ଭୁବନେଶ୍ବର: ଚଳିତ ରଣଜୀ ଋତୁର ବିରତି ପୂର୍ବରୁ ଶେଷ ଲିଗ୍ ମ୍ୟାଚ୍ ରବିବାରଠାରୁ ଆରମ୍ଭ ହେଉଛି। ଓଡ଼ିଶା ନିଜ ପଞ୍ଚମ ରାଉଣ୍ଡ୍ ମୁକାବିଲା ନାଗାଲାଣ୍ଡ୍ ବିପକ୍ଷରେ କିଟ୍ ଷ୍ଟାଡିୟମ୍ରେ ଖେଳିବ। ଉଭୟ ଦଳ ଏଲିଟ୍ ଗ୍ରୁପ୍-ଏ’ ପଏଣ୍ଟ୍ ଟେବୁଲ୍ର ଶେଷ ଦୁଇ ସ୍ଥାନରେ ସଂଘର୍ଷ କରୁଥିବାରୁ ଏବେ କେବଳ ସମ୍ମାନ ବଞ୍ଚାଇବା ପାଇଁ ଖେଳିବେ। କହିବାକୁ ଗଲେ ପ୍ଲେଟ୍ ଡିଭିଜନ୍କୁ ଖସିଯିବାର ବିପଦକୁ ଏଡ଼ାଇବା ଏବେ ଉଭୟ ଦଳର ଲକ୍ଷ୍ୟ ରହିଛି। ଉଭୟ ଦଳ ଶନିବାର କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଜୋର୍ଦାର ଅଭ୍ୟାସ କରିଛନ୍ତି। ପ୍ରତିପକ୍ଷର ବ୍ୟାଟର୍ ଓ ବୋଲରଙ୍କ ଭିଡିଓ ଦେଖି ନିଜ ନିଜ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଅଭ୍ୟାସ ପରେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି କିଛି କହିବାକୁ ପସନ୍ଦ କରି ନଥିଲେ। ତଥାପି ଦଳ ଭଲ କରିବାକୁ ଏଠାରେ ଭଲ ସୁଯୋଗ ରହିଛି ବୋଲି ପ୍ରକାଶ କରିଥିଲେ। ଏହି ମ୍ୟାଚ୍ ପାଇଁ ଦଳରେ ସାମିଲ ହୋଇଥିବା ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ଏବଂ ନବାଗତ ୱିକେଟ୍ରକ୍ଷକ ସାୱନ ପହରିଆ ଚୂଡ଼ାନ୍ତ ଏକାଦଶରେ ଖେଳିବା ପ୍ରାୟ ନିଶ୍ଚିତ। ଏଭଳି କ୍ଷେତ୍ରରେ ବିପ୍ଳବଙ୍କ ଆଉ ଏକ ପ୍ରତ୍ୟାବର୍ତ୍ତନ ଏବଂ ସାୱନଙ୍କ ପଦାର୍ପଣ ଦେଖିବାକୁ ମିଳିବ। ନିଜ ପଦାର୍ପଣ ମ୍ୟାଚ୍ର ଶେଷ ପାଳିରେ ୯୯* ରନ୍ କରିଥିବା ଅନିଲ ପରିଡ଼ାଙ୍କୁ ବହୁ ବିଳମ୍ବରେ ସୁଯୋଗ ମିଳିବା ସମ୍ଭାବନା ରହିଛି। ସନ୍ଦୀପ ପଟ୍ଟନାୟକ, ରାଜେଶ ଧୂପର, ଜାମଲା ଭଞ୍ଜନ ମହାପାତ୍ରଙ୍କ ବଦଳରେ ବିପ୍ଳବ, ସାୱନ, ଅନିଲ ଖେଳିବା ଖେଳିବା ସମ୍ଭାବନା ରହିଛି। ପିଚ୍ ପ୍ରଥମ ଦିନ ବୋଲରଙ୍କୁ ସୁହାଇବା ପରେ କ୍ରମେ ସ୍ପୋର୍ଟିଂ ହୋଇଯିବ ବୋଲି ଅନୁମାନ କରାଯାଇଛି। ପିଚ୍ର ଆର୍ଦ୍ରତାରେ ଗଭୀରତା ଥିବାରୁ ମ୍ୟାଚ୍ ୪ ଦିନ ପର୍ଯ୍ୟନ୍ତ ତିଷ୍ଠିବ ଏବଂ ବ୍ୟାଟର୍ ଓ ବୋଲରଙ୍କ ମଧ୍ୟରେ ସନ୍ତୁଳନ ରହିବ ବୋଲି ବିଶ୍ବାସ କରାଯାଉଛି।
ଅନ୍ୟପକ୍ଷରେ ନାଗାଲାଣ୍ଡ୍ ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓଡ଼ିଶା ପ୍ରଶିକ୍ଷକ ଦେବାଶିଷ ମହାନ୍ତିଙ୍କ ପାଇଁ ଏହା ଏକ ନିଆରା ମୁହୂର୍ତ ଆଣିଦେଇଛି। ମନ ଓ ହୃଦୟ ଓଡ଼ିଶା ସହ ଥିଲେ ବି ଦାୟିତ୍ବ ଦୃଷ୍ଟିରୁ ସେ ଓଡ଼ିଶାକୁ ହରାଇବା ଯୋଜନାରେ ଅଛନ୍ତି। ‘‘ସ୍ବାଭାବିକ ଭାବେ ବିଜୟ ପାଇଁ ଯିବୁ। ପେସାଦାର ପରିସ୍ଥିତିରେ ସବୁ ଦଳ ବି ଏଭଳି ଆଶାରେ ଆସିଥାନ୍ତି। ଭଲ ପ୍ରଦର୍ଶନ ମିଳି ନଥିଲେ ବି ଓଡ଼ିଶାର ଭଲ ଦଳ ଅଛି। ପିଚ୍ ବି ଭଲ ଅଛି। ଭଲ ଖେଳୁଥିବା ଦଳ ବି ନିଶ୍ଚିତ ପଏଣ୍ଟ୍ ନେଇକି ଯିବ’’ ବୋଲି କହିଥିଲେ ଓଡ଼ିଶାର ଏହି ପ୍ରଥମ ଅର୍ନ୍ତଜାତୀୟ କ୍ରିକେଟର୍।
ଆଜିଠାରୁ କିଟ୍ରେ ଓଡ଼ିଶା-ନାଗାଲାଣ୍ଡ୍ ରଣଜୀ ମ୍ୟାଚ୍
ବଦଳିବେ ୩ ଓଡ଼ିଶା ଖେଳାଳି
ନାଗାଲାଣ୍ଡ୍ ଅଧିନାୟକ ତଥା ଅଭିଜ୍ଞ ଅଲ୍ରାଉଣ୍ଡର୍ ରଙ୍ଗ୍ସେନ୍ ଜୋନାଥନ୍ କିନ୍ତୁ ଓଡ଼ିଶାକୁ ବହୁ ଉଚ୍ଚରେ ରଖିଛନ୍ତି। ଘରୋଇ କ୍ରିକେଟ୍ରେ ଆମେ ମାତ୍ର ୬ ଋତୁ ଖେଳିଛୁ, ଓଡ଼ିଶା ସାଢ଼େ ୭ ଦଶନ୍ଧିର ଦଳ। ଅଭିଜ୍ଞତା ଦୃଷ୍ଟିରୁ ସେମାନେ ଆମଠାରୁ ଢେର୍ ଆଗରେ ଅଛନ୍ତି। ଚଳିତ ଋତୁରେ ସେମାନେ ଭଲ ଖେଳି ନଥିବାର ଭିନ୍ନ କାରଣ ରହିଛି। ଚଳିତ ରଣଜୀ ଟ୍ରଫିରେ ଏଲିଟ୍ ଗ୍ରୁପ୍-ଏ’ ସବୁଠାରୁ କଠୋରତମ ଗ୍ରୁପ୍। ‘ବି’ କିମ୍ବା ‘ସି’ ଗ୍ରୁପ୍ ହୋଇଥିଲେ ଓଡ଼ିଶା ଏତେବେଳକୁ ୫/୬ ପଏଣ୍ଟ୍ ପକେଟସ୍ଥ କରିସାରିଥାନ୍ତା। ଓଡ଼ିଶା ଦଳ ସହ ଖେଳି ଆମେ ବହୁତ କିଛି ଶିଖିବୁ ବୋଲି କହିଛନ୍ତି ରଙ୍ଗ୍ସେନ୍।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ସାୱନ ପହରିଆ (ୱିକେଟ୍ରକ୍ଷକ), ସୌରଭ କୁମାର ଗୌଡ଼ (ୱିକେଟ୍ରକ୍ଷକ), ଅନିଲ ପରିଡ଼ା, ସମ୍ବିତ ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ରାଜେଶ ମହାନ୍ତି, ତରଣୀ ସ’, ତାପସ ଦାସ, ପ୍ରଶାନ୍ତ କୁମାର ରଣା।
‘ଏଲିଟ୍ ଗ୍ରୁପ୍ରେ ରହିବା ଅସଲ ଲକ୍ଷ୍ୟ’
ମୁଖ୍ୟ ପ୍ରଶିକ୍ଷକ ଦେବାଶିଷ ମହାନ୍ତିଙ୍କ ଉପସ୍ଥିତି ଓ ଅଭିଜ୍ଞତା ନାଗାଲାଣ୍ଡ୍କୁ ଏକ ଭଲ ଦଳରେ ପରିଣତ କରିଛି ବୋଲି ଦୃଢ଼ତାର ସହ କହିଥିଲେ ଅଧିନାୟକ ରଙ୍ଗ୍ସେନ୍। ‘‘ଆମେ ତାମିଲନାଡୁ ସହ ଭଲ ଲଢ଼ିଥିଲୁ ଏବଂ ୧ ପଏଣ୍ଟ୍ ପାଇଛୁ। ଏହା ଆମ ମନୋବଳକୁ ଆଗକୁ ନେଇଛି। ମୁଖ୍ୟ ପ୍ରଶିକ୍ଷକ ମହାନ୍ତି ସାର୍ (ଦେବାଶିଷ) ବଡ଼ ଫରକ ପକାଇଛନ୍ତି। ମ୍ୟାଚ୍ର ପ୍ରତିଟି ପରିସ୍ଥିତିରେ ବ୍ୟାଟର୍ ଓ ବୋଲରଙ୍କୁ ସେ ଗାଇଡ୍ କରିଥାନ୍ତି। ଆସନ୍ତା କିଛି ଋତୁରେ କ୍ରମେ ଆମେ ଭଲ କରିବୁ’ ବୋଲି କହିଥିଲେ ୩୯ ବର୍ଷୀୟ ରଙ୍ଗ୍ସେନ୍। ଫୁଟ୍ବଲ୍ ଲୋକପ୍ରିୟ ନାଗାଲାଣ୍ଡ୍ରେ କ୍ରିକେଟ୍ ଏତେ ବ୍ୟବସ୍ଥିତ ନୁହେଁ ବୋଲି ସ୍ବୀକାର କରିଥିଲେ ୫୩ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଏହି ବ୍ୟାଟିଂ ଅଲ୍ରାଉଣ୍ଡର୍। ‘‘ନାଗାଲାଣ୍ଡ୍ରେ ଡିମାପୁରକୁ ଛାଡ଼ିଦେଲେ ଆଉ କେଉଁଠି ପ୍ରାୟ କ୍ରିକେଟ୍ ନାହିଁ କହିଲେ ଚଳେ।
କ୍ରିକେଟ୍କୁ ନେଇ ଏତେ କ୍ରେଜ୍ ବି ଆମ ରାଜ୍ୟରେ ନାହିଁ। ଓଡ଼ିଶାର ସ୍କୁଲ୍ ଦଳ ବି ଆସି ନାଗାଲାଣ୍ଡ୍ ଜିଲ୍ଲା ଦଳକୁ ହରାଇପାରିବ। ସଂଘର୍ଷର ୬ ଋତୁ ରଣଜୀ ଯାତ୍ରାରେ ଆମେ ଏଲିଟ୍ ଗ୍ରୁପ୍ରେ ଖେଳିବା ବଡ଼ ସୌଭାଗ୍ୟର କଥା। ପ୍ଲେଟ୍ ଗ୍ରୁପ୍କୁ ଖସିଯାଇଥିଲେ ମଧ୍ୟ ଗତ ଋତୁରେ ଉପବିଜେତା ହୋଇ ପୁଣି ଫେରିଛୁ। ବର୍ଷା ଓ ଆର୍ଥିକ ସଙ୍କଟ କାରଣରୁ ଖେଳାଳିମାନେ ରଣଜୀ ଋତୁ ପୂର୍ବରୁ ମାତ୍ର ୧୫/୨୦ ଦିନ ପ୍ରସ୍ତୁତି କରିପାରିଥାନ୍ତି। ସେଠାରେ ୧୨୦/୧୨୫ କିଲୋମିଟର୍ ବେଗ ବୋଲିଂରେ ଅଭ୍ୟାସ କରି ରଣଜୀ ଟ୍ରଫିରେ ୧୩୫/୧୪୫ ବେଗରେ ଖେଳିବା ଆମ ପାଇଁ ବଡ଼ ଆହ୍ବାନ ହୋଇଯାଏ। ଅଭ୍ୟାସରେ ପଡୁ ପଡୁ ୪/୫ ମ୍ୟାଚ୍ ଚାଲିଯାଉଛି। ଏବେ ଆମର ବଡ଼ ଲକ୍ଷ୍ୟ ହେଉଛି ୪/୫ ପଏଣ୍ଟ୍ ସହ ଏଲିଟ୍ ଗ୍ରୁପ୍ରେ ତିଷ୍ଠି ରହିବା। ଏହି କଠୋର ଗ୍ରୁପ୍ରେ ଖେଳିଲେ ଆମକୁ ବଡ଼ ଫାଇଦା ହେବ। ଏଭଳି ସ୍ତରର ପ୍ରତିଯୋଗିତାରେ ଖେଳିବାକୁ ଆମକୁ ଆଉ କେଉଁଠି ମିଳିବ ନାହିଁ’’ ବୋଲି କହିଥିଲେ ରଙ୍ଗ୍ସେନ୍।
Follow Us