କାନ୍ଦିଲେ କିଙ୍ଗ୍ କୋହଲି: ବିଜୟ ପରେ ବିରାଟଙ୍କ ଆଖିର ଏରୁଣ୍ଡି ଡେଇଁ ବହିଗଲା ଅପେକ୍ଷାର ଲୁହ...

ଏ ଲୁହ ଏମିତି ସେମିତି ଲୁହ ନୁହେଁ... ଏ ଲୁହ ଦୁଃଖ-ଦରଜର ଲୁହ, ପ୍ରତୀକ୍ଷାର ଲୁହ, ସଂଘର୍ଷର ଲୁହ ଆଉ ଖୁସିର ଲୁହ... ଏଇ ଆଖି ୧୭ ବର୍ଷ ଧରି ପରାଜୟକୁ ପାଖରୁ ଦେଖିଛି, ଲୁହ ଢଳି ଆସୁଥିଲେ ବି ତାକୁ ଅଟକେଇ ଦେଇଛି... ଆଖିରେ ଆଖିଏ ସ୍ବପ୍ନ ନେଇ ସେମିତି ଅପେକ୍ଷା କରିଛି

rcb win

Photograph: (Sambad.in)

ଅହମଦାବାଦ: ଏ ଲୁହ ଏମିତି ସେମିତି ଲୁହ ନୁହେଁ... ଏ ଲୁହ ଦୁଃଖ-ଦରଜର ଲୁହ, ପ୍ରତୀକ୍ଷାର ଲୁହ, ସଂଘର୍ଷର ଲୁହ ଆଉ ଖୁସିର ଲୁହ... ଏଇ ଆଖି ୧୭ ବର୍ଷ ଧରି ପରାଜୟକୁ ପାଖରୁ ଦେଖିଛି, ଲୁହ ଢଳି ଆସୁଥିଲେ ବି ତାକୁ ଅଟକେଇ ଦେଇଛି... ଆଖିରେ ଆଖିଏ ସ୍ବପ୍ନ ନେଇ ସେମିତି ଅପେକ୍ଷା କରିଛି । ହେଲେ ଆଜି ଯେତେବେଳେ ସେହି ମୁହୂର୍ତ୍ତ ଆସିଛି, ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି ସେତେବେଳେ ଆଉ ଆଖି ଲୁହକୁ ଅଟକାଇପାରିନି । ଖୁସିର ଲୁହ ଆଖିର ଏରୁଣ୍ଡି ଡେଇଁ ବହିଯାଇଛି । ଆଖିର ଦରଜା ଖୋଲି ସେ ଲୁହ ସାରା ଦୁନିଆକୁ କହିଛି ଦେଖ- ଜୀବନରେ ପରିଶ୍ରମର ଫଳ ବୃଥା ଯାଏନି । ବାସ୍ ଖାଲି ଅପେକ୍ଷା ଲୋଡା...

ଆଇପିଏଲ ଫାଇନାଲ ଜିତିବା ପରେ କାନ୍ଦି ପକାଇଲେ କୋହଲି । ଦୀର୍ଘ ୧୮ ବର୍ଷର ସ୍ବପ୍ନ-ସଂଘର୍ଷ ଯେତେବେଳେ ସତ ହୋଇଛି ସେତେବେଳେ ନିଜକୁ ଆଉ ସମ୍ଭାଳି ପାରି ନାହାନ୍ତି ବିରାଟ । ପଡିଆରେ ନିଜ ଖୁସି ଜାହିର କଲା ବେଳେ କାନ୍ଦି ପକାଇଛନ୍ତି । ତାଙ୍କ ଆଖିରେ ଲୁହ ଜକେଇ ଆସିଛି ଆଉ ସେ ମାଟିରେ ମୁଣ୍ଡ ରଖି କାନ୍ଦିଛନ୍ତି । ଯାହା ବିରାଟଙ୍କ ପ୍ରଶଂସକଙ୍କୁ ଭାବପ୍ରବଣ କରିବା ସହ ଏ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।

ଆଇପିଏଲରେ ଆରସିବିର ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଇତିହାସ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା ସହିତ ଆରସିବିର ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି । 

୨୦୦୯, ୨୦୧୧, ୨୦୧୬ ମସିହାରେ ଏହି ଦଳ ୩ ଥର ଫାଇନାଲକୁ ଯାଇଥିଲେ ବି ଚାମ୍ପିୟନ ହୋଇପାରିନଥିଲା । ହେଲେ ୨୦୨୫ରେ ଆରସିବିର ସ୍ବପ୍ନ ସତ ହୋଇଛି । ୧୯୧ ରନର ପିଛା କରୁଥିବା ପଞ୍ଜାବ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୪ ରନ କରିପାରିଥିଲା । ଦଳ ପକ୍ଷରୁ ଶଶାଙ୍କ ସିଂ ୬୧ ରନ, ଜୋସ ଇଂଗଲିସ ୩୯ ରନ, ପ୍ରଭସିମରନ ସିଂ ୨୬ ଓ ପ୍ରିୟାଂଶ ଆର୍ଯ୍ୟା ୨୪ ରନ କରିଥିଲେ । ଦଳ ପକ୍ଷରୁ ଭୁବନେଶ୍ବର କୁମାର ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଆରମ୍ଭରୁ ସତର୍କତାର ବ୍ୟାଟିଂ କରିଥିଲେ । ତେବେ ସଲ୍ଟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ମୟଙ୍କ ଅଗ୍ରଓ୍ବାଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ମୟଙ୍କ ୨୪ ରନ କରିଥିବାବେଳେ ବିରାଟ ୪୩ ରନ କରିଥିଲେ । 

ସେହିପରି ରଜତ ପଟିଦାର ୨୬ ରନ କରିଥିବାବେଳେ ଲିଆମ ଲିଭିଙ୍ଗଷ୍ଟୋନ ୨୫ ରନ କରିଥିଲେ । ଜିତେଶ ଶର୍ମା ୨୪ରନ ଓ ରୋମାରିଓ ସେଫର୍ଡ ୧୭ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ କରିଥିଲା । ପଂଜାବ ପକ୍ଷରୁ ଅର୍ଶଦୀପ ସିଂ ଓ କାଇଲ ଜେମିସନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe