ବିଶାଖାପା‌ଟଣାରେ ବିଜୟ: ଦକ୍ଷିଣ ଆଫ୍ରିକା ୪୮ ରନ୍‌ରେ ପରାସ୍ତ, ଚହଲ ଶ୍ରେଷ୍ଠ ଖେଳାଳି, ଶୃଙ୍ଖଳା ଜୀବନ୍ତ

Advertisment

ଋତୁରାଜ-ଈଶାନ ପକାଇଲେ ଦୃଢ଼ ମୂଳଦୁଆ

ଋତୁରାଜ-ଈଶାନ ପକାଇଲେ ଦୃଢ଼ ମୂଳଦୁଆ

ବିଶାଖାପା‌ଟଣାରେ ବିଜୟ: ଦକ୍ଷିଣ ଆଫ୍ରିକା ୪୮ ରନ୍‌ରେ ପରାସ୍ତ, ଚହଲ ଶ୍ରେଷ୍ଠ ଖେଳାଳି, ଶୃଙ୍ଖଳା ଜୀବନ୍ତ

ବିଶାଖାପାଟଣା: ଠିକଣା ସମୟରେ ଫର୍ମକୁ ଫେରିଛି ଭାରତ। ଦୁଇଟି ପରାଜୟ ପରେ ନିର୍ଣ୍ଣାୟକ ତୃତୀୟ ଟ୍ବେଣ୍ଟି-୨୦କୁ ୪୮ ରନ୍‌ର ବଡ଼ ବ୍ୟବଧାନରେ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିଛି। ତଥାପି ପାଞ୍ଚ ଟିକିଆ ଶୃଙ୍ଖଳାରେ ୧-୨ରେ ପଛୁଆ ରହିଛି। ଋଷଭ ପନ୍ତଙ୍କ ନେତୃତ୍ବରେ ଯୁବ ଦଳକୁ ନେଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ଖେଳୁଥିବା ଭାରତ ଏହା ପୂର୍ବରୁ ଦିଲ୍ଲୀ ଏବଂ କଟକରେ ହାରିଥିଲା। ସେଥିପାଇଁ ଶୃଙ୍ଖଳା ବଞ୍ଚାଇବା ଲାଗି ମଙ୍ଗଳବାରର ତୃତୀୟ ମୁକାବିଲାରେ କର ବା ମର ସ୍ଥିତିରେ ଥିଲା। ଆଉ ଏଥିରେ ଉଭୟ ବଲ୍ ଏବଂ ବ୍ୟାଟ୍‌ରେ ଲଢ଼ୁଆ କ୍ରିକେଟ୍ ଖେଳି ଆତ୍ମବିଶ୍ବାସ ଫେରି ପାଇବା ସହ ଶୃଙ୍ଖଳା ବଞ୍ଚାଇ ନେବାର ଯୁଗଳ ସଫଳତା ଲାଭ କରିଛି। ବିଶାଖାପାଟଣାରେ ବିଜୟ ଖାତା ଖୋଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ରେକର୍ଡରେ ବି କିଛିଟା ସୁଧାର ଆଣିଛି। ପନ୍ତଙ୍କ ନେତୃତ୍ବରେ ଏହା ମଧ୍ୟ ଭାରତର ପ୍ରଥମ ବିଜୟ।

ଆଜି ଦକ୍ଷିଣ ଆଫ୍ରିକାକୁ ଭାରତ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଓପନର ଦୃଢ଼ ମୂଳଦୁଆ ପକାଇବା‌ ପରେ ଶେଷ ଆଡ଼କୁ ଦ୍ରୁତ ରନ୍ ଯୋଡ଼ି ପ୍ରତିପକ୍ଷକୁ ପରୀକ୍ଷାରେ ପକାଇଥିଲା। ଏହା ପରେ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ନେତୃତ୍ବରେ ନିୟମିତ ବ୍ୟବଧାନରେ ୱିକେଟ୍ କରାୟତ୍ତ କରି ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୩୧ ରନ୍‌ରେ ସୀମିତ ରଖିଥିଲା। ଭାରତର ଘାତକ ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକାର ଜଣେ ହେଲେ ବି ବ୍ୟାଟର୍‌ ୩୦ ରନ୍ ଛୁଇଁ ପାରି ନଥିଲେ। ବାରବାଟୀରେ ବିସ୍ଫୋରକ ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିବା ହେନରିକ୍ କ୍ଲା‌ସେଁ ସର୍ବାଧିକ ୨୯ ରନ୍ କରିଥିଲେ। ତେବେ ବିପଜ୍ଜନକ ହେବା ପୂର୍ବରୁ ଚହଲ ଚତୁରତାର ସହ ତାଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ।

ଋତୁରାଜ-ଈଶାନ ପକାଇଲେ ଦୃଢ଼ ମୂଳଦୁଆ
ଶୃଙ୍ଖଳାରେ ଲଗାତାର ତୃତୀୟ ଥର ପାଇଁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା ଭାରତ। ପ୍ରଥମ ଦୁଇ ମ୍ୟାଚ୍ ବିବରୀତ ଦୁଇ ଯୁବ ଓପନର ଈଶାନ କିଶନ (୫୪) ଓ ଋତୁରାଜ ଗାଏକ୍ବାଡ୍ (୫୭) ପ୍ରଥମ ୱିକେଟ୍‌ରେ ୯୭ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଅନରିକ ନର୍ଖିୟାଙ୍କ ଗୋଟିଏ ଓଭରରୁ ୫ ଚୌକା ଅମଳ କରିଥିବା ଗାଏକ୍ବାଡ୍ ମାତ୍ର ୩୦ ବଲ୍‌ରୁ ନିଜ ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ମଧ୍ୟ ତାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ତେବେ ଉଭୟ ଶୃଙ୍ଖଳାର ପ୍ରଥମ ଶତକୀୟ ଓପନିଂ ଭାଗୀଦାରି ଦିଗରେ ଅବସର ହେଉଥିଲା ବେଳେ ଗାଏକ୍ବାଡ୍‌ଙ୍କୁ କଟ୍ ଆଣ୍ଡ ବୋଲ୍ଡ କରି ସ୍ପିନର କେଶବ ମହାରାଜ ଦକ୍ଷିଣ ଆଫ୍ରିକା ପାଇଁ ପ୍ରଥମ ସଫଳତା ଅର୍ଜନ କରିଥିଲେ। ଏହି ଦୁଇ ଜଣ ଆଉଟ୍ ହେବା ପରେ କିନ୍ତୁ ଭାରତ ଅଧିନାୟକ ଋଷଭ ପନ୍ତ (୬) ଏବଂ ‌ଶ୍ରେୟସ୍ ଆୟର (୧୪)ଙ୍କୁ ହରାଇ ପଥ ଭ୍ରଷ୍ଟ ‌ହୋଇଥିଲା। ଅବଶ୍ୟ ଏହା ପୂର୍ବରୁ ଈଶାନ ୩୧ ବଲ୍‌ରୁ ନିଜ ଚତୁର୍ଥ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରି ନେଇଥିଲେ। ଅନ୍ୟପକ୍ଷରେ ୪୬ ରନ୍‌ରେ ୪ ୱିକେଟ୍ ଝଡ଼ାଇ ଦକ୍ଷିଣ ଆଫ୍ରିକା ମଝି ଓଭରଗୁଡ଼ିକରେ ଭାରତର ରନ୍ ସଂଗ୍ରହ ହାର ଉପରେ ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥିଲା। ତେବେ ଶେଷ ଆଡ଼କୁ ହାର୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ୩୧* (୨୧ ବଲ୍) ରନ୍ ବଳରେ ଭାରତ ୫ ୱିକେଟ୍ ବିନିମୟରେ ୧୭୯ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe