ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର କିଙ୍ଗ ହେଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ୨୦ କୋଟି ଫଲୋଓ୍ବର୍ସ ହାସଲ କଲେ ବିରାଟ । ଗତ କିଛି ମାସ ଧରି ବିଭିନ୍ନ କାରଣ ପାଇଁ କୋହଲି ବିବାଦରେ ରହିଥିଲେ ବି ଏହାର ପ୍ରଭାବ ବିରାଟଙ୍କ ଫଲୋୱର୍ସଙ୍କ ଉପରେ ପଡ଼ିନାହିଁ। ୫୦ କି ୧୦୦ନୁହେଁ, ୨୦୦ମିଲିୟନରେ ପହଞ୍ଚିଛିି ବିରାଟଙ୍କ ଫଲୋୟର୍ସ ସଂଖ୍ୟା। କେବଳ ଇନଷ୍ଟାଗ୍ରାମ ନୁହେଁ, ଫେସବୁକ ଓ ଟ୍ୱିଟରରେ ମଧ୍ୟ ବେଶ ଲୋକପ୍ରିୟ କୋହଲି । ଫେସବୁକରେ କୋହଲିଙ୍କୁ ୪.୯୨ କୋଟି ଲୋକ ପସନ୍ଦ କରୁଥିବା ବେଳେ ଟ୍ୱିଟରରେ ୪୮.୪ ମିଲିୟନ ଲୋକ ଫଲୋ କରୁଛନ୍ତି ।
insidesport
ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନ ରୋନାଲଡୋ, ଲିଓନେଲ ମେସିଙ୍କ ପରେ କୋହଲି ତୃତୀୟ କ୍ରୀଡାବିତ୍ ଭାବେ ସର୍ବାଧିକ ଫଲୋୱର୍ସ ହାସଲ କରିଛନ୍ତି । ରୋନାଲ୍ଡୋଙ୍କୁ ଏବେ ୪୫ କୋଟି ଇନଷ୍ଟା ବ୍ୟବହାରକାରୀ ଫଲୋ କରୁଛନ୍ତି। ଲୋକପ୍ରିୟ ଫୁଟବଲ ଖେଳାଳି ମେସିଙ୍କୁ ୩୪ କୋଟି ଲୋକ ଫଲୋ କରୁଥିବା ବେଳେ ବ୍ରାଜିଲର ଫୁଟବଲ ଖେଳାଳି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ନେମାରଙ୍କୁ ୧୭୫ ମିଲିୟନ ଲୋକ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି ।
ନିକଟରେ ବିରାଟ କୋହଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ଆଇପିଏଲ୍ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ମୋଟ ୧୬ଟି ମ୍ୟାଚ୍ ଖେଳି ୩୪୧ରନ୍ ସ୍କୋର କରିଥିଲେ। କୋହଲି ଏହା ପୂର୍ବରୁ ୨୦୨୧ରେ ୟାହୁର ସର୍ବାଧିକ ସର୍ଚ୍ଚଡ କ୍ରୀଡ଼ା ତାରକା ହୋଇସାରିଛନ୍ତି। ସେପ୍ଟେମ୍ବର ୨୦୨୧ରେ ପ୍ରଥମ ଭାରତୀୟ ଭାବେ ଇନ୍ଷ୍ଟାଗ୍ରାମରେ ୧୫ କୋଟି ଅନୁଗାମୀଙ୍କ ମାଇଲଖୁଣ୍ଟ ଛୁଇଁଥିଲେ ସେ।