ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ତାଲିକା: ବଲିଉଡ୍‌ ତାରକାଙ୍କୁ ହଟାଇ ଶୀର୍ଷରେ କୋହଲି

‘ଚିକୁ’ ନାମର ରହସ୍ୟ ଖୋଲିଲେ କୋହଲି

livemint.com

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଚଳିତ ବର୍ଷ ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ତାଲିକାରେ ବଲିଉଡ ହସ୍ତୀମାନଙ୍କୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥି ସହିତ ସେ ପ୍ରଥମ କ୍ରୀଡ଼ାବିତ୍ ଭାବେ ଫୋର୍ବସ୍‌ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି। ୨୦୧୮ ଅକ୍ଟୋବର ୧ରୁ ୨୦୧୯ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ବିରାଟଙ୍କ ବାର୍ଷିକ ଆୟ ୨୫୨.୭୨ କୋଟି ରହିଛି। ସେଥିରେ ମ୍ୟାଚ୍‌ ପାଉଣା, ବିସିସିଆଇ କେନ୍ଦ୍ରୀୟ ଚୁକ୍ତି, ବ୍ରାଣ୍ଡ୍‌ ଦର ଏବଂ ପ୍ରତ୍ୟେକ ପ୍ରାୟୋଜକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ବାବଦରେ ୮ ଅଙ୍କ ବିଶିଷ୍ଟ ପାଉଣା ସାମିଲ ରହିଛି। ତାଙ୍କ ପଛକୁ ବାର୍ଷିକ ଆୟରେ ଅଭିନେତା ଅକ୍ଷୟ କୁମାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେବେ ଅକ୍ଷୟଙ୍କର ବାର୍ଷିକ ଆୟ ୨୯୩.୨୫ କୋଟି ଥିଲେ ସୁଦ୍ଧା ଯଶ ଓ ଖ୍ୟାତିରେ ବିରାଟଙ୍କଠାରୁ କମ୍ ପଏଣ୍ଟ୍ ପାଇଥିବାରୁ ଦ୍ବିତୀୟକୁ ଖସିଛନ୍ତି। ଅନ୍ୟପକ୍ଷରେ ୨୦୧୬ରୁ ଶୀର୍ଷ ସ୍ଥାନରେ ରହିଆସୁଥିବା ବଲିଉଡର ଭାଇଜାନ୍ ସଲମାନ ଖାନ୍ ଚଳିତ ବର୍ଷ ଏହି ତାଲିକାର ତୃତୀୟରେ ରହିଛନ୍ତି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ଯଥାକ୍ରମେ ପଞ୍ଚମ ଓ ନବମ ସ୍ଥାନରେ ରହିଛନ୍ତି। ୨୦୧୩ରେ କ୍ରିକେଟରୁ ଅବସର ନେଇଥିବା ସତ୍ତ୍ବେ ଲିଟିଲ୍ ମାଷ୍ଟର୍ ସଚିନ ପ୍ରତ୍ୟେକ ବର୍ଷ ଶୀର୍ଷ ୧୦ରେ ସ୍ଥାନିତ ହୋଇଆସୁଛନ୍ତି। ଚଳିତ ବର୍ଷ ଏକାଧିକ କୀର୍ତିମାନ ରଚିଥିବା ହିଟ୍‌ମ୍ୟାନ୍ ରୋହିତ ଶର୍ମା ୨୩ ସ୍ଥାନ ଲମ୍ଫ ମାରି ଏକାଦଶ ସ୍ଥାନକୁ ଉଠିଥିଲା ବେଳେ ଅନ୍ୟ ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ଵିକେଟ୍‌ରକ୍ଷକ ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ଲୋକେଶ ରାହୁଲ, ଶିଖର ଧାଵନ, ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ଶୀର୍ଷ-୧୦୦ରେ ସ୍ଥାନ ପାଇଛନ୍ତି। ମହିଳା କ୍ରିକେଟ୍‌ରଙ୍କ ମଧ୍ୟରେ ମିତାଲି ରାଜ୍, ସ୍ମୃତି ମନ୍ଧାନା ଓ ହରମନପ୍ରୀତ୍ କୌର୍ ରହିଛନ୍ତି। ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ବ୍ୟାଡ୍‌ମିଣ୍ଟନ ଲଳନା ପିଭି ସିନ୍ଧୁ ଓ ସାଇନା ନେହଵାଲ, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍, ଟେନିସ୍ ଖେଳାଳି ରୋହନ ବୋପାନ୍ନା, ଫୁଟ୍‌ବଲ୍ ଖେଳାଳି ସୁନୀଲ ଛେତ୍ରୀ ଓ ଗଲ୍ଫ ଖେଳାଳି ଅନିର୍ବାଣ ଲାହିରି ଭାରତୀୟ ଫୋର୍ବସ୍‌ ତାଲିକାର ଶୀର୍ଷ-୧୦୦ ମଧ୍ୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe