ପିଚ୍‌ ଓ ପରିବେଶକୁ ବାହାନା କରିବୁନି: ଶାସ୍ତ୍ରୀ

Advertisment

ଅଭ୍ୟାସ ମ୍ୟାଚ୍‌ରେ ୪ ଅର୍ଧଶତକ: ଭାରତ ୩୨୨/୬

ଅଭ୍ୟାସ ମ୍ୟାଚ୍‌ରେ ୪ ଅର୍ଧଶତକ: ଭାରତ ୩୨୨/୬

ଭାରତ ପାଇଁ ପେସ୍‌-ସ୍ପିନ୍‌ ଦ୍ୱନ୍ଦ୍ୱ

Virat Kohli Captain of India with Former Indian cricketer Ravi Shastri during day one of the 2nd test match between India and England in Vizag held at the Dr. Y.S. Rajasekhara Reddy ACA-VDCA Cricket Stadium on the 17th November 2016. Photo by: Deepak Malik/ BCCI/ SPORTZPICS

ଚେମ୍ସଫୋର୍ଡ: ଭାରତୀୟ କ୍ରିକେଟ୍‌ ଦଳ ଅଭିଯୋଗରେ ବିଶ୍ୱାସ କରେ ନାହିଁ। ସେଥିପାଇଁ ଇଂଲଣ୍ଡରେ ଆମ ପ୍ରଦର୍ଶନ ପାଇଁ କଠୋର ପରିବେଶ ଏବଂ ପିଚ୍‌କୁ ଦୋଷ ଦେବୁ ନାହିଁ। ଲମ୍ବା ଟେଷ୍ଟ୍‌ ଶୃଙ୍ଖଳା ହୋଇଥିଲେ ମଧ୍ୟ ପିଚ୍‌ ଓ ପରିବେଶର ମାନକୁ ଆମେ ବାହାନା କରିବୁ ନାହିଁ। ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ଏହା କହିଛନ୍ତି। ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ଚେମ୍ସଫୋର୍ଡ ପଡ଼ିଆ ଏବଂ ତା’ର ପିଚ୍‌କୁ ନେଇ ଭାରତ ଅସନ୍ତୁଷ୍ଟ ଥିବାର ଖବର ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଶାସ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଚେମ୍ସଫୋର୍ଡ ପଡ଼ିଆରେ ଭାରତ-ଏସେକ୍ସ ଅଭ୍ୟାସ ମ୍ୟାଚ୍‌ ବୁଧବାର ଆରମ୍ଭ ହୋଇଛି। ଏହାର ଅବଧିକୁ କିନ୍ତୁ ଶେଷ ମୁହୂର୍ତରେ ୪ ଦିନରୁ ୩ ଦିନକୁ କମାଇ ଦିଆଯାଇଛି। ଖରାପ ପିଚ୍‌ ପାଇଁ ଭାରତ ଏଭଳି କରିଥିବାର ଖବର ଇଂଲିସ୍‌ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଇଂଲଣ୍ଡରେ ଚାଲିଥିବା ଗ୍ରୀଷ୍ମପ୍ରବାହ ପାଇଁ ମ୍ୟାଚ୍‌ ଦିନକୁ କମାଇ ଦିଆଯାଇଥିବା ଶାସ୍ତ୍ରୀ ସଂକେତ ଦେଇଛନ୍ତି। ସେ ବୁଧବାର ସାମ୍ବାଦିକଙ୍କ ସହ କଥା ହେଲା ବେଳେ ନିଜ ଚିର ପରିଚିତ ଶୈଳୀରେ କହିଥିଲେ ଯେ ମୋ ସିଦ୍ଧାନ୍ତ ପୂରା ସରଳ। ଆପଣଙ୍କ ଦେଶରେ ମୁଁ କୌଣସି ପ୍ରଶ୍ନ କରିବି ନାହିଁ। ମୋ ଦେଶରେ ବି ଆପଣ କୌଣସି ପ୍ରଶ୍ନ କରିବେନି। ପଡ଼ିଆ କର୍ମୀଙ୍କୁ ମୁଁ କହିଛି ପିଚ୍‌ରେ ଘାସ ରହିବାକୁ ଦିଅ, ତାକୁ ହଟାଅନି। ଅଭ୍ୟାସ ମ୍ୟାଚ୍‌ର ଅବଧିକୁ ୩ ଦିନକୁ କମାଇ ଦେବାର ନିଷ୍ପତ୍ତି ମଙ୍ଗଳବାର ନିଆଯାଇଥିଲା। ଆମେ ଦୁଇ ଦିନିଆ ମ୍ୟାଚ୍‌ ଖେଳିବାକୁ ଚାହୁଁଥିଲୁ। ହେଲେ ଏସେକ୍ସ ଅଧିକାରୀମାନେ ଅଗ୍ରିମ ଟିକେଟ ବିକ୍ରି କରି ସାରିଥିବାରୁ ୩ ଦିନିଆ ମ୍ୟାଚ୍‌ ଖେଳିବାକୁ ରାଜି ହୋଇଥିଲୁ।

ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଏସେକ୍ସ ବିପକ୍ଷ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ରେ ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅର୍ଧଶତକ ଅର୍ଜନ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମୁରଲୀ ବିଜୟ (୫୩), ଅଧିନାୟକ ବିରାଟ କୋହଲି (୬୮), ମଧ୍ୟକ୍ରମରେ ଖେଳିଥିବା ଲୋକେଶ ରାହୁଲ (୫୮) ଏବଂ ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ (୮୨*) ଅର୍ଧଶତକ ଅର୍ଜନ କରି ନିଜ ନିଜ ମନୋବଳ ବଢ଼ାଇଛନ୍ତି। ହେଲେ ଅନ୍ୟତମ ପ୍ରାରମ୍ଭିକ ତାରକା ଶିଖର ଧାଓ୍ଵନ (୦), ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା (୧) ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୧୭) ବିଫଳ ହୋଇଛନ୍ତି। ଧାଓ୍ଵନ ଏବଂ ପୂଜାରା ଏଜ୍‌ବାଷ୍ଟନ ଟେଷ୍ଟ୍‌ ପୂର୍ବରୁ ନିଜ ନିଜର ବ୍ୟାଟିଂକୁ ଶାଣିତ କରିବାର ସୁଯୋଗ ହରାଇଛନ୍ତି। କାର୍ତିକଙ୍କ ସହ ହାର୍ଦିକ ପାଣ୍ଡ୍ୟା ୩୩ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଫଳରେ ଏକ ସମୟରେ ୪୪ ରନ୍‌ରେ ୩ ଓ୍ଵିକେଟ୍‌ ହରାଇଥିବା ଭାରତ ପ୍ରଥମ ଦିନ ଷ୍ଟମ୍ପ୍‌ସ ଅପସରଣ ବେଳକୁ ୬ ଓ୍ଵିକେଟ୍‌ ବିନିମୟରେ ୩୨୨ ରନ୍‌ କରିଛି। ଏସେକ୍ସ ପକ୍ଷରୁ ମ୍ୟାଟ୍‌ କୋଲ୍ସ ଓ ପଲ୍‌ ଓ୍ଵାଲ୍‌ଟର ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡର ୧,୦୦୦ତମ ଟେଷ୍ଟ୍‌

ଲଣ୍ଡନ,: ଅଗଷ୍ଟ ପହିଲାରୁ ଏଜ୍‌ବାଷ୍ଟନ୍‌ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ ହେବ ଇଂଲଣ୍ଡର ୧,୦୦୦ତମ ଟେଷ୍ଟ୍‌ ମ୍ୟାଚ୍‌। ଇଂଲଣ୍ଡ ମଧ୍ୟ ୧,୦୦୦ ଟେଷ୍ଟ୍‌ ଖେଳିବାରେ ପ୍ରଥମ ଦଳ ହେବ। ଏହି ଐତିହାସିକ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ହାସଲ କରିଥିବା କେତେକ ସ୍ମରଣୀୟ ବିଜୟକୁ ମନେ ପକାଇଛନ୍ତି। ୨୦୦୫ ଆସେସ୍‌ ବିଜୟକୁ ସେ ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡର ଶ୍ରେଷ୍ଠ ବିଜୟ ଭାବେ ବର୍ଣ୍ଣନା କରିଛନ୍ତି। ୨୦୦୫ର ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚ୍‌କୁ ଇଂଲଣ୍ଡ ମାତ୍ର ୨ ରନ୍‌ରେ ଜିତିଥିଲା। ପରିସଂଖ୍ୟାନ ଦୃଷ୍ଟିରୁ ଇଂଲଣ୍ଡ ଏବେ ବି ସର୍ବାଧିକ ୯୯୯ ଟେଷ୍ଟ୍‌ ଖେଳିଛି। ଅଷ୍ଟ୍ରେଲିଆ ୮୧୨ ଟେଷ୍ଟ୍‌ ଖେଳି ଏହି କ୍ରମରେ ଦ୍ୱିତୀୟ ସ୍ଥାନରେ ଅଛି। ୫୩୫ ଟେଷ୍ଟ୍‌ ସହ େଓ୍ଵଷ୍ଟଇଣ୍ଡିଜ୍‌ ତୃତୀୟ ସ୍ଥାନରେ ଥିଲା ବେଳେ ଭାରତ ୫୨୨ ଟେଷ୍ଟ ଖେଳି ଚତୁର୍ଥ ସ୍ଥାନରେ ଅଛି। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ତା’ର ପ୍ରଥମ ଟେଷ୍ଟ୍‍ ୧୮୭୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଜେମ୍ସ ଲିଲିହ୍ଵାଇଟ୍‌ (ଜୁନିଅର) ସେହି ମ୍ୟାଚ୍‌ରେ ଇଂଲଣ୍ଡର ନେତୃତ୍ୱ ନେଇଥିଲେ। ସେବେଠାରୁ ଇଂଲଣ୍ଡ ୯୯୯ ଟେଷ୍ଟ୍‌ ଖେଳି ୩୫୭ ମ୍ୟାଚ୍‌ ଜିତିଥିଲା ବେଳେ ୨୯୭ ପରାଜୟ ବରଣ କରିଛି। ୩୪୫ ମ୍ୟାଚ୍‌ ଅମୀମାଂସିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe