ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର ଆଜି ଜନ୍ମଦିନ। ଆଜି ସେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ କ୍ରିକେଟରେ ମଧ୍ୟ ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କୋହଲି ୫୫୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ୮୨ଶତକ ହାସଲ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସ୍କୋରରଙ୍କ ତାଲିକାରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ତାଙ୍କ କ୍ୟାରିୟରରେ ୧୦୦ଶତକ ହାସଲ କରିଥିଲେ।

Advertisment

୨୭ହଜାରରୁ ଅଧିକ ରନ୍ କରିଛନ୍ତି ବିରାଟ

ବିରାଟ କୋହଲିଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇ BCCI ତାଙ୍କ ସଫଳତା ଉପରେ ଆଲୋକପାତ କରି ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛି। କୋହଲି ଏପର୍ଯ୍ୟନ୍ତ ୫୫୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୭,୬୭୩ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ କୋହଲି ୮୨ଟି ଶତକ ଏବଂ ୧୪୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

୧. ବିରାଟ କୋହଲି ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳି ୪୬.୮୫ ହାରରେ ୯,୨୩୦ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ କୋହଲିଙ୍କ ସର୍ବୋତ୍ତମ ଇନିଂସ ହେଉଛି ଅପରାଜିତ ୨୫୪।

୨. ବିରାଟ ୩୦୫ଟି ଦିନିକିଆ ମ୍ୟାଚ୍ ଖେଳିସାରିଥିବା ବେଳେ ଏବେ ବି ଦିନିକିଆରେ ତାଙ୍କର ଯାତ୍ରା ଜାରି ରହିଛି। ଏହି ୩୦୫ଟି ମ୍ୟାଚ୍‌ରେ ସେ ୧୪,୨୫୫ ରନ୍ କରିଛନ୍ତି, ଯେଉଁଥିରେ ୫୧ଟି ଶତକ ଏବଂ ୭୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଦିନିକିଆରେ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୧୮୩ରନ୍।

୩. ଯଦି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ କଥା କହିବା ତେବେ ବିରାଟ କୋହଲି ୧୨୫ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୪୮.୬୯ ହାରରେ ୪,୧୮୮ ରନ୍ କରିଛନ୍ତି। ସେ ଭାରତ ପାଇଁ ଟି-୨୦ କ୍ରିକେଟରେ ଗୋଟିଏ ଶତକ ଏବଂ ୩୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ କୋହଲିଙ୍କ ସର୍ବାଧିକ ସ୍କୋର ହେଉଛି ୧୨୨ ରନ୍।

୪. ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ତିନୋଟି ICC ଟ୍ରଫି ଜିତିଛନ୍ତି। ସେ ICC Mens ODI ବିଶ୍ୱକପ୍ ୨୦୧୧ , ICC ଚାମ୍ପିଅନ୍ସ ଟ୍ରଫି ୨୦୧୩ , ICC Mens T20 ବିଶ୍ୱକପ୍ ୨୦୨୪ ଏବଂ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ଦଳର ଅଂଶ ଥିଲେ।

ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର

ବିରାଟ ଏବେ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ କୋହଲି ଦିନିକିଆରେ ବ୍ୟାଟିଂ ଜାରି ରଖିଛନ୍ତି। ବିରାଟ ଜାନୁଆରି ୨୦୨୫ରେ ଅଷ୍ଟ୍ରେଲିଆରେ ତାଙ୍କର ଶେଷ ଟେଷ୍ଟ ସିରିଜ ଖେଳିଥିଲେ ଏବଂ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ପୂର୍ବରୁ ମେ’ ୧୨, ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କୋହଲି ପୂର୍ବରୁ ୨୦୨୪ ଟି-20 ବିଶ୍ୱକପରେ ଭାରତର ବିଜୟୀ ଦଳର ଅଂଶ ଥିଲେ, ଯାହା ପରେ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ୨ଟି ଫର୍ମାଟରୁ ଅବସର ପରେ ବିରାଟ କୋହଲି ଏବେ ଦିନିକିଆ କ୍ରିକେଟ ଖେଳୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ କୋହଲି ଅପରାଜିତ ୭୪ରନ କରିଥିଲେ।

ଆହୁରି ପଢ଼ନ୍ତୁ: Zohran Mamdani Win: ନ୍ୟୁୟର୍କର ମେୟର ହେଲେ ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳଙ୍କ ନାତି ଜୋହରାନ୍ ମମ୍‌ଦାନୀ

ଆହୁରି ପଢ଼ନ୍ତୁ: BMC's autonomous powers: କମିବ ବିଏମ୍‌ସିର ସ୍ବାୟତ୍ତ କ୍ଷମତା: ରାଜନୀତିରେ ପେଷି ହେଉଛନ୍ତି ରାଜଧାନୀବାସୀ, ଇଚ୍ଛା ଅନୁସାର କରିପାରିବେନି ଖର୍ଚ୍ଚ