ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ତାରକା ଡେଭିଡ୍ ୱାର୍ଣ୍ଣରଙ୍କୁ ସନ୍ରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲ୍ ଋତୁ ଅଧାରୁ ଅଧିନାୟକ ପଦରୁ ହଟାଇ ଦେଇଛି। ଏହା ପରେ ତାଙ୍କୁ ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ନିଜ ଚୂଡ଼ାନ୍ତ ଏକାଦଶରେ ବି ସ୍ଥାନ ଦେଇନଥିଲା। ଏହାକୁ ଦେଖି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ କହିଛନ୍ତି ଯେ ହାଇଦ୍ରାବାଦ ଦଳ ସହ ୱର୍ଣ୍ଣର ହୁଏତ ଆଉ ଦେଖିବାକୁ ମିଳି ନପାରନ୍ତି। ‘‘ ଚୂଡ଼ାନ୍ତ ଏକାଦଶରେ ୱାର୍ଣ୍ଣର ସ୍ଥାନ ନପାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା। ତାଙ୍କୁ ଅଧିନାୟକ ପଦରୁ ହଟାଇ କେନ୍ ୱିଲିୟମସନ୍ଙ୍କୁ ଦାୟିତ୍ବ ଦେବା ଠିକ୍ ଅଛି। କିନ୍ତୁ ୱାର୍ଣ୍ଣର ଜଣେ ଭଲ ବ୍ୟାଟର୍।
ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନେବାର ଥିଲା। ମୁଁ ଭାବୁଛି କମଳା ଟୋପିରେ ଆଉ ତାଙ୍କୁ ଦେଖିବାକୁ ମିଳିବନି'' ବୋଲି ଷ୍ଟେନ୍ କହିଛନ୍ତି। ଏପ୍ରିଲ ୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ମନୀଷ ପାଣ୍ଡେଙ୍କୁ ବାଦ୍ ଦେବା ନିଷ୍ପତ୍ତି ଉପରେ ୱାର୍ଣ୍ଣର ପ୍ରଶ୍ନ ଉଠାଇଥିଲେ। ରବିବାର ମ୍ୟାଚ୍ରେ ୱାର୍ଣ୍ଣରଙ୍କ ସ୍ଥାନରେ ମନୀଷ ଖେଳିଥିଲେ। ୱାର୍ଣ୍ଣରଙ୍କ ଏହି ନିଷ୍ପତ୍ତି ବୋଧେ ତାଙ୍କ ପାଇଁ ଭାରି ପଡ଼ିଥିଲା। ମୁଁ ଜାଣିଛି ଚୂଡ଼ାନ୍ତ ଏକାଦଶ ମାଲିକ ହେଉଛନ୍ତି ଅଧିନାୟକ। ତେବେ ବନ୍ଦ ଦ୍ବାର ପଛରେ କ'ଣ ହେଉଛି ତାହା ସାଧାରଣ ଲୋକ ଜାଣି ପାରନ୍ତିନି ବୋଲି ଷ୍ଟେନ୍ କହିଛନ୍ତି।
ସବୁ ବିକଳ୍ପ ଖୋଲା ରହିଛି: ୱିଲିୟମସନ୍
ଆଇପିଏଲ୍ର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚୂଡ଼ନ୍ତ ଏକାଦଶରୁ ଡେଭିଡ୍ ୱାର୍ଣ୍ଣରଙ୍କୁ ବାଦ୍ ଦେଇଥିଲା। ସେ ବାଦ୍ ପଡ଼ିବା ଏବଂ ଅଧିନାୟକ ପଦରୁ ବିଦା ହେବା ପରେ ଦଳର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଦେଖାଯାଇନଥିଲା। ହାଇଦ୍ରାବାଦ ୫୫ ରନ୍ରେ ରାଜସ୍ଥାନଠୁ ଏହି ମ୍ୟାଚ୍ ହାରିବା ସହ ପୂର୍ବ ପରି ପଏଣ୍ଟ୍ ତାଲିକାର ସବା ଶେଷ ସ୍ଥାନରେ ରହିଥିଲା। ପରାଜୟ ପରେ ଅଧିନାୟକ ୱିଲିୟମସନ୍ଙ୍କୁ ପଚାରା ଯାଇଥିଲା ପୁଣି ଥରେ ୱାର୍ଣ୍ଣର ଚୂଡ଼ାନ୍ତ ଏକାଦଶକୁ ଫେରିବେ କି? ଏହାର ଉତ୍ତରରେ ୱିଲିୟମସନ କହିଥିଲେ ଯେ ‘‘ଆମେ ସମସ୍ତ ବିକଳ୍ପ ଖୋଲା ରଖିଛୁ। ୱାର୍ଣ୍ଣର ଜଣେ ବିଶ୍ବସ୍ତରୀୟ ଖେଳାଳି। ତାଙ୍କୁ ନେଇ ନିଶ୍ଚିତ ଦଳ ଭିତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ।’’ ୱାର୍ଣ୍ଣରଙ୍କ ନେତୃତ୍ବରେ ଚଳିତ ଆଇପିଏଲ୍ରେ ହାଇଦ୍ରାବାଦ ୬ ମ୍ୟାଚ୍ ଖେଳିଥିଲା ବେଳେ ୫ଟି ହାରିଥିଲା। ରବିବାର ସେ ପ୍ରଥମ ଥର ଲାଗି ଆଇପିଏଲ୍ରେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିଲେ।
Follow Us