ବେଙ୍ଗାଲୁରୁ: ଭେଟେରାନ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର ଶୁକ୍ରବାର ସମସ୍ତପ୍ରକାର କ୍ରିକେଟ୍ରୁ ଅବସର ନେଇଛନ୍ତି। ସେ ଭାରତ ପାଇଁ କ୍ରିକେଟ୍ର ସବୁ ଫର୍ମାଟ୍ (ଟେଷ୍ଟ୍, ଦିନିକିଆ, ଟି-୨୦) ଖେଳିବାର ସୌଭାଗ୍ୟ ପାଇଥିଲେ। ଅନ୍ତର୍ଜାତୀୟ ଖେଳ ଜୀବନ ମଧ୍ୟରେ ବିନୟ କୁମାର ଗୋଟିଏ ଟେଷ୍ଟ୍, ୩୧ ଦିନିକିଆ ଓ ୯ ଟି-୨୦ ଖେଳି ୪୯ ୱିକେଟ୍ ଅକ୍ତିଆର କରିଛନ୍ତି। ଦିଲ୍ଲୀ (୨୦୧୧)ରେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ୪/୩୦ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର। ଆଇପିଏଲ୍ରେ ସେ କୋଲ୍କାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ,ଆରସିବି, କୋଚି ଟସ୍କର୍ସ ପକ୍ଷରୁ ଖେଳିଥିଲେ। ଘରୋଇ କ୍ରିକେଟ୍ରେ କର୍ଣ୍ଣାଟକ ପକ୍ଷରୁ ଖେଳି ଦୁଇ ଥର ଦଳକୁ ରଣଜୀ ବିଜେତା (୨୦୧୩ ଓ ୨୦୧୪) କରିବାରେ ଅବଦାନ ରଖିଥିଲେ। ୨୦୧୮ରେ ୧୦୦ତମ ରଣଜୀ ମ୍ୟାଚ୍ ଖେଳିଥିଲା ବେଳେ ୨୦୧୯ରେ କର୍ଣ୍ଣାଟକ ଛାଡ଼ି ପୁଡ଼ୁଚେରୀ ପକ୍ଷରୁ ଖେଳିଥିଲେ।
‘ମୁଁ ପ୍ରଥମ ଶ୍ରେଣୀ ସହ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଉଛି। ଏହା ମୋ ପାଇଁ ସହଜ ନିଷ୍ପତ୍ତି ନଥିଲେ ମଧ୍ୟ ଜୀବନର ଏହା ଏକ ଅଙ୍ଗ। ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ବୀରେନ୍ଦ୍ର ସେହବାଗ, ଗୌତମ ଗମ୍ଭୀର, ବିରାଟ କୋହଲି, ସୁରେଶ ରାଇନା ଓ ରୋହିତ ଶର୍ମାଙ୍କ ଭଳି ବିଶ୍ବସ୍ତରୀୟ ଖେଳାଳିଙ୍କ ସହ ଖେଳିବାର ସୌଭାଗ୍ୟ ପାଇଥିବାରୁ ଭାଗ୍ୟବାନ’ ବୋଲି ସେ କହିଛନ୍ତି।
Follow Us