ଇଣ୍ଡିଜ୍‌ ବିଜୟକୁ ଉଚ୍ଚ ପ୍ରଶଂସା, ଇଂଲଣ୍ଡର ବ୍ୟାଟିଂ ଦୁର୍ବଳତା ଦର୍ଶାଇଲେ ହୁସେନ୍‌

Advertisment
ଇଣ୍ଡିଜ୍‌ ବିଜୟକୁ ଉଚ୍ଚ ପ୍ରଶଂସା, ଇଂଲଣ୍ଡର ବ୍ୟାଟିଂ ଦୁର୍ବଳତା ଦର୍ଶାଇଲେ ହୁସେନ୍‌

Times of India

ସାଉଥାମ୍ପଟନ୍‌: ଚମତ୍କାର ଢଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତନ କରିଥିବା ବେଳେ ରୋଜବାଉଲ୍ ଟେଷ୍ଟ୍‌ରେ ଇଂଲଣ୍ଡକୁ ରବିବାର ୱେଷ୍ଟଇଣ୍ଡିଜ୍‌ ୪ ୱିକେଟ୍‌ରେ ହରାଇ ଦେଇଥିଲା। ମହାମାରୀ ସମୟରେ ଏହି କ୍ରିକେଟ୍‌ ମ୍ୟାଚ୍‌ରେ ଉଚ୍ଚମାନର କ୍ରିକେଟ୍‌ ପ୍ରଦର୍ଶନକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି, ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର, ପୂର୍ବତନ ୱେଷ୍ଟଇଣ୍ଡିଜ୍ ମହାନ ଭିଭିଆନ୍ ରିଚାର୍ଡସ, ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ୍‌, ନାସିର ହୁସେନ ପ୍ରମୁଖ ୱେଷ୍ଟଇଣ୍ଡିଜ୍‌ର ପ୍ରଦର୍ଶନକୁ ‘ଉଲ୍ଲେଖନୀୟ’ ଦର୍ଶାଇଛନ୍ତି।‌ ଆଇସିସି ଟେଷ୍ଟ୍ ମାନ୍ୟତାର ୮ ନମ୍ବର ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍‌ ଦଳ ଏହାର ୩ ପ୍ରମୁଖ ଖେଳାଳିଙ୍କ ବିନା ଇଂଲଣ୍ଡ ଆସିଥିଲା। ବ୍ୟାଟ୍‌ସମ୍ୟାନ୍‌ ଡାରେନ୍ ବ୍ରାଭୋ, ସିମରନ୍ ହେଟମେୟର୍‌ ଏବଂ ଅଲରାଉଣ୍ଡର୍‌ କିମୋ ପଲ୍‌ ମହାମାରୀ ଜନିତ ସୁରକ୍ଷା ଦର୍ଶାଇ ଗସ୍ତରେ ସାମିଲ ହୋଇନଥିଲେ। ତେଣୁ କରି ଚତୁର୍ଥ ମାନ୍ୟତା ଇଂଲଣ୍ଡ ଦଳ ବିପକ୍ଷରେ ଜାସନ୍ ହୋଲଡରଙ୍କ ଦଳ ବିଜୟୀ ହେବ କେହି ବି ଆଶା କରିନଥିଲେ।

ମାଇକେଲ୍ ଭନ୍ କହିଛନ୍ତି ୱେଷ୍ଟଇଣ୍ଡିଜ୍‌ ଖେଳିବାକୁ ଆସିବା ଯେତିକି ବଡ଼ କଥା, ଭଲ ଖେଳିବା ତା’ଠାରୁ ଉଲ୍ଲେଖନୀୟ। ଟେଷ୍ଟ୍‌ କ୍ରିକେଟ୍‌କୁ ଭଲ ପାଉଥିବାରୁ ଇଂଲଣ୍ଡ ପ୍ରଶଂସକମାନେ ବିଶେଷ ନିରାଶ ‌ହୋଇନଥିବେ ବୋଲି ମୋ ଆଶା। ‘ବିରତି ପରର ପ୍ରଥମ ମ୍ୟାଚ୍‌ ଆମ ସପକ୍ଷରେ ଗଲା’ ବୋଲି ଟ୍ବିଟ୍‌ କରିଥିଲେ ଭିଭିଆନ୍ ରିଚାର୍ଡସ। ଖେଳାଳିମାନେ ଭଲ ଖେଳିଲେ, ବିଜୟର ହକଦାର ଥିଲ, ଆମକୁ ଗର୍ବିତ କରିଥିବାରୁ ଧନ୍ୟବାଦ’ ବୋଲି ରିଚାର୍ଡସ ଉଲ୍ଲେଖ କରିଥିଲେ। ବିରାଟ କୋହଲି କିନ୍ତୁ ୱେଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡ୍ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ‘ଟେଷ୍ଟ୍‌ କ୍ରିକେଟ୍‌ର ଏହା ଶୀର୍ଷ ପ୍ରଦର୍ଶନ’ ବୋଲି କୋହଲି ପ୍ରକାଶ କରିଥିଲେ। ଲମ୍ବା ଫର୍ମାଟରେ ୱେଷ୍ଟଇଣ୍ଡିଜ୍‌ର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିବାକୁ ପଛାଇନଥିଲେ ଇର୍ଫାନ୍ ପଠାନ୍‌। ଟେଷ୍ଟ୍‌ କ୍ରିକେଟ୍‌ର‌େ ଶ୍ରଷ୍ଠ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିବାକୁ ପଛାଇ ନ ଥିଲେ ବ୍ରିଟିସ୍ ଅଭିନେତା ହ୍ୟୁଗ୍‌ ଲୌରି। ସୂଚନାଯୋଗ୍ୟ, ଜୈବ ସୁରକ୍ଷିତ ଏହି ୩ ମ୍ୟାଚ୍‌ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ ଗୁରୁବାରଠାରୁ ମ‌‌ଞ୍ଚେଷ୍ଟର୍‌ଠାରେ ଖେଳାଯିବ।

ଇଂଲଣ୍ଡର ବ୍ୟାଟିଂ ଦୁର୍ବଳତା ଦର୍ଶାଇଲେ ହୁସେନ୍‌
ଇଂଲଣ୍ଡ ପରାଜୟ ପଛରେ ବ୍ୟାଟିଂ ଦୁର୍ବଳତା ରହିଥିବା କଥା କହିଛନ୍ତି ଅନ୍ୟତମ ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର୍ ହୁସେନ୍‌। ପ୍ରଥମ ପାଳିରେ ଖରାପ ବ୍ୟାଟିଂ କରିବା ଦଳର ପ୍ରଥମ ବିଫଳତା ଥିଲା। ନିୟମିତ ଅଧିନାୟକ ଜୋ ରୁଟଙ୍କ ଅନୁପସ୍ଥିତିରେ ଦଳର ବ୍ୟାଟିଂ ଦୁ୍ର୍ବଳ ହୋଇଥିଲା। ଶୀର୍ଷକ୍ରମରେ ଥିବା ଯୁବ ବ୍ୟାଟସମ୍ୟାନ୍‌ ତିଷ୍ଠି ପାରିନଥିଲେ। ‌କାମଚଳା ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ କିଛି ନିଷ୍ପତ୍ତିକୁ ନେଇ ମଧ୍ୟ ହୁସେନ୍ ପ୍ରଶ୍ନ ଉଠାଇଥିଲେ। ‘‘ଷ୍ଟୁଆର୍ଟ ବ୍ରଡ୍‌ ନ ଖେଳିବା କିମ୍ବା ଟସ୍‌କୁ ଆଉ ପ୍ରସଙ୍ଗ କରାନଯାଉ, ପ୍ରଥମେ ବ୍ୟାଟିଂ କରି ମାତ୍ର ୨୦୪ ରନ୍ କରିବା ହିଁ ଦୁଃସ୍ବପ୍ନ ଥିଲା’’ ବୋଲି ହୁସେନ୍ ପ୍ରକାଶ କରିଥିଲେ। ରୁଟ୍‌ଙ୍କ ବିନା ଇଂଲଣ୍ଡ ଖେଳିନପାରିବାର ଦୁର୍ବଳତାକୁ ପଦାରେ ପକାଇଛି ବୋଲି ସେ କହିଥିଲେ। ଟସ୍ ଜିତି ବେନ୍ ‌ଷ୍ଟୋକ୍ସଙ୍କ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତିକୁ‌ ହୁସେନ୍ ସମର୍ଥନ କରିଥିଲେ ମଧ୍ୟ ଦଳ ୩୦୦ ରନ୍ କରିବାରେ କାହିଁକି ବିଫଳ ହୋଇଥିଲା’ ବୋଲି ପ୍ରଶ୍ନ କରିଥିଲେ। ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ରେ ଇଂଲଣ୍ଡକୁ ଗତ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍ ଭଳି ପ୍ରଦର୍ଶନ ଦେବାକୁ ସେ ଆହ୍ବାନ କରିଥିଲେ।

ବ୍ରଡ୍‌ଙ୍କୁ ବାଦ୍‌‌ ଦେଇଥିବାରୁ ଅନୁତପ୍ତ ନୁହେଁ: ଷ୍ଟୋକ୍ସ
ଅଭିଜ୍ଞ ଦ୍ରୁତ‌‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ବାଦ୍ ଦେଇ ପ୍ରଥମ ଟେଷ୍ଟ୍‌ ଖେଳିଥିବାରୁ ମୁଁ ଅନୁତପ୍ତ ନୁହେଁ ବୋଲି କହିଛନ୍ତି ଇଂଲଣ୍ଡର କାମଚଳା ଅଧିନାୟକ ବେନ୍ ଷ୍ଟୋକ୍ସ। ସାଉଥାମ୍ପଟନ୍‌ ଟେଷ୍ଟ୍‌ରେ ପରାଜୟ ପରେ ବ୍ରଡ୍‌ଙ୍କୁ ଖେଳା ଯାଇନଥିବାରୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ ଷ୍ଟୋକ୍ସ। ‘ବ୍ରଡ୍‌ଙ୍କୁ ବାଦ୍‌ ଦେଇଥିବାରୁ ମୁଁ ଅନୁତପ୍ତ ନୁହେଁ, ତାଙ୍କ ଭଳି ଜଣେ ଖେଳାଳିଙ୍କ ବାଦ୍ ଦେବା ସୌଭାଗ୍ୟର କଥା। ସେ କିନ୍ତୁ ଦେଇଥିବା ସାକ୍ଷାତକାରରେ ଯେଉଁ ଉତ୍ସାହ ଦେଖାଇଥିଲେ ତାହା କରିନଥିଲେ ମୁଁ ଦୁଃଖିତ ହୋଇଥାନ୍ତି। ଆଶା କରିବି ସେ ଦ୍ବିତୀୟ ଟେଷ୍ଟ୍‌ରେ ଖେଳି କିଛି ୱିକେଟ୍ ନେବେ’ ବୋଲି ଷ୍ଟୋକ୍ସ ମ୍ୟାଚ୍‌ ପରିବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ପ୍ରଥମ ଟେଷ୍ଟ୍‌ରେ ଇଂଲଣ୍ଡ ୩‌‌ ପେସ୍ ବୋଲର ଜୋର୍ଫା ଆର୍ଚର, ମାର୍କ ଉଡ୍‌ ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ‌ ନେଇ ଖେଳିଥିଲା। ବାଦ୍ ପଡ଼ିବା ପରେ କିନ୍ତୁ ବ୍ରଡ୍‌ ଏକ ସାକ୍ଷାତକାରରେ ନିଜ ବ୍ୟର୍ଥତା ଓ ରାଗକୁ ରୋକି ନପାରି ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe