ବୀରେନ୍ଦ୍ର ଉପଅଧିନାୟକ:ଭାରତୀୟ ଦଳରେ ଓଡ଼ିଶାରୁ ୨

ଉପଅଧିନାୟକ ହେବାରୁ ଦାୟିତ୍ବ ବଢ଼ିଛି: ବୀରେନ୍ଦ୍ର

ବୀରେନ୍ଦ୍ର ଉପଅଧିନାୟକ:ଭାରତୀୟ ଦଳରେ ଓଡ଼ିଶାରୁ ୨

ଭୁବନେଶ୍ବର: ଆସନ୍ତା ମାସ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଆୟୋଜତ ହେବ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ। ଏଥି ଲାଗି ମଙ୍ଗଳବାର ମନ୍‌ପ୍ରୀତ ସିଂହଙ୍କ ନେତୃତ୍ବରେ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ‌ହୋଇଛି। ଏଥିରେ ଓଡ଼ିଶାରୁ ୨ ଜଣ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ବୀରେନ୍ଦ୍ରଙ୍କୁ ପ୍ରଥମ ଥର ଲାଗି ଦଳର ଉପଅଧିନାୟକ ଦାୟିତ୍ବ ମିଳିଛି। ସଂପ୍ରତି ଭୁବନେଶ୍ବରରେ ଚାଲିଥିବା ଜାତୀୟ ହକି ଶିବିର ପାଇଁ ଓଡ଼ିଶାରୁ ୫ ଜଣଙ୍କୁ ସ୍ଥାନ ମିଳିଥିଲା ବେଳେ ଚୂଡ଼ାନ୍ତ ଦଳରେ ବୀରେନ୍ଦ୍ର ଏବଂ ଅମିତ କେବଳ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଥିଲେ। ଜୁନ୍‌‌ ୬ରେ ରୁଷିଆ ବିପକ୍ଷରୁ ଭାରତ ଏହି ଅଭିଯାନ ଆରମ୍ଭ କରିବ। ପ୍ରତିଯୋଗିତାରେ ଭାରତ ସହ ୮ ଦଳ ପୋଲାଣ୍ଡ, ରୁଷିଆ, ଉଜବେକିସ୍ତାନ (ଗ୍ରୁପ୍‌-ଏ’), ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା, ମେକ୍ସିକୋ (ଗ୍ରୁପ୍‌-ବି’) ଭାଗ ନେଉଛନ୍ତି। ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସିଧାସଳଖ ସେମିଫାଇନାଲ୍‌ରେ ପ୍ରବେଶ କରିବେ। ଦ୍ବିତୀୟ ଓ ତୃତୀୟ ଦଳ କ୍ରସ୍‌ ଓଭର ଦେଇ ସେମିଫାଇନାଲ୍‌ରେ ପ୍ରବେଶ କରିବ। ୧୫ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।
ଭାରତୀୟ ଦଳ: ପିଆର୍‌ ଶ୍ରୀଜେସ, କୃଷ୍ଣ ବି ପାଠକ (ଗୋଲ୍‌ରକ୍ଷକ), ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା (ଉପଅଧିନାୟକ), ସୁରେନ୍ଦ୍ର କୁମାର, ବରୁଣ କୁମାର, ଅମିତ ରୋହିଦାସ, ଗୁରିନ୍ଦର ସିଂହ (ରକ୍ଷଣଭାଗ), ମନପ୍ରୀତ ସିଂହ (ଅଧିନାୟକ), ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସୁମିତ, ନୀଳକଣ୍ଠ ଶର୍ମା (ମଧ୍ୟଭାଗ), ମନଦୀପ ସିଂହ, ଆକାଶଦୀପ ସିଂହ, ରମଣଦୀପ ସିଂହ, ଗୁରସାହିବଜିତ ସିଂହ, ସିମ୍ରନଜିତ ସିଂହ (ପୂରୋଭାଗ)।
ଆମ ଦଳ ଭୁବନେଶ୍ବରରେ ଶ୍ରେଷ୍ଠ ହେବ: ରିଡ୍‌
ମୁଖ୍ୟ ପ୍ରଶିକ୍ଷକ ଭାବେ ଭାରତୀୟ ଦଳ ସହ ଏହା ମୋର ପ୍ରଥମ ଏଫ୍‌ଆଇଏଚ୍‌ ପ୍ରତିଯୋଗିତା। ଅଲିମ୍ପିକ୍‌ ଯୋଗ୍ୟତା ସହ ପ୍ରଥମ ପ୍ରତିଯୋଗିତା ଥିବାରୁ ଏହା ‌ମୋ ପାଇଁ ବେଶୀ ଗୁରୁତ୍ବପୂର୍ଣ୍ଣ। ରମଣଦୀପ ସିଂହ ଆହତରୁ ମୁକୁଳି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ବିଶ୍ରାମ ନେଇଥିବା ବରୁଣ କୁମାର ଦଳକୁ ଫେରିଥିବାରୁ ପୂରୋଭାଗ ଦୃଢ଼ ହୋଇଛି। ସୁମିତ ଓ ଅମିତ ରୋହିଦାସଙ୍କୁ‌ ନେଇ ରକ୍ଷଣଭାଗ ମଜବୁତ ହୋଇଛି। ଏଥି ସହ ଉଭୟ ମଧ୍ୟ ପେନାଲ୍ଟି କର୍ନରକୁ ‌ଅଟକାଇବାର କ୍ଷମତା ରଖିଛନ୍ତି। ସିମ୍ରନଜିତ୍‌ ମୁଖ୍ୟ ଷ୍ଟ୍ରାଇକର ଭୂମିକା ନେବେ। ଏହିସବୁକୁ ନେଇ ଆମ ଦଳ ସନ୍ତୁଳିତ ରହିଛି। ପ୍ରତିଯୋଗିତାରେ ଶ୍ରେଷ୍ଠ ଦେବା ଆମର ମୁଖ୍ୟ ଲକ୍ଷ୍ୟ। କୌଣସି ଦଳକୁ ଆମେ ନ୍ୟୁନ ମନେକରିବୁନି। ପ୍ରତି କ୍ବାର୍ଟରଠୁ ଆରମ୍ଭ କରି ପ୍ରତି ମ୍ୟାଚ୍‌ରେ ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିବୁ। ଭୁବନେଶ୍ବରରେ ‌‌ଶ୍ରେଷ୍ଠ ଦଳ ହୋଇ ଅଲିମ୍ପିକ୍‌ ଟିକେଟ୍‌ ହାସଲ କରିବୁ ବୋଲି ଦୃଢ଼ତାର ସହ କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌। ଆମର ଫିନିସିଂ, ସର୍କଲ ପ୍ରବେଶରେ ଥିବା ଦୂର୍ବଳତାକୁ ସୁଧାରିବା ଲାଗି ବେଶି ଧ୍ୟାନ ଦେଇଛୁ। ପେନାଲ୍‌ଟି କର୍ନରରେ ବି ସମସ୍ୟା ରହିଛି। ଅଷ୍ଟ୍ରେଲିଆ ଗସ୍ତରେ ଏହି ସବୁ ସମସ୍ୟା ପାଇଥିଲି। ଏସବୁ କ୍ଷେତ୍ରରେ ଭଲ କରିବା ଲାଗି ଅଭ୍ୟାସ ବେଳେ ଗୁରୁତ୍ବ ଦେଉଛି ବୋଲି କହିଛନ୍ତି ନୂଆ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ।publive-image
ଏହି ପ୍ରତିଯୋଗିତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ: ମନ୍‌ପ୍ରୀତ
ଅଲିମ୍ପିକ୍‌ ଯୋଗ୍ୟତା ଥିବାରୁ ଏହି ପ୍ରତିଯୋଗିତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ସନ୍ତୁଳିତ ରହିଛି। ସାମୁଦ୍ରିକ ଝଡ଼ ଫନି‌ ଯୋଗୁଁ ‌ଓଡ଼ିଶା କ୍ଷତିଗ୍ରସ୍ତ ହେବା ସତ୍ବେ ଏହି ଭଳି ବିଶ୍ବସ୍ତରୀୟ ପ୍ରତି‌ଯୋଗିତା ଆୟୋଜନ କରିବାକୁ ଯାଉଥିବାରୁ ଏଠିକାର ସରକାରଙ୍କୁ ଧନ୍ୟବାଦ ଦେବି। ‌ଯେତେ‌ବେଳେ ଭୁବନେଶ୍ବରରେ ଖେଳିଛୁ ସବୁବେଳେ ଦର୍ଶକଙ୍କ ସମର୍ଥନ ମିଳିଛି। ଏଭଳି ସମର୍ଥନ ମଧ୍ୟ ଜାରି ରହିବାର ଆଶା ଅଛି। ଯାହା ଆମକୁ ଆଗକୁ ବଢ଼ିବାରେ ସହଯୋଗ କରିବ। ଏହି ପ୍ରତି‌ଯୋଗିତାରେ ଭାରତ ମାନ୍ୟତାରେ ଶୀର୍ଷରେ ରହିଥିଲେ ମଧ୍ୟ କୌଣସି ଦଳକୁ ହାଲକାରେ ନେବୁନି। ଆମର ଥିବା ଦୋଷ ଦୁର୍ବଳତାକୁ ସଜାଡ଼ିବା ଲାଗି ନୂଆ ପ୍ରଶିକ୍ଷକ ବେଶି ଗୁରୁତ୍ବ ଦେଉଛନ୍ତି। ଯାହା ଏଠାରେ ଭଲ କରିବା ଲାଗି ସହାୟତା କରିବା ସହ ଅଲିମ୍ପିକ୍‌ ଟିକେଟ୍‌ ହାସଲ ଲାଗି ଶତପ୍ରତିଶତ ଲଗାଇବୁ ବୋଲି କହିଛନ୍ତି ଅଧିନାୟକ ମନ୍‌ପ୍ରୀତ ସିଂହ।

ପ୍ରଥମ ଥର ଲାଗି ଭାରତୀୟ ଦଳର ଉପଅଧିନାୟକ ପୁଣି ଘରୋଇ ପଡ଼ିଆରେ ସେଥିପାଇଁ ବହୁତ ଖୁସି। ଏବେ ମୋର ଦାୟିତ୍ବ ବଢ଼ିଯାଇଛି। ଦଳ ରଖିଥିବା ଏହି ବିଶ୍ବାସକୁ ପୂରା କରିବି ବୋଲି କହିଛନ୍ତି ବୀରେନ୍ଦ୍ର ଲାକ୍ରା। ଯୁବ ଏବଂ ଅଭିଜ୍ଞଙ୍କୁ ନେଇ ଦଳ ସନ୍ତୁଳିତ ରହିଛି। ଶିବିରରେ ଓଡ଼ିଶାର ୫ ଜଣ ଥିଲେ ମଧ୍ୟ ମୁଁ ଆଉ ଅମିତ ସୁଯୋଗ ପାଇଛୁ। ‌ଦଳୀୟ ଚୟନକର୍ତା ସବୁ ଦେଖି ଏଭଳି ଚୟନ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବିଜେତା ହେଲେ ଅଲିମ୍ପିକ୍‌ ଯୋଗ୍ୟତା ହେବ ନଚେତ ଆମ ପାଇଁ କଷ୍ଟକର। ଏଥିପାଇଁ ପୂରା ଦଳ ଭଲ କରିବାକୁ ଲାଗିପଡ଼ିବ। ‌ଶେଷ ସମୟରେ ଗୋଲ୍‌ ବରଣ ସହ ପରାଜୟ ଏବଂ ଠିକ୍‌ ଭାବେ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତର କରିବା ଭଳି ସମସ୍ୟ ବହୁଦିନ ହେଲା ଆମର ରହିଛି। ନୂଆ ପ୍ରଶିକ୍ଷକ ଏହି ସମସ୍ୟକୁ ନେଇ ଭିଡିଓ ବିଶ୍ଲେଷଣ କରିବା ସହ ଏଥିରୁ ମୁକୁଳିବା ଲାଗି ବାଟ ବତାଉଛନ୍ତି। ଯାହାକି ଏହି ପ୍ରତିଯୋଗିତାରେ ସୁଧୁରିଯିବାର ଆଶା ରଖିଛୁ। କୌଣସି ଦଳର ମାନ୍ୟତାକୁ ନେଇ ପ୍ରଦର୍ଶନ ଦେଖି ହେବନି। ‌ମ୍ୟାଚ୍‌ ଦିନର ପ୍ରଦର୍ଶନ ଉପରେ ହିଁ ଦଳର ବିଜୟ ନିର୍ଣ୍ଣୟ କରିଥାଏ। ସେଥିପାଇଁ କୌଣସି ଦଳକୁ ହାଲକା ନେବୁନି। ଜାପାନ ଓ ଦକ୍ଷିଣ ଆଫ୍ରିକ‌ା ଭଲ ଦଳ ବୋଲି କହିଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର। ପଡ଼ିଆ ମରାମତିକୁ ନେଇ ଖୁସି ଅଛି। ଫନିରେ କ୍ଷତିଗ୍ରସ୍ତ ହୋଇଥିବା ହକି କମ୍ପ୍ଲେକ୍ସ ଟର୍ଫ ମରାମତି ଭଲ ରହିଛି। ଆମେ ଏଠାରେ ୫ ଦିନ ଅଭ୍ୟାସ କରିଛୁ, କିଛି ଅସୁବିଧାର ସମ୍ମୁଖୀନ ହୋଇନୁ ବୋଲି କହିଛନ୍ତି ପ୍ରଥମ ଥର ଲାଗି ଜାତୀୟ ଦଳର ଉପଅଧିନାୟକ ‌ହୋଇଥିବା ବୀରେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe