ବିରାଟଙ୍କୁ ଭେଟି ନପାରି ପ୍ରଶ˚ସକ ପିଣ୍ଟୁ ନିରାଶ

Advertisment
ବିରାଟଙ୍କୁ ଭେଟି ନପାରି ପ୍ରଶ˚ସକ ପିଣ୍ଟୁ ନିରାଶ

କଟକ: ଭାରତୀୟ ଦଳର ପ୍ରାୟ ସମସ୍ତ ଖେଳାଳିଙ୍କର ନିଜ ନିଜର ପ୍ରଶ˚ସକ ବାହାରି ସାରିଲେଣି। ସଚିନ ତେନ୍ଦୁଲକରଙ୍କ ପାଇଁ ସୁଧିର ଗୌତମ, ଧୋନିଙ୍କ ପାଇଁ ହରି ସରଭନନ୍‌ ଯେଉଁଭଳି ଭାବେ ନିଜ ଦେହରେ ତ୍ରିରଙ୍ଗା ଆଙ୍କି ଗ୍ୟାଲେରି ଭିତରୁ ତାଙ୍କ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରି ଆସୁଥିଲେ, ଠିକ୍‌ ସେହିଭଳି ବିରାଟ କୋହଲିଙ୍କର ଜଣେ ଚର୍ଚ୍ଚିତ ପ୍ରଶ˚ସକ ଭାବେ ବ୍ରହ୍ମପୁରର ପିଣ୍ଟୁ ବେହେରା ପରିଚିତ ହୋଇଗଲେଣି। ବିଶାଖାପାଟଣାରେ କୋହଲିଙ୍କ ସହ ସାକ୍ଷାତ କରି ସେ ଦେଶ ସାରା ଚର୍ଚ୍ଚାରେ ରହିଥିଲେ। ଏବେ ସେ କୋହଲିଙ୍କୁ ଉତ୍ସାହିତ କରିବାକୁ କଟକରେ ପହଞ୍ଚିଛନ୍ତି। ଶନିବାର ଭାରତୀୟ ଦଳର ଅଭ୍ୟାସ ବେଳେ ପିଣ୍ଟୁ ବିସିସିଆଇ ବକ୍ସରେ ପହଞ୍ଚିଥିଲେ। ତାଙ୍କ ସହିତ ସୁଧିର ଗୌତମ ଓ ଧରମବୀର ପାଲ ମଧ୍ୟ ବିସିସିଆଇ ବକ୍ସରେ ରହି ଅନ୍ୟତମ ଆକର୍ଷଣ ପାଲଟିଥିଲେ। କିନ୍ତୁ ତାରକା ପ୍ରଶ˚ସକଙ୍କ ତାଲିକାରେ ଏବେ ଜଣେ ଓଡ଼ିଆ ପୁଅ ଆସିଯାଇଥିବାରୁ ପିଣ୍ଟୁଙ୍କର ମଧ୍ୟ ଏକାଧିକ ନୂଆ ପ୍ରଶ˚ସକ ସୃଷ୍ଟି ହୋଇଥିଲେ। ଏଠାରେ ବି କୋହଲିଙ୍କୁ ଭେଟିବା ପାଇଁ ସେ ଅଭ୍ୟାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କିନ୍ତୁ କୋହଲି ତାଙ୍କୁ କେବଳ ହାତ ହଲାଇ ଚାଲିଯାଇଥିଲେ। ଅଟୋଗ୍ରାଫ ନେବାକୁ ପିଣ୍ଟୁ ଅପେକ୍ଷା କରିଥିଲେ ସୁଦ୍ଧା ନିରାଶ ହୋଇଥିଲେ। ତଥାପି ରବିବାର ମ୍ୟାଚ୍‌ ପରେ ସେ ନିଶ୍ଚିତ କୋହଲିଙ୍କୁ ଭେଟିବେ ବୋଲି ଆଶାବାଦୀ ଅଛନ୍ତି।

ପିଣ୍ଟୁ ତାଙ୍କ ଦେହରେ ବନାଇଥିବା ଟାଟୁକୁ ନେଇ ଅଧିକ ଚର୍ଚ୍ଚିତ ହୋଇଛନ୍ତି। ଶରୀରର ଆଗପଟେ ବିରାଟ କୋହଲିଙ୍କ ଫଟୋ ସହ ବିସିସିଆଇ ଲୋଗୋ ଓ ସଚିନଙ୍କ ଛବି ଆଙ୍କିଛନ୍ତି। ସେହିପରି ପିଠି ପଟରେ ବିରାଟଙ୍କ ନାମ ସହ ତାଙ୍କର ଲକି ନମ୍ବର ୧୮, ୨୦୦୮ର ୧୯ ବର୍ଷରୁ କମ୍‌ ବିଶ୍ବକପ୍‌, ୨୦୧୩ର ଅର୍ଜୁନ ପୁରସ୍କାର, ୨୦୧୭ରେ ପଦ୍ମଶ୍ରୀ, ୨୦୧୮ରେ ଖେଳ ରତ୍ନ ପୁରସ୍କାର ସହିତ କୋହଲି ଖେଳିଥିବା ୨୦୧୧ ବିଶ୍ବକପ୍‌, ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୧୯ ବିଶ୍ବକପ୍‌କୁ ସେ ଟାଟୁରେ ଦର୍ଶାଇଛନ୍ତି। ଏହାବାଦ୍‌ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେ କୋହଲିଙ୍କ ଟାଟୁ ଖୋଦେଇ କରିଛନ୍ତି। କୋହଲିଙ୍କର ସେ ଜଣେ ବଡ଼ ପ୍ରଶ˚ସକ ବୋଲି ଦାବି କରୁଥିବା ବେଳେ ରବିବାର ମ୍ୟାଚ୍‌ରେ ସେ ତାଙ୍କର ୧୮୩ ରନ୍‌କୁ ଅତିକ୍ରମ କରନ୍ତୁ ବୋଲି ପିଣ୍ଟୁ ଆଶାବ୍ୟକ୍ତ କରିଛନ୍ତି। ପିଣ୍ଟୁଙ୍କ କହିବାନୁସାରେ ଭାରତ ନିଜ ମାଟିରେ ଖେଳୁଥିବାରୁ ଏଥର ନିଶ୍ଚୟ ବିଜୟୀ ହେବ। ମ୍ୟାଚ୍‌ ଅଧିକ ରୋମାଞ୍ଚକର ରହିବ। କଟକର ଦର୍ଶକ ସବୁଠୁ ଭଲ ଦର୍ଶକ। କାରଣ ଶନିବାର କୋହଲି ଷ୍ଟାଡିୟମ ଭିତରକୁ ପଶିବା ବେଳେ ଦର୍ଶକମାନେ ଯେପରି ଭାବେ ତାଙ୍କୁ ଉତ୍ସାହିତ କରୁଥିଲେ, ତାହା ସବୁବେଳେ ଦେଖିବାକୁ ମିଳିନଥାଏ। ତେଣୁ ଏଠାରେ ମଧ୍ୟ କୋହଲିଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ଲକ୍ଷ୍ୟ ରଖିଛି। ଓସିଏ ପକ୍ଷରୁ ଏଥିପାଇଁ ମୋତେ ସହଯୋଗ ମିଳିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe