‘ଲକ୍ଷ୍ମଣ-ଦ୍ରାବିଡ଼ ନିର୍ଧୂମ ଛେଚୁଥିଲେ, ଆମେ ଜଳକା ପାଲଟିଥିଲୁ’

Advertisment

୨୦୦୧ ଇଡେନ୍ ଟେଷ୍ଟ୍ ଦୁର୍ଦ୍ଦଶାକୁ ମନେ ପକାଇଲେ ୱର୍ନ

୨୦୦୧ ଇଡେନ୍ ଟେଷ୍ଟ୍ ଦୁର୍ଦ୍ଦଶାକୁ ମନେ ପକାଇଲେ ୱର୍ନ

‘ଲକ୍ଷ୍ମଣ-ଦ୍ରାବିଡ଼ ନିର୍ଧୂମ ଛେଚୁଥିଲେ, ଆମେ ଜଳକା ପାଲଟିଥିଲୁ’

ସାଉଥମ୍ପଟନ୍: ପାକିସ୍ତାନ-ଇଂଲଣ୍ଡ ତୃତୀୟ ଟେଷ୍ଟ୍‌ରେ ଧାରାବିବରଣୀ ଦେବା ଅବସରରେ ଅଷ୍ଟ୍ରେଲିଆର କିଂବଦନ୍ତି ସ୍ପିନର ସେନ୍ ୱର୍ନ, ୨୦୦୧ ମସିହା ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌କୁ ମନେ ପକାଇଛନ୍ତି। ଭାରତ ବିପକ୍ଷ ସେହି ମ୍ୟାଚ୍‌ରେ କଙ୍ଗାରୁ ଦଳ କିଭଳି ଅପ୍ରତ୍ୟାଶିତ ଓ ନାଟକୀୟ ପରାଜୟ ବରଣ କରିଥିଲା ସେନେଇ ପୁଙ୍ଖାନୁପୁଙ୍ଖ ଚର୍ଚା କରିଥିଲେ। ଫଲୋଅନ୍ ପରେ ମଧ୍ୟ ଭାରତ କିଭଳି ଐତିହାସିକ ବିଜୟ ହାସଲ କରି ଷ୍ଟିଭ୍ ୱ’ଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆକୁ ଚକିତ କରି ଦେଇଥିଲା ସେ ବିଷୟ ବି ବର୍ଣ୍ଣନା କରିଥିଲେ ୱର୍ନ।

ଭାରତ ବିଜୟର ପ୍ରମୁଖ ସୂତ୍ରଧର ତଥା ଦୁଇ ନିର୍ଭରଯୋଗ୍ୟ ଓ ମହାନ ବ୍ୟାଟ୍ଦମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ୱର୍ନ ଏହି ଅବସରରେ ଭୂୟଶୀ ପ୍ରଶଂସା କରିଥିଲେ। ସେତେବେଳେ ଅଷ୍ଟ୍ରେଲିଆ ବୋଲରଙ୍କୁ ଉଭୟ ଦ୍ରାବିଡ଼ ଓ ଲକ୍ଷ୍ମଣ ଯେ ନିଜ ମନ ମୁତାବକ ପଡ଼ିଆର ଯେ କୌଣସି ସ୍ଥାନକୁ ଖେଳି ପାରୁଥିଲେ ତାହା ମଧ୍ୟ ସ୍ବୀକାର କରିଥିଲେ ସେ। ବ୍ୟକ୍ତିଗତ ଭାବେ ୱର୍ନ ସେହି ମ୍ୟାଚ୍‌ରେ ୧୫୨ ରନ୍ (୩୪ ଓଭର) ବ୍ୟୟ କରି ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ। ସେହି ଦୁର୍ଦ୍ଦଶା ଓ ପଡ଼ିଆରେ କଟାଇଥିବା ଲମ୍ବାଦିନକୁ ମନେ ପକାଇ ୱର୍ନ କହିଥିଲେ ଯେ ମୋର ଠିକ୍ ମନେ ଅଛି, ସ୍ଲିପ୍‌ରେ ଅସହାୟ ଭାବେ ଛିଡ଼ା ହୋଇ ଆମେ ୪୦୦୦ ଓଭର (ପ୍ରକୃତରେ ପାଖାପାଖି ୧୮୦ ଓଭର) ବୋଲିଂ କରିବା ଏବଂ ପଡ଼ିଆର ଚାରିପଟକୁ ମାଡ଼ ଖାଉଥିବାର ଦେଖିବା ସାର ହୋଇଥିଲା। ୱିକେଟ୍ ରକ୍ଷକ ଆଦାମ ଗିଲକ୍ରିଷ୍ଟଙ୍କ ସହ ମୁଁ ମୋ ପସନ୍ଦର ଚଳଚ୍ଚିତ୍ର ବିଷୟରେ ଆଲୋଚନା କରୁଥିଲି। ଆମେ ଟୋପି ମଧ୍ୟ ଅଦଳ ବଦଳ କରିଥିଲୁ। ସେମାନଙ୍କ ବ୍ୟାଟିଂରୁ ଧ୍ୟାନ ହଟାଇବା ଲାଗି ସବୁକିଛି କରିଥିଲୁ। ମୁଁ ମୋ ପସନ୍ଦର ଗୀତ ମଧ୍ୟ ଗାଇଥିଲି। ମୁଁ ଭାବୁଛି ଆମେ ପୂରା ଭାରାକ୍ରାନ୍ତ ହୋଇ ଯାଇଥିଲୁ।

ଭାରତ ଏହି ସ୍ମରଣୀୟ ବିଜୟର ଶ୍ରେୟ ଲକ୍ଷ୍ମଣ ଓ ଦ୍ରାବିଡ଼ଙ୍କୁ ଦେଇ ୱର୍ନ ଆହୁରି କହିଥିଲେ ‘‘ସେମାନେ ସୁନ୍ଦର ବ୍ୟାଟିଂ କରିଥିଲେ। ବିଶେଷ କରି ଲକ୍ଷ୍ମଣ ଖେଳିଥିବା ପାଳି ସେତେବେଳର ଅନ୍ୟତମ ଶ୍ରେଷ୍ଠ ପାଳି ଥିଲା। ସେ ଚମତ୍କାର ଢଙ୍ଗରେ ନିଜ ପାଳିକୁ ଗଢ଼ିଥିଲେ। ଦ୍ରାବିଡ଼ଙ୍କ ବ୍ୟାଟିଂ ମଧ୍ୟ ଦେଖିଲା ଭଳି ଥିଲା। କେବେ କେବେ ଆପଣଙ୍କୁ ‘ଅତି ଭଲ’ କହିବାକୁ ପଡ଼ିଥାଏ। ଲକ୍ଷ୍ମଣ ଓ ଦ୍ରାବିଡ଼ଙ୍କ ପାଳି ଏହି ଶ୍ରେଣୀୟ’’।

ସୂଚନାଯୋଗ୍ୟ, ଭାରତର ସ୍କୋର ୨୮୪/୪ ଥିଲା ବେଳେ ଲକ୍ଷ୍ମଣ ଓ ଦ୍ରାବିଡ଼ ସଂପୂର୍ଣ୍ଣ ଗୋଟିଏ ଦିନ ସହ ୧୦୪ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ୨୮୧ ରନ୍‌ର ପାଳି ଖେଳି ଲକ୍ଷ୍ମଣ ଇତିହାସ ପୃଷ୍ଠାରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ନେଇଥିଲେ। ଏହି ଉତ୍ଥାନ ପତନ ଓ ନାଟକୀୟ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୪୫ ରନ୍ କରିଥିଲା। ଏହାର ଜବାବରେ ଭାରତ ୧୭୧ ରନ୍ କରି ଫଲୋଅନ୍ ହୋଇଥିଲା। ଦ୍ବିତୀୟ ପାଳିରେ କିନ୍ତୁ ଟିମ୍ ଇଣ୍ଡିଆ ମ୍ୟାଚ୍‌ର ମୋଡ଼କୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲା। ଲକ୍ଷ୍ମଣ ଓ ଦ୍ରାବିଡ଼ଙ୍କ ମଧ୍ୟରେ ହୋଇଥିବା ୩୭୬ ରନ୍‌ର ପଞ୍ଚମ ୱିକେଟ୍ ଭାଗୀଦାରି ବଳରେ ୬୫୭/୭ରେ ଭାରତ ଦ୍ବିତୀୟ ପାଳି ଘୋଷଣା କରିଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅଷ୍ଟ୍ରେଲିଆ କିନ୍ତୁ ୨୧୨ ରନ୍‌ରେ ଅଲଆଉଟ୍ ହୋଇ ୧୭୧ ରନ୍‌ରେ ପରାଜିତ ହୋଇଥିଲା। ଫଲୋଅନ୍ ପରେ କୌଣସି ଟେଷ୍ଟ୍ ଜିତିବାରେ ଭାରତ ସେତେବେଳେ ବିଶ୍ବର ତୃତୀୟ ଦଳ ହେବାର ଗୌରବ ଅର୍ଜନ କରିଥିଲା। ହ୍ୟାଟ୍ରିକ୍‌ ସହ ୧୩ ୱିକେଟ୍ ନେଇଥିବା ସ୍ପିନର ହରଭଜନ ସିଂହ ଭାରତ ବିଜୟର ଅନ୍ୟତମ ନାୟକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe