କୋହଲିଙ୍କୁ ହରାଇଲେ ଧୋନି

Advertisment
କୋହଲିଙ୍କୁ ହରାଇଲେ ଧୋନି

ସାରଜା : ବୋଲିଂ ବେଳେ ଡ୍ବାନ୍ ବ୍ରାଭୋ, ଶାର୍ଦୁଳ ଠାକୁର ଚମତ୍କାର ପ୍ରତ୍ୟାବର୍ତନ କରାଇବା ପରେ ବ୍ୟାଟିଂ ବେଳକୁ ମିଳିତ ପ୍ରୟାସ କାରଣରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଶୁକ୍ରବାର ଅତି ସହଜରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ୬ ୱିକେଟରେ ହରାଇ ଦେଇଛି। ଏଥି ସହ ୟୁଏଇ ଚରଣରେ ଚେନ୍ନାଇ ଲଗାତାର ବିଜୟ ସହ ପୁଣି ଥରେ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡ‌ିଆନ୍ସ ଭଳି ଲଗାତାର ପରାଜୟ ବରଣ କରି ‌ବିରାଟ କୋହଲିଙ୍କ ଆର୍‌ସିବି ନବମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୯ ମ୍ୟାଚ୍‌ରୁ ୭ ବିଜୟ ସହ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ୟୁଏଇରେ କିନ୍ତୁ ଆର୍‌ସିବି ଲଗାତାର ସପ୍ତମ ପରାଜୟ ବରଣ କରି ଭାଗ୍ୟରେ ପରିବର୍ତନ ଆଣିପାରିନାହିଁ।

ଶୁକ୍ରବାର ଏକଦା ୧୧୧ ରନ୍‌ରେ କୌଣସି ୱିକେଟ୍ ହରାଇନଥିବା ଆର୍‌ସିବିକୁ ଚେନ୍ନାଇ ବୋଲରମାନେ ୧୫୬/୬ରେ ରୋକି ଦେଇଥିଲେ। ଜବାବରେ ସିଏସ୍‌କେ ପାଇଁ ପ୍ରଥମ ୪ ଜଣ ବ୍ୟାଟ୍ସମ୍ୟାନ୍‌ (ଋତୁରାଜ ଗାଏକ୍ବାଡ-୩୮, ଫାପ ଡୁ ପ୍ଲେସିସ୍‌-୩୧, ମୋଇନ୍ ଅଲୀ-୨୩, ଅମ୍ବାତି ରାୟୁଡୁ-୩୨) ଉପଯୋଗୀ ଅବଦାନ ଦେବାରୁ ଚେନ୍ନାଇ ବିଜୟ ପଥରେ ରହିଥିଲା। ଶେଷକୁ ଚେନ୍ନାଇର ଦୁଇ ଅଭିଜ୍ଞ ଯୋଡ଼ି ସୁରେଶ ରାଇନା (୧୭*) ଏବଂ ମହେନ୍ଦ୍ର ସିଂହ ଧୋନି (୧୧*) ଦଳକୁ ୧୧ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ଚତୁର୍ଥ ଥର ପାଇଁ ଧୋନି-ରାଇନା ଚେନ୍ନାଇକୁ ବିଜୟୀ କରାଇଥିଲେ। ଆଇପିଏଲ୍‌ରେ ତାଙ୍କଠାରୁ ଅଧିକ କେବଳ ଡ୍ବାନ୍ ବ୍ରାଭୋ--ରବୀନ୍ଦ୍ର ଜାଦେଜା (୬ ଥର, ଗୁଜରାଟ ଲୟନ୍ସ ପାଇଁ ୨ ଥରକୁ ମିଶାଇ) ଏଭଳି କରି ପାରିଛନ୍ତି। ଡ୍ବାନ୍‌ ବ୍ରାଭୋ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ।

କୋହଲି-ପଡ଼ିକଲଙ୍କ ଶତକୀୟ ଭାଗୀଦାରି
ସାରାଜାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅଧିକ ମ୍ୟାଚ୍‌ ଜିତିବାର ପରମ୍ପରା ଥିଲେ ମଧ୍ୟ ଶୁକ୍ରବାର ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ଆର୍‌ସିବି ପ୍ରାରମ୍ଭିକ ଯୋଡ଼ି ବିରାଟ କୋହଲି ଏବଂ ଦେବଦତ୍ତ ପଡ଼ିକଲ ୧୩.୨ ଓଭରରେ ୧୧୧ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପାକାଇଥିଲେ। ବିରାଟ କୋହଲିଙ୍କୁ ଡ୍ବାନ୍ ବ୍ରାଭୋ ଆଉଟ୍ କରି ଏହି ଭାଗୀଦାରିକୁ ଅଲଗା କରିଥିଲେ। କୋହଲିଙ୍କ ୪୧ ବଲ୍‌ ୫୩ ରନ୍‌ ପାଳିରେ ୫ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହା ପୂର୍ବରୁ ପଡିକଲ୍‌ ୩୫ ବଲ୍‌ରୁ ନିଜ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ୧୭ତମ ଓଭରରେ ଶାର୍ଦୁଳ ଠାକୁର ଲଗାତର ବଲ୍‌ରେ ଏବି ଡି’ଭିଲିୟର୍ସ (୧୨, ୧୧ ବଲ୍‌) ଏବଂ ପଡିକଲ୍‌ (୭୦, ୫୦ ବଲ୍‌, ୫ ଚୌକା, ୩ ଛକା)ଙ୍କୁ ଆଉଟ୍ କରି ଆରସିବିକୁ ଅସଲ ବେଳକୁ ଯୁଗଳ ଝଟକା ଦେଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍‌ (୧୧), ଟିମ୍ ଡେଭିଡ୍ (୧) ଏବଂ ହର୍ଷଲ ପଟେଲ୍ (୩) ବି‌ଶେଷ କିଛି କରିପାରିନଥିଲେ। ଆର୍‌ସିବି ୨୫ ରନ୍‌ ଭିତରେ ୫ ୱି‌‌କେଟ୍ ହରାଇ ୧୫୬/୬ରେ ସୀମିତ ରହିଯାଇଥିଲା। ପ୍ରଥମ ୧୦ ଓଭରରେ ଆର୍‌ସିବି ବିନା କ୍ଷତିରେ ୯୦ ରନ୍‌ ଯୋଡ଼ିଥିଲା, କିନ୍ତୁ ଶେଷ ୧୦ ଓଭରରେ ଏହି ଦଳ ୬ ୱିକେଟ୍ ହରାଇ ୬୬ ରନ୍‌ ଯୋଡ଼ି ପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe