କୋଲକାତା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ବିଦାୟ ନେଇଥିଲେ ବି ଓ୍ବେଷ୍ଟ୍ଇଣ୍ଡିଜ୍ ଦଳ ଗତ ୫ ଦିନ ହେଲା କୋଲକାତାରେ ଫସି ରହିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସୁରକ୍ଷା କାରଣରୁ ବିଭିନ୍ନ ଏୟାରଲାଇନ୍ସ ବିମାନ ସେବା ବନ୍ଦ କିମ୍ବା ରୁଟ୍ ପରିବର୍ତ୍ତନ କରିଥିବାରୁ ଓ୍ବେଷ୍ଟ୍ଇଣ୍ଡିଜ୍ ଦଳ ସ୍ବଦେଶ ଫେରିପାରିନାହିଁ।
ଏନେଇ ଦଳର ପ୍ରଶିକ୍ଷକ ଡାରେନ୍ ସାମି ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମ୍ରେ ସେ ଲେଖିଛନ୍ତି, ‘ଆମେ ଘରକୁ ଯିବାକୁ ଚାହୁଁ’। ଏହାର କିଛି ଘଣ୍ଟା ପରେ ଆଉ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ ‘ଅତିକମରେ ଆମକୁ କିଛି ଅପ୍ଡେଟ୍ ଦିଆଯାଉ, ଯେ ଆମେ କେବେ ଫେରିବୁ.. ଆଜି, ଆସନ୍ତାକାରି, ଏକ ସପ୍ତାହପରେ? ୫ ଦିନ ହୋଇଗଲାଣି’।
ଗତ ମାର୍ଚ୍ଚ ୧ରେ ଅନୁଷ୍ଠିତ ସୁପର-୮ ମ୍ୟାଚ୍ରେ ଭାରତଠାରୁ ହାରି ଓ୍ବେଷ୍ଟ୍ଇଣ୍ଡିଜ୍ ନିଜର ବିଶ୍ବକପ୍ ଅଭିଯାନ ଶେଷ କରିଥିଲା। ତେବେ ତାହାର ପୂର୍ବଦିନ ଅର୍ଥାତ୍ ଫେବ୍ରୁଆରି ୨୮ରେ ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣ ପରଠାରୁ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଫଳରେ ଏହି ଅଂଚଳର ଅନେକ ଦେଶ ନିଜ ନିଜର ବାୟୁସୀମାକୁ ବନ୍ଦ ରଖିଛନ୍ତି। ଏହି କାରଣରୁ ଅନେକ ଅନ୍ତର୍ଜାତୀୟ ଏୟାରଲାଇନ୍ସ ନିଜର ବିମାନସେବାକୁ ବନ୍ଦ କରିଛନ୍ତି କିମ୍ବା ବିକଳ୍ପ ରୁଟ୍ରେ ଚଳାଚଳ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଆହୁରି ପଢ଼ନ୍ତୁ: Blind in India: ଦୃଷ୍ଟିବାଧିତ କ୍ରିକେଟ୍କୁ ବିସିସିଆଇର ସମର୍ଥନ
ଦଳର ଏହି ସମସ୍ୟାକୁ ସ୍ବୀକାର କରିଛି ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଦଳର ନିରାପତ୍ତା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ନିରାପଦରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆଇସିସି, ସହଯୋଗୀ ଏୟାରଲାଇନ୍ସ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଛି। କେବଳ ଓ୍ବେଷ୍ଟଇଣ୍ଡିଜ୍ ଦଳ ନୁହେଁ, ଜିମ୍ବାଓ୍ବେ ଦଳ ମଧ୍ୟ ଏହି କାରଣରୁ ଫସି ରହିଥିଲା। ତେବେ ଆଇସିସି ପକ୍ଷରୁ ଏକ ବିକଳ୍ପ ରୁଟ୍ରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/05/screenshot-2026-03-05-180311-2026-03-05-18-03-39.jpg)