ଓଡ଼ିଶାରେ ପ୍ରଥମଥର ହ୍ବିଲ୍‌ଚେୟାର ଟେନିସ୍, ଜର୍ସି ଉନ୍ମୋଚିତ ଓ ଏମ୍‌ଓଏ ସ୍ୱାକ୍ଷର

Advertisment
ଓଡ଼ିଶାରେ ପ୍ରଥମଥର ହ୍ବିଲ୍‌ଚେୟାର ଟେନିସ୍, ଜର୍ସି ଉନ୍ମୋଚିତ ଓ ଏମ୍‌ଓଏ ସ୍ୱାକ୍ଷର

ଭୁବନେଶ୍ବର: ପ୍ରଥମ ଥର ଓଡ଼ିଶାରେ ହ୍ବିଲ୍‌ଚେୟାର ଟେନିସ୍ ଆରମ୍ଭ ହେବାକୁ ଯାଉଛି। ଓଡ଼ିଆ ଟେନିସ୍‌ ତାରକା ଚିନ୍ମୟ ପ୍ରଧାନଙ୍କ ଚକ୍‌ଲେଟ୍‌ ଗ୍ରୁପ୍‌ ଏଥିଲାଗି ଆଗେଇ ଆସିଛି। ଓଡ଼ିଶାରେ ଏହି ଖେଳର ପ୍ରସାର ଓ ପ୍ରଚାର ଲାଗି ଚକ୍‌ଲେଟ୍‌ ଗ୍ରୁପ୍‌ ଏବଂ ଭାରତୀୟ ହ୍ବିଲ୍‌‌ଚେୟାର ଟେନିସ ଟୁର୍‌ (ଆଇଡବ୍ଲ୍ୟୁଟିଟି) ହାତ ମିଳାଇଛନ୍ତି। ଗୁରୁବାର ଉଭୟ ସଂସ୍ଥା ଏମ୍ଓଏ ସ୍ବାକ୍ଷର କରିଛନ୍ତି। ଏହି ଅବସରରରେ ମଧ୍ୟ ଖେଳାଳିମାନଙ୍କ ଜର୍ସି ଉନ୍ମୋଚିତ ହୋଇଥିଲା। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍ ରିସର୍ଟରେ ଏକ ତିନିଦିନିଆ କର୍ମଶାଳା ଆୟୋଜିତ ହୋଇ ଓଡ଼ିଶାରେ ଏହି ଖେଳର ଶୁଭାରମ୍ଭ ହେବ। ଗୁରୁବାରଠୁ ରବିବାର ପର୍ଯ୍ୟନ୍ତ ଏହି କର୍ମଶାଳା ଆୟୋଜିତ ହେବ। ପ୍ରଥମ ଦଫାରେ ୨୦ ଜଣ ଖେଳାଳି ଅଂଶଗ୍ରହଣ କରିବେ। ବର୍ଷେ ଯାଏ ହ୍ବିଲ୍‌ଚେୟାର ଟେନିସ ତାଲିମ ଶିବିର ଗୁରୁକୁଳ ଟେନିସ ରିସର୍ଟରେ ଚାଲୁ ରହିବ। ଭିନ୍ନକ୍ଷମଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା କରାଯାଉଥିବାରୁ ଆରମ୍ଭରୁ କୌଣସି ଦେୟ ଖେଳାଳିମାନଙ୍କଠୁ ନିଆଯିବନି ବୋଲି ଚକଲେଟ୍‌ ଗ୍ରୁପ୍‌ର ମୁଖ୍ୟ ଚିନ୍ମୟ କହିଛନ୍ତି। ୧୯୮୨ରେ ଫ୍ରାନ୍ସରେ ଏହି ଖେଳ ଆରମ୍ଭ ହୋଇଥିଲା।

ଭାରତରେ ମଧ୍ୟ ‌ଏହି ଖେଳ ଜାରି ରହିଛି। ଆମେ ସାରା ଭାର‌ତରେ ‌ଏହି ଖେଳକୁ ଆଗକୁ ନେବା ଲାଗି କାର୍ଯ୍ୟ କରୁଛୁ। ଚିନ୍ମୟଙ୍କ ସହଯୋଗରେ ଓଡ଼ିଶାରେ ଏହି ଖେଳ ଆରମ୍ଭ କରିଛୁ। ଏହି ଖେଳରେ ଭିନ୍ନକ୍ଷମମାନେ ନିଜର କ୍ୟାରିୟର ଗଢ଼ିବା ସହ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ଆଇଡବ୍ଲ୍ୟୁଟିଟି ଅଧ୍ୟକ୍ଷ ସୁନିଲ ଜୈନ କହିଛନ୍ତି। ଗୁରୁବାର ଅନୁଷ୍ଠିତ ଜର୍ସି ଉନ୍ମୋଚନ, ଏମ୍‌ଓଏ ସ୍ବାକ୍ଷର ଓ ସାମ୍ବାଦିକ ସମ୍ମିଳନୀରେ ‌ଶ୍ରୀ ଜୈନ ଓ ଚିନ୍ମୟଙ୍କ ସହ ପ୍ରୋଜେକ୍ଟ ମୁଖ୍ୟ ବିଜୟ ସୂର୍ଯ୍ୟନ‌ାରାୟଣ ଓ ପ୍ରଶିକ୍ଷକ ଏଚ୍‌ ମଧୁସୁଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe