ନୂଆଦିଲ୍ଲୀ: ୨୦୧୩ରୁ ବିଭିନ୍ନ ସମୟରେ ମହିଳା କୁସ୍ତି ଖେଳାଳିଙ୍କ ପ୍ରତି ‘ଡବ୍ଲୁଏଫ୍ଆଇ’ ଅଧ୍ୟକ୍ଷ ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ଅଶୋଭନୀୟ ଆଚରଣର ପ୍ରତ୍ୟକ୍ଷଦର୍ଶୀ ବୋଲି ଶୁକ୍ରବାର ଦିନ ଆନ୍ତର୍ଜାତିକ ରେଫେରି ଜଗବୀର ସିଂହ କହିଛନ୍ତି। ଜାତୀୟ ଗଣମାଧ୍ୟମ ‘ରିପବ୍ଲିକ ଟିଭି’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ ବ୍ରିଜଭୂଷଣଙ୍କ ବିରୋଧରେ ଅାସିଥିବା ଅଭିଯୋଗରେ ସତ୍ୟତା ଅଛି ବୋଲି ପ୍ରକାଶ କରିଛନ୍ତି।
୨୦୧୩ ଓ ୨୦୨୨ରେ ଘଟିଥିବା ୨ଟି ଘଟଣାର ଦୃଷ୍ଟାନ୍ତ ଦେଇ ଜଗବୀର୍ ସିଂହ କହିଛନ୍ତି, ୨୦୦୭ରୁ ମୁଁ ‘ୟୁନାଇଟେଡ୍ ୱାର୍ଲଡ୍ ରେସ୍ଲିଙ୍ଗ୍’ର (ୟୁଡବ୍ଲୁଡବ୍ଲୁ) ଜଣେ ରେଫେରି ରହି ଆସୁଥିବା ବେଳେ ୨୦୧୨ରେ ବ୍ରିଜ୍ଭୂଷଣଙ୍କୁ ‘ଡବ୍ଲୁଏଫ୍ଆଇ’ର ମୁଖ୍ୟ କରାଯାଇଥିଲା। ‘ଡବ୍ଲୁଏଫ୍ଆଇ’ ପାଇଁ ଜଣେ ବଡ଼ ପୃଷ୍ଠପୋଷକ ଓ ଅଧ୍ୟକ୍ଷ ପାଇଥିବା ଚିନ୍ତା କରି ପ୍ରଥମ ଥର ପାଇଁ ଆମେ କାଜାଖସ୍ତାନର ଆଲମାଟିକୁ ବିଦେଶ ଗସ୍ତରେ ଯାଇଥିଲୁ। କିନ୍ତୁ, ୨୦୧୩ରେ ଥାଇଲାଣ୍ଡ୍ ଓ ଫୁକେଟ୍ ଗସ୍ତ ବେଳେ ସେ ଯାହା କଲେ ତାହା ଅତ୍ୟନ୍ତ ଦୁଃଖର ବିଷୟ।
୨୦୧୩ରେ ‘ଫ୍ରିଷ୍ଟାଇଲ୍ ଚାମ୍ପିଅନ୍ସିପ୍’ରେ ‘ଜୁନିୟର୍ ଗାର୍ଲ’ମାନେ ତୃତୀୟ ସ୍ଥାନ ପାଇବା ପରେ ବ୍ରିଜ୍ଭୂଷଣ ଓ ତାଙ୍କ ଲୋକମାନେ ରାତ୍ରଭୋଜନ ପାଇଁ ଭାରତୀୟ ଖାଦ୍ୟ ବ୍ୟବସ୍ଥା କରିବାକୁ ଠିକ୍ କଲେ କିନ୍ତୁ, ସେ ଗୁଡ଼ାଏ ମଦ ପିଇ ଦେଇଥିଲେ। ନିଶାସକ୍ତ ଅବସ୍ଥାରେ ସେ ବିଜୟ ହାସଲ କରିଥିବାରୁ ଝିଅମାନଙ୍କୁ ପ୍ରଶଂସା କରିବା ବେଳେ ସେମାନଙ୍କୁ ଅଶୋଭନୀୟ ଭାବେ କୋଳେଇ ନେବା ସହିତ ସ୍ପର୍ଶ ମଧ୍ୟ କରିଥିଲେ। ଫଳରେ କେତେକ ଝିଅ ଅଧାରୁ ଭୋଜନ ଛାଡ଼ି ନିଜ ନିଜ କୋଠରିକୁ ଚାଲିଯାଇଥିଲେ ବୋଲି ଜଗବୀର ସିଂହ କହିଛନ୍ତି।
ସେହିପରି, ୨୦୨୨ ମାର୍ଚ ୨୫ରେ ଲକ୍ଷ୍ନୌରେ ଏକ ଟ୍ରାଏଲ୍ ମାର୍ଚ ସମୟରେ ଫଟୋ ସେସନ୍ ବେଳେ ବ୍ରିଜ୍ଭୂଷଣ ଓ ମୁଖ୍ୟ କୋଚ୍ଙ୍କ ପାଖରେ ଠିଆ ହୋଇଥିବା ଜଣେ ମହିଳା ଖେଳାଳି ତୁରନ୍ତ ସେଠାରୁ ଧାଇଁ ପଳାଇ ଆସି ସମଗ୍ର ଫଟୋ ସେସନ୍ ସମୟତକ ଅନ୍ୟତ୍ର ଠିଆ ହେଲେ। ଝିଅମାନଙ୍କର ଯେଉଁ ସ୍ଥାନକୁ ସ୍ପର୍ଶ କରିବା କଥା ନୁହେଁ ବ୍ରିଜଭୂଷଣ ଅଶୋଭନୀୟ ଭାବେ ସେ ସ୍ଥାନ ସବୁ ସ୍ପର୍ଶ କରିଥିବା କଥା ମୁଁ ସ୍ବଚକ୍ଷୁରେ ଦେଖିଛି ବୋଲି ଜଗବୀର ସିଂହ କହିଛନ୍ତି।
ଦେଖିଥିଲେ ଯଦି ଔପଚାରିକ ଭାବେ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କଲେନି କାହିଁକି ବୋଲି ପଚାରିବାରୁ ରେଫେରି ଜଗବୀର କହିଲେ,‘‘କାହା ଆଗରେ ଫେରାଦ ହୋଇ ମୁଁ ଅଭିଯୋଗ କରିଥାଆନ୍ତି? ସ୍ବୟଂ ଅଧ୍ୟକ୍ଷ ଏଭଳି ଅପରାଧ କଲେ ଆମେ ଆଉ କାହାକୁ କହିଥାଆନ୍ତୁ? କେହି ପ୍ରତିବାଦ କରୁ ନ ଥିବା ବେଳେ ମୁଁ ବା କେମିତି ଅଭିଯୋଗ କରିଥାଆନ୍ତି?’’
Follow Us