‘ଭଲ ଖେଳିଛୁ, କିନ୍ତୁ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ଧରିପାରିଲୁନି’: ଆଶୀର୍ବାଦ, ହର୍ଷିତ ସିଜନ୍‌ର ସଂଧାନ

Advertisment

ଅଧିନାୟକତ୍ବ ଚାପ ନୁହେଁ, ମଜା ନେଇଛି, ଆଇପିଏଲ୍‌ ଖେଳିବାକୁ ବହୁ ପ୍ରତିଭା ଅଛନ୍ତି

ଅଧିନାୟକତ୍ବ ଚାପ ନୁହେଁ, ମଜା ନେଇଛି, ଆଇପିଏଲ୍‌ ଖେଳିବାକୁ ବହୁ ପ୍ରତିଭା ଅଛନ୍ତି

‘ଭଲ ଖେଳିଛୁ, କିନ୍ତୁ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ଧରିପାରିଲୁନି’: ଆଶୀର୍ବାଦ, ହର୍ଷିତ ସିଜନ୍‌ର ସଂଧାନ

ସୁରେଶ ସ୍ବାଇଁ

ଭୁବ‌ନେଶ୍ବର: ରଣଜୀ ଋତୁ ସରି ଆସୁଥିବାବେଳେ ଏବେ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଟ୍ରଫି ପାଇଁ ବିଦର୍ଭ ଓ ମୁମ୍ବାଇ ଟକ୍କର ଚାଲିଛି। ଓଡ଼ିଶା କିନ୍ତୁ ଆଉ ଏକ ନିରାଶାଜନକ ଋତୁ ଶେଷ କରିସାରିଛି। ୮ ଦଳୀୟ ଗ୍ରୁପ୍‌ରେ ସପ୍ତମ ସ୍ଥାନରେ ରହି ଅଭିଯାନ ଶେ‌ଷ କରିଥିବାରୁ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଉଛି। ୭ ମ୍ୟାଚ୍‌ରୁ ଦଳ ମାତ୍ର ଗୋଟିଏ ବିଜୟ ପାଇଥିବାବେଳେ ଦୁଇଟି ଡ୍ର’ରୁ ପାଳି ଅଗ୍ରଣୀ ପାଇଥିଲା। ଅନ୍ୟ ୪ଟି ମୁକାବିଲାରେ ଓଡ଼ିଶା ସିଧାସଳଖ ପରାଜୟ ବରଣ କରିଥିଲା। ସେହି କାରଣରୁ ସମାଲୋଚନା ହେବା ସ୍ବାଭାବିକ। ଅନ୍ତର୍ଜାତୀୟ କ୍ରିକେଟର୍‌ ଦୀନେଶ ମୋଙ୍ଗିଆଙ୍କ ପ୍ରଶିକ୍ଷଣରେ ଖେଳିଥିବା ଓଡ଼ିଶାର ଏଭଳି ପ୍ରଦର୍ଶନକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ ଓ ପ୍ରଶାସକ। ପ୍ରଥମ ଥର ଓଡ଼ିଶା ରଣଜୀ ଦଳର ନେତୃତ୍ବ ନେଇଥିବା ଶାନ୍ତନୁ ମିଶ୍ର କିନ୍ତୁ ଦଳର ପ୍ରଦର୍ଶନକୁ ନେଇ ବିଶେଷ ବିସ୍ମିତ ନୁହନ୍ତି। ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ୨୯ ବର୍ଷୀୟ ଶାନ୍ତନୁ କରିଥିଲେ ସିଜନ୍‌ର ସିଂହାବଲୋକନ।

୨୦୨୩-୨୪ ରଣଜୀ ଋତୁରେ ଓଡ଼ିଶାର ପ୍ରଦର୍ଶନ ଖରାପ ବୋଲି ମୁଁ କହିବି ନାହିଁ। ପଏଣ୍ଟ୍‌ ଟେବୁଲ୍‌ରେ ଆମ ସ୍ଥାନ (ସପ୍ତମ)କୁ ଦେଖିଲେ ଏହା ସବୁକିଛି ଦର୍ଶାଉନାହିଁ। ଏହା ସତ ଯେ ଆମେ ପ୍ରାଧାନ୍ୟ ବିସ୍ତାର କରିପାରିନାହୁଁ। ସିଜନ୍‌ସାରା ଆମେ ଭଲ କ୍ରିକେଟ୍ ଖେଳିଛୁ, କିନ୍ତୁ କିଛି ଛୋଟ ଛୋଟ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ଧରିରଖିପାରୁଲୁ ନାହିଁ। ବରୋଦା ବିପକ୍ଷରେ ଆମେ ଭଲ ଲଢ଼ିଥିଲୁ, କିନ୍ତୁ ଗୋଟିଏ ସେସନ୍‌ରେ ଖେଳ ବଦଳିଯାଇଥିଲା। ସେଠାରେ ହାରିଯିବା ଫଳରେ ଏହା ଆମକୁ ପ୍ରଭାବିତ କରିଥିଲା। ମଧ୍ୟପ୍ରଦେଶ ବିପକ୍ଷରେ ତାଙ୍କ ପଡ଼ିଆରେ ପ୍ରଭାବ ବିସ୍ତାର କରିଥିଲୁ। ଭଲ ବ୍ୟାଟିଂ ସହ ଘରୋଇ ଦଳକୁ ଫଲୋଅନ୍ ଦେଇଥିଲୁ। କିନ୍ତୁ ବିଜୟୀ ହୋଇପାରିନଥିଲୁ। ପାଳି ଅଗ୍ରଣୀ ସହ ୩ ପଏଣ୍ଟ୍‌ରେ ସନ୍ତୁଷ୍ଟ ହୋଇଥିଲୁ। ଜମ୍ମୁ ଓ କାଶ୍ମୀର ବିପକ୍ଷ ପ୍ରଥମ ଘରୋଇ ମ୍ୟାଚ୍‌ ଆମେ ଜିତିବାର ଥିଲା। ବହୁ କ୍ଲୋଜ୍ ମ୍ୟାଚ୍‌ ହୋଇଥିଲା। ସେଠାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ସୁଯୋଗ ହାତଛଡ଼ା କରି ହାରିଯାଇଥିଲୁ। ଏହି ମ୍ୟାଚ୍‌ ୫୦:୫୦ ସ୍ଥିତିରେ ଥିଲା। କ୍ରିକେଟ୍‌ରେ ଏମିତି ହୁଏ ବୋଲି କହିଥିଲେ ଏହି ଓପନିଂ ବ୍ୟାଟର୍‌। ପୁଡୁଚେରୀ ବିପକ୍ଷରେ ଆମେ ଜିତିବା ସ୍ଥିତିରେ ଥିଲୁ‌, କିନ୍ତୁ ଆଲୋକ ଅଭାବରୁ ଆଗୁଆ ମ୍ୟାଚ୍‌ ଅଟକିଯାଇଥିଲା। ସେହି ୩ ପଏଣ୍ଟ୍‌ରେ ରହିଗଲୁ। ଉତ୍ତରାଖଣ୍ଡ ବିପକ୍ଷରେ ଆମେ ଅଲରାଉଣ୍ଡ୍ ଖେଳ ଦେଖାଇପାରିନଥିଲୁ। ଏହି କିଛି ସହଜ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ଆମକୁ ବିଜୟ ମିଳିଥିଲେ ଆମେ ୧୮ ପଏଣ୍ଟ୍‌ ସହ ଭଲ ପୋଜିସନ୍‌ରେ ରହିପାରିଥାନ୍ତୁ, ପଏଣ୍ଟ୍‌ ‌ଟେବୁଲ୍‌ ଭିନ୍ନ ଦେଖାଯାଇଥାନ୍ତା। ତଥାପି ମୁଁ ସ୍ବୀକାର କରିବି ଦଳଗତ ଭାବେ ଆମେ ଉନ୍ନତ ପ୍ରଦର୍ଶନ ଦେଇପାରିନୁ। ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ମୁଁ ମଧ୍ୟ ଖୁସି ନୁହେଁ। ଓପନର୍ ଭାବେ ସବୁବେଳେ ଆହ୍ବାନ ତ ରହିଥାଏ, କିନ୍ତୁ ମୁଁ ଯେମିତି‌ ଖେଳେ ସେଭଳି ଖେଳିପାରିନାହିଁ। ଯେ କୌଣସି ଦଳକୁ ଓପନିଂରୁ ୬୦/୭୦ ରନ୍ କି ୧୦୦ ରନ୍ ମିଳିଗଲେ ପ୍ରତିଦ୍ବନ୍ଦ୍ବୀ ଚାପରେ ପଡ଼ିଥାଏ। ସେ କ୍ଷେତ୍ରରେ ମୋ ବ୍ୟକ୍ତିଗତ ବିଫଳତା ଦଳକୁ ପ୍ରଭାବିତ କରିଥିଲା। କିନ୍ତୁ ଏହା ମୋ ନେତୃତ୍ବ ଦାୟିତ୍ବଜନିତ ଚାପରୁ ଘଟିଲା ବୋଲି ମୁଁ କେବେ କହିବି ନାହିଁ। ବରଂ ନେତୃତ୍ବକୁ ମୁଁ ଉପଭୋଗ କରିଛି ଏବଂ ମଜା ଆସୁଥିଲା’ ବୋଲି କହିଥିଲେ ଏହି କାଉଣ୍ଟି ଅଭିଜ୍ଞ କ୍ରିକେଟର୍‌। ଏହି ଋତୁରେ ରଣଜୀ ଜୀବନ ଆରମ୍ଭ କରିଥିବା ଯୁବ ୱିକେଟ୍‌ରକ୍ଷକ ଆଶୀର୍ବାଦ ସ୍ବାଇଁ ଏବଂ ସ୍ପିନର୍‌ ହର୍ଷିତ ରାଠୋଡ଼ଙ୍କୁ ‘ସିଜନର ସଂଧାନ’ ବୋଲି କହିଥିଲେ ଶାନ୍ତନୁ।

ଦୀନେଶ ମୋଙ୍ଗିଆଙ୍କ ପ୍ରଶିକ୍ଷଣ ଏବଂ ଅବକାଶ ଖଟୁଆଙ୍କ ଉପସ୍ଥିତି ଆମକୁ ଭଲ ଭାବେ ପ୍ରବର୍ତ୍ତାଇ ଥିଲା। କିନ୍ତୁ ଯୁବ ଖେଳାଳିଙ୍କୁ ନିଶ୍ଚିତ ଭଲ ପ୍ରଦର୍ଶନ ପାଇଁ ସମୟ ଲାଗିବ। ଓଡ଼ିଶା ଖେଳାଳିଙ୍କୁ ଆଇପିଏଲ୍‌ ସୁଯୋଗ ନମିଳିବା ସମ୍ପର୍କରେ ଶାନ୍ତନୁ କହିଥିଲେ ‘ଏହା ପଛରେ ଦୁଇଟି କାରଣ ରହିଛି। ଆମ ପ୍ରଦର୍ଶନକୁ ଠିକ୍‌ ଭାବେ ନୋଟିସ୍ କରାଯାଉନାହିଁ ଏବଂ ଆମେ ମଧ୍ୟ ପ୍ରାଧାନ୍ୟବିସ୍ତାର କରିବା ଭଳି ସ୍ଥିର ପ୍ରଦର୍ଶନ ଦେଇପାରିନାହୁଁ। ନ‌ ହେଲେ ବର୍ତମାନର ସୀମିତ ଓଭର ଦଳରେ ମଧ୍ୟ ବହୁ ଖେଳାଳି ଅଛନ୍ତି ଯେଉଁମାନେ ଆଇପିଏଲ୍‌ ଖେଳିବାକୁ ଦକ୍ଷତା ରଖନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂହ ଠାକୁର, ଦେବବ୍ରତ ପ୍ରଧାନଙ୍କ ଭଳି ଅଲ୍‌ରାଉଣ୍ଡର୍‌, ଶୁଭ୍ରାଂଶୁ ସେନାପତି, ସନ୍ଦୀପ ପଟ୍ଟନାୟକଙ୍କ ଭଳି ବ୍ୟାଟର୍‌ ଏବଂ ରାଜେଶ ମହାନ୍ତି, ସୁନୀଲ ରାଉଳଙ୍କ ଭଳି ବୋଲର ସେ ପର୍ଯ୍ୟନ୍ତ ଯାଇପାରିବେ। ଏଥିପାଇଁ ସୀମିତ ଓଭର କ୍ରିକେଟ୍‌ରେ ଆମକୁ ଅଧିକ ଭଲ କରିବାକୁ ପଡ଼ିବ। ବିଦାୟୀ ଋତୁରେ ଆମେ ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୪ଟି ଲେଖାଏଁ ବିଜୟ ପାଇଥିଲେ ମଧ୍ୟ ଆଗକୁ ଯାଇପାରିନୁ। କିନ୍ତୁ ଆଉ ଗୋଟିଏ ଲେଖାଏଁ ବିଜୟ ଆମକୁ ସୁଯୋଗ ଦେଇପାରିଥା’ନ୍ତା। ଯାହା ହାତପାଆନ୍ତାରୁ ଖସିଯାଇଥିଲା। ଆଗକୁ ଭଲ କରିବୁ ବୋଲି ଖୁବ୍‌ଶୀଘ୍ର ବିବାହ ବଂଧନରେ ଆବଦ୍ଧ ହେବାକୁ ଯାଉଥିବା ଶାନ୍ତନୁ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe