ବାଇଗଣ ଭର୍ତାରେ ଅଲ୍‌ଫିଆଙ୍କୁ ସ୍ବାଗତ

ବାଇଗଣ ଭର୍ତାରେ ଅଲ୍‌ଫିଆଙ୍କୁ ସ୍ବାଗତ

ନାଗପୁର: ପୋଲାଣ୍ଡରେ ଆୟୋଜିତ ହୋଇଥିବା ଯୁବ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ମହିଳା ୮୧ କିଲୋଗ୍ରାମରୁ ଅଧିକ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିବା ଭାରତର ଅଲ୍‌ଫିଆ ପଠାନ ପ୍ରାୟ ୭ ମାସ ପରେ ସୋମବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ୧୮ ବର୍ଷୀୟ ବିଶ୍ବ ବିଜୟିନୀ ନିଜ ସହର ନାଗପୁର ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ବହୁ କ୍ରୀଡ଼ା ଅଧିକାରୀ, ପ୍ରଶିକ୍ଷକ ଓ ବନ୍ଧୁମାନେ ସ୍ବାଗତ କରିଥିଲେ।

ଷ୍ଟେସନ୍‌ ବାହାରେ ରାଜ୍ୟପାଳ ଦୟାଶଙ୍କର ତିୱାରି ଏବଂ ତାଙ୍କ ପିଲା ବେଳର ପ୍ରଶିକ୍ଷକ ଗଣେଶ ‌ପୁରୋହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଅକ୍ଟୋବର ୨୫ରେ ସେ ଘର ଛାଡ଼ି ତାଲିମ ପାଇଁ ରୋହତକସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ଯୋଗ ଦେଇଥିଲେ। ଏହାପରଠୁ ବିଭିନ୍ନ ପ୍ରତିଯୋଗିତା ଏବଂ ତାଲିମ ପାଇଁ ଆଉ ଘରକୁ ଫେରିନଥିଲେ। ଏହି ସମୟରେ ତାଙ୍କ ମା’ଙ୍କ ହାତ ରନ୍ଧା ଖାଦ୍ୟ ଏବଂ ବିଶେଷ କରି ପ୍ରିୟ ବାଇଗଣ ଭର୍ତା ଖାଇପାରିନଥିଲେ।
‘‘ରୋହତକ, ମଣ୍ଟେନେଗ୍ରୋ ଓ ପୋଲାଣ୍ଡରେ ରହିଲା ବେଳେ ଘର ରନ୍ଧା ଖାଦ୍ୟ ପାଇନଥିଲି। ଘରଠୁ ଦୂରେଇ ରହିବା ଏହା ମୋର ସବୁଠୁ ଅଧିକ ସମୟ ଥିଲା। କରୋନା ଯୋଗୁଁ ବାଧ୍ୟତାମୂଳକ ସଂଗରୋଧରୁ ଦୂରେଇ ରହିବାକୁ ‌ତାଲିମ ସମୟରେ ଘରକୁ ଫେରିବା ଲାଗି ମନ କରିନଥିଲି। ମୋର ଲକ୍ଷ୍ୟ ଥିଲା ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ଜିତିବା। ତେଣୁ ଟିକେ ବି ସମୟ ତାଲିମରୁ ବିରତି ନେବାକୁ ମନ ବଳାଇନଥିଲି। ୬ ମାସ ହେଲାଣି ତାଲିମ, କରୋନା ପରୀକ୍ଷା, ଟ୍ରାଏଲ୍ସ ମୋ ଜୀବନର ଅଂଶବିଶେଷ ହୋଇଯାଇଥିଲା। ଏବେ ୧୮୪ ଦିନ ପରେ ଘରକୁ ଫେରିଥିବାରୁ ଖୁସି ଅଛି। ଘରେ ପହଞ୍ଚୁ ପହଞ୍ଚୁ ଆଗେ ମୋ ପ୍ରିୟ ବାଇଗଣ ଭର୍ତା ଏବଂ ମା’ଙ୍କ ହାତରନ୍ଧା ଖାଦ୍ୟ ଖାଇବି’’ ବୋଲି ଅଲ୍‌ଫିଆ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ପୋଲାଣ୍ଡରେ ମୋଲଡୋଭାର କୋଜୋରେଜ୍ ଡାରିଆଙ୍କୁ ପରାସ୍ତ କରି ଅଲ୍‌ଫିଆ ନିଜର ପ୍ରଥମ ବିଶ୍ୱ ଚାମ୍ପିଅନ୍‌ସିପ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe