ନୂଆଦିଲ୍ଲୀ: ସିଧା ଚାଲିପାରୁନାହାନ୍ତି ଭାରତୀୟ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି। ଯାହାର ଏକ ଭିଡିଓ ଏବେ ସୋସିାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠି ସେ ଠିକ୍ ଭାବେ ଛିଡ଼ା ହୋଇପାରୁନଥିବା ଦେଖିବାକୁ ମିଳିଛି। ତାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ଧରି ଧରି ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ବାସ୍ତବରେ ସେ ଅସୁସ୍ଥ ନା ନିଶାସକ୍ତ ଅବସ୍ଥାରେ ଚାଲି ପାରୁନାହାନ୍ତି, ସେନେଇ କୌଣସି ସୂଚନା ମିଳିନାହିଁ।
ଦିନେ ଥିଲେ ଷ୍ଟାର କ୍ରିକେଟର୍। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ଠାରୁ ଭଲ ଖେଳାଳି ଭାବେ ବିବେଚିତ ହେଉଥିଲେ। କ୍ରିକେଟ ମଇଦାନରେ ଯିଏ ରନ୍ କରିବାକୁ ଥକୁନଥିଲା। ଆଜି କିନ୍ତୁ ଚାଲିବା ପାଇଁ ସାହାରା ଖୋଜୁଛି। ତେବେ ଏହା ପଛରେ କାରଣ କଣ, ତାହା ଏଯାଏ ଜଣାପଡ଼ିନି। ସୋସିଆଲ ମିଡିଆରେ ତାଙ୍କର ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ବିନୋଦ କାମ୍ବଲି କିଛି ବର୍ଷ ହେବ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। କିଛି ବର୍ଷ ତଳେ ସେ ହାର୍ଟ ଆଟାକର ଶିକାର ହୋଇଥିଲେ। ସେତେବେଳେ ମୁମ୍ବାଇ ପୁଲିସ ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିଲେ। କାମ୍ବଲିଙ୍କ ଆର୍ଥିକ ଅବସ୍ଥା ବି ଭଲ ନଥିବା କୁହାଯାଉଛି।
କାମ୍ବଲି ଭାରତ ପାଇଁ ୧୦୪ ଦିନିକିଆ ଓ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ୨ଟି ଶତକ ୧୪ଟି ଅର୍ଦ୍ଧଶତକ ବଳରେ ୨୪୭୭ ରନ ହାସଲ କରିଛନ୍ତି। ସେହିପରି ଟେଷ୍ଟରେ ୪ଟି ଶତକ ବଳରେ ୧୦୮୪ ରନ ହାସଲ କରିଛନ୍ତି। ଯେଉଁଥିରେ ଏକ ଦ୍ୱିଶତକ ମଧ୍ୟ ରହିଛି।
Follow Us