଏହା ପୂର୍ବରୁ କିନ୍ତୁ ତୃତୀୟ ୱିକେଟ୍‌ ପାଇଁ ସର୍ବୋଚ୍ଚ ଭାଗୀଦାର ଥିଲା ଶୁଭ୍ରାଂଶୁ ସେନାପତି ଓ ରଂଜିତ ସିଂହ (୨୩୩ ବନାମ ରାଜସ୍ଥାନ, ପାତିଆଲା, ୨୦୧୬)ଙ୍କ ନାମରେ।

ତୃତୀୟ ୱିକେଟ୍‌ରେ ଓଡ଼ିଶାର ରେକର୍ଡ ଭାଗୀଦାର, ପଞ୍ଚମ ମ୍ୟାଚ୍‌ରେ ପୂରା ହେଲା ସିଜନର୍‌ ଏକାଧିକ ପ୍ରଥମ

ମଙ୍ଗଳବାର ସ୍ବସ୍ତିକ ନିଜ ଖେଳ ଜୀବନର ଦ୍ବିତୀୟ ଶତକ ଏବଂ ଶ୍ରେଷ୍ଠ ପାଳି ଖେଳିଥିଲେ। ପୂର୍ବରୁ ତାଙ୍କ ଏକମାତ୍ର ଶତକ ୧୧୮ ରନ୍ ଥିବାବେଳେ ମଙ୍ଗଳବାର ସେ ୧୬୯ ରନ୍‌ କରିଥିଲେ। ଏଥି ପାଇଁ ସେ ମାତ୍ର ୧୯୫ ବଲ୍‌ ଖେଳିବା ସହ ୧୧ ଚୌକା ଓ ୬ ଛକାର ସହାୟତା ନେଇଥିଲେ। ଝିମୋମିଙ୍କୁ ଛକା ମାରିବାର ଗୋଟିଏ ବଲ୍ ପରେ ସେ ମିଡ୍‌ୱିକେଟ୍‌ ବାଉଣ୍ଡରିରେ ଧରାପଡ଼ିଥିଲେ ମଧ୍ୟ ଏହା ନୋ ବଲ୍‌ ଘୋଷିତ ହୋଇଥିଲା। ଶେଷରେ ସ୍ବସ୍ତିକଙ୍କ ପାଳିକୁ ନାଗାଲାଣ୍ଡ୍‌ ଅଧିନାୟକ ରଙ୍ଗସେନ୍‌ ଜୋନାଥନ୍ ରିଟର୍ଣ୍ଣ କ୍ୟାଚ୍‌ରେ ଶେଷ କରିଥିଲେ। ଗୋବିନ୍ଦ ପୋଦ୍ଦାରଙ୍କ ରନ୍‌ ସଂଘର୍ଷ ଜାରି ରହିଥିଲା। ୨୨ ବଲ୍‌ରୁ ୧୨ ରନ୍ କରି ସ୍ପିନର୍‌ ଝିମୋମିଙ୍କ ବୋଲିଂରେ ମିଡ୍‌ଅନ୍‌ରେ ରୂପେରୋଙ୍କୁ କ୍ୟାଚ୍‌ ଦେଇ ଫେରିଆସିଥିଲେ ସେ। ଚା’ପାନ ବିରତି ପୂର୍ବରୁ ମଧ୍ୟ ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରତିପକ୍ଷ ଅଧିନାୟକ ରଙ୍ଗ୍‌ସେନ୍‌ ଜୋନାଥନ୍‌ଙ୍କ ବଲ୍‌କୁ ମିଡ୍ଅନ୍‌ ପଠାଇ ଏକ ରନ୍‌ ସହ ନିଜ ନବମ ଶତକ ହାସଲ କରିଥିଲେ। ବିରତି ପରେ ଦ୍ରୁତ ରନ୍ ସଂଗ୍ରହ କରିବା ଯୋଜନାରେ ଥିବା ଓଡ଼ିଶା ଶୁଭ୍ରାଂଶୁ (୧୩୭ ରନ୍‌, ୧୬୮ ବଲ୍‌, ୧୧ ଚୌକା, ୪ ଛକା)ଙ୍କୁ ହରାଇବା ମାତ୍ରେ ପାଳି ଘୋଷଣା କରି ଦେଇଥିଲା। ସମ୍ବିତ ବରାଳ (୧୬ ବଲ୍‌ରୁ ୧୯* ରନ୍, ୨ ଛକା) ଅପରାଜିତ ରହିଥିଲେ। ୪୬୫ ରନ୍‌ର ପାହାଡ଼ିଆ ଲକ୍ଷ୍ୟ ପାଇବା ପରେ ନାଗାଲାଣ୍ଡ୍‌କୁ ନବମ ଓଭରରେ ଯୁବ ସ୍ପିନର ବାଦଲ ବିଶ୍ବାଳ ପ୍ରଥମ ଝଟ୍‌କା ଦେଇଛନ୍ତି। ପାର୍ଶ୍ବ ପରିବର୍ତନ କରି କିଟ୍‌ ବିଶ୍ବବିଦ୍ୟାଳୟ ଏଣ୍ଡ୍‌ରେ ବୋଲିଂ କରିବାର ପ୍ରଥମ ବଲ୍‌ରେ ସେଦଜାଲେ ରୂପେରୋ (୪)ଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ। ଦିନର ୧୮ ଓଭରରେ କିନ୍ତୁ ନାଗାଲାଣ୍ଡ୍‌ ଏହି ଏକମାତ୍ର ୱିକେଟ୍‌ ହରାଇ ଡ୍ର’ ଆଶା କାଏମ ରଖିଛି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି-୨୭୫ (ଅନିଲ ପରିଡ଼ା-୧୧୮*, ବିପ୍ଳବ ସାମନ୍ତରାୟ-୯୨, ଇମଲିୱତି ଲେମତୁର-୩/୨୬, ରୋନିତ ମୋରେ-୩/୬୪, ରଙ୍ଗ୍‌ସେନ୍‌ ଜୋନାଥନ୍-୩/୬୭, ଦୀପ ବୋରା-୧/୩୪)। ନାଗାଲାଣ୍ଡ୍‌ ପ୍ରଥମ ପାଳି: ୧୬୧ (ନିଶ୍ଚଲ ଡିଗା-୭୨,  ଗୋବି‌ନ୍ଦ ପୋଦ୍ଦାର-୩/୨୨, ସମ୍ବିତ ବରାଳ-୩/୩୩, ରାଜେଶ ମହାନ୍ତି-୩/୪୯, ତାପସ ଦାସ-୧/୧୭)। ଓଡ଼ିଶା ଦ୍ବିତୀୟ ପାଳି: ୭୧ ଓଭରରେ ୩୫୦/୫, ଘୋଷଣା (ସ୍ବସ୍ତିକ ସାମଲ-୧୬୯, ଶୁଭ୍ରାଂଶୁ ସେନାପତି-୧୩୭, ସମ୍ବିତ ବରାଳ-୧୯*, ବିନୋ ଝିମୋମି-୨/୭୯, ରଙ୍ଗସେନ୍‌ ଜୋନାଥନ୍-୨/୧୦୮, ଇମଲିୱତି ଲେମତୁର-୧/୭୧)। ନାଗାଲାଣ୍ଡ୍‌ ଦ୍ବିତୀୟ ପାଳି (ଲକ୍ଷ୍ୟ ୪୬୫): ୧୮ ଓଭରରେ ୪୧/୧ (ହେମ ଛେତ୍ରୀ-୨୦*, ଡି ନିଶ୍ଚଲ-୧୭*, ବାଦଲ ବିଶ୍ବାଳ-୧/୧୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe