ଆଲିଆଙ୍କ ସହ ଯୋଡ଼ିହେଲେ ୱାର୍ଣ୍ଣର

ଆଲିଆଙ୍କ ସହ ଯୋଡ଼ିହେଲେ ୱାର୍ଣ୍ଣର

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ବଲିଉଡ୍ ଗୀତ, ସଂଗୀତକୁ ବହୁତ ଭଲ ପାଆନ୍ତି। ଭାରତ‌ରେ ରହିବା ସମୟରେ ବଲିଉଡ୍ ଚଳଚ୍ଚିତ୍ରର ପ୍ରେମରେ ପଡ଼ି ଯାଇଥିବା ରସିକିଆ ୱାର୍ଣ୍ଣର ଅନେକ ସମୟରେ ବିଭିନ୍ନ ହିନ୍ଦୀ ହିଟ୍ ନମ୍ବରକୁ ନିଜସ୍ବ ରୂପ ଦେଉଥିବା ଦେଖିବାକୁ ମିଳେ। ଅନେକ ସମୟରେ ସେ ଏକ ନିର୍ଦ୍ଦିଷ୍ଟ ବଲିଉଡ୍ ଗୀତର ନାୟକଙ୍କ ମୁହଁରେ ନିଜ ଫଟୋ ଲଗାଇ ନୃତ୍ୟ କରୁଥିବାର ଭିଡିଓ ପ୍ରକାଶ କରନ୍ତି। ତାଙ୍କ ପତ୍ନୀ ଓ ଝିଅମାନେ ବି ଏଥିରେ ସାମିଲ ରହିଥା’ନ୍ତି। ପୂରା ପରିବାର ଆଧୁନିକ ସଫ୍ଟ‌ୱୟାର ଉପଯୋଗ କରି ଗୀତର ନିଜସ୍ବ ସଂସ୍କରଣ ଛାଡ଼ନ୍ତି। ନାୟିକା ମୁହଁରେ ୱାର୍ନର ନିଜ ପତ୍ନୀଙ୍କ ମୁହଁ ଯୋଡ଼ି ଦିଅନ୍ତି। ଝିଅମାନଙ୍କ ମୁହଁ ମଧ୍ୟ ବେଶ୍ କୌତୁକିଆ ଢଙ୍ଗରେ ଉପଯୋଗ କରନ୍ତି। ତାଙ୍କର ଏହି ନିଆରା ସୃଜନଶୀଳତାର ନୂଆ ଶିକାର ହୋଇଛି ହିଟ୍ ବଲିଉଡ୍ ଚଳଚ୍ଚିତ୍ର ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର-୨। ଆଲିଆ ଭଟ୍ଟ ଓ ଟାଇଗର ସ୍ରଫ୍‌ଙ୍କ ଅଭିନୀତ ଏକ ଗୀତକୁ ୱାର୍ଣ୍ଣର ନୂଆ ରୂପ ଦେଇଛନ୍ତି।

ଟାଇଗରଙ୍କ ମୁହଁ ଉପରେ ନିଜ ମୁହଁର ଛବି ଲଗାଇ ଆଲିଆଙ୍କ ସହ ଧୂମ ନାଚୁଛନ୍ତି। ତା ତଳେ ‘‘ଲୋକଙ୍କ ଚାହିଦାରେ ପୁଣି ଫେରିଲି, ବହୁତ ବଢ଼ିଆ’’ ବୋଲି ଲେଖିଛନ୍ତି। ଆଗକୁ ମଧ୍ୟ ଏହିପରି ଅନେକ ଗୀତ ସେ ନିଜ ସାମାଜିକ ଗଣମାଧ୍ୟମରେ ଛାଡ଼ିବେ ବୋଲି ସଙ୍କେତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ କରୋନା ସଙ୍କଟ ପାଇଁ ଆଇପିଏଲ୍ ଅଧାରୁ ବନ୍ଦ ହେବା ପରେ ୱାର୍ଣ୍ଣର ଭାରତରୁ ଯାଇ ମାଳଦ୍ବୀପରେ ସଙ୍ଗରୋଧରେ ଥିଲେ। ସେଠାରୁ ନିଜ ଦେଶକୁ ଫେରି ଆହୁରି ଦେଢ଼ ସପ୍ତାହ ସଙ୍ଗରୋଧରେ ରହିବା ପରେ ପରିବାର ସହ ମିଶିବାର ସୁଯୋଗ ପାଇଥିଲେ। ପରିବାରକୁ ଭେଟିବା ପରେ ୱାର୍ଣ୍ଣର ଏବେ ପୁଣି ଥରେ ପୂର୍ବଭଳି ମଜାଦାର ଭିଡିଓ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe