ଟାଟୁ କରି ମାଡ଼ ଖାଇଥିଲେ ଶିଖର ଧାୱନ; ଭୟଭୀତ ହୋଇ କରାଇଥିଲେ ଏଚ୍‌ଆଇଭି ଟେଷ୍ଟ୍‌

Advertisment
ଟାଟୁ କରି ମାଡ଼ ଖାଇଥିଲେ ଶିଖର ଧାୱନ; ଭୟଭୀତ ହୋଇ କରାଇଥିଲେ ଏଚ୍‌ଆଇଭି ଟେଷ୍ଟ୍‌

ମୁମ୍ବାଇ: ସମୟ ଥିଲା ପିଲାମାନେ ଟାଟୁ କରି ଘରକୁ ଫେରିଲେ ଆମ ଭାରତୀୟ ବାପାମାଆମାନେ ସେମାନଙ୍କୁ ଗାଳିଗୁଲଜ କରିବାରୁ ନେଇ ବାଡ଼େଇବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥିରୁ କ୍ରିକେଟର୍‌ ଶିଖର ଧ୍ବାଓନ ବି ବାଦ୍‌ ପଡ଼ିନାହାନ୍ତି। କିପରି ‌ସେ ୧୪-୧୫ ବର୍ଷ ବୟସ ମଧ୍ୟରେ ଟାଟୁ କରି ଘରକୁ ଫେରିବା ପରେ ବାପାମାଆଙ୍କଠାରୁ ଗାଳି ମାଡ଼ ଖାଇଥିଲେ ତାହାକୁ ମନେ ପକାଇଛନ୍ତି।

ଯେତେବେଳେ ତାଙ୍କୁ ୧୪-୧୫ ବର୍ଷ ହୋଇଥିଲା, ସେ ମନାଲି ଯାଇ ତାଙ୍କ ପିଠିରେ ଏକ ଟାଟୁ କରିଥିଲେ। ସେ ଘରକୁ ଫେରିବା ପରେ ତାହାକୁ ଦେଖି ଖୁବ୍ ରାଗି ଯାଇଥିଲେ ଶିଖରଙ୍କ ବାପାମାଆ। ତା’ପରେ ‌ଶିଖରଙ୍କ ଉପରେ ମାଡ଼ ବି ପଡ଼ିଥିଲା। ଟାଟୁ ପାଇଁ ବ୍ୟବହୃତ ହେଉଥିବା ଛୁଞ୍ଚି ହୁଏତ ଅନେକ ଶରୀରରେ ବ୍ୟବହାର ହୋଇ ଥାଇପାରେ ଏବଂ ଏଚଆଇଭି  ସଂକ୍ରମଣ ‌ବି ହୋଇ ଥାଇପାରେ ବୋଲି ଜାଣିବା ପରେ ଭୟଭୀତ ଧାୱନ ପରୀକ୍ଷା କରାଇଲେ ଓ ଈଶ୍ବରଙ୍କ କୃପାରୁ ‘ନେଗେଟିଭ୍‌’ ଆସିଥିଲ।

ସେ ନିକଟରେ ଏ ସଂପର୍କରେ କହିଛନ୍ତି ‘ଯେତେବେଳେ ମୋର ବୟସ ୧୪-୧୫ ବର୍ଷ ହୋଇଥିଲା ମୁଁ ମନାଲି ଯାଇଥିଲି ଏବଂ ମୋ ପରିବାର ସଦସ୍ୟଙ୍କୁ ନ ଜଣାଇ ମୋ ପିଠିରେ ଏକ ଟାଟୁ କରିଥିଲି। ମୋତେ ପ୍ରାୟ ୩-୪ ମାସ ପର୍ଯ୍ୟନ୍ତ ଏହାକୁ ଲୁଚାଇବାକୁ ପଡିଲା। ହେଲେ ଯେତେବେଳେ ମୋ ବାପା ଜାଣିଲେ, ସେ ମୋତେ ପିଟିଲେ। ଟାଟୁ କରିବା ପରେ ମୁଁ ଟିକେ ଡରି ଯାଇଥିଲି। କାରଣ ମୋ ଶରୀରରେ ବ୍ୟବହୃତ ହୋଇଥିବା ଛୁଞ୍ଚି ପୂର୍ବରୁ କେତେ ଜଣଙ୍କ ଶରୀରରେ ବ୍ୟବହୃତ ହୋଇଥିଲା ତାହା ମୋତେ ଜଣାନଥିଲା।  ତେଣୁ ମୁଁ ଯାଇ ମୋର ଏଚଆଇଭି ପରୀକ୍ଷା କଲି ଏବଂ ‌ଯାହାହେଉ ‘ନେଗେଟିଭ୍‌’ ଆସିଲା।’ ଧାୱନ ଆହୁରି କହିଛନ୍ତି ଯେ ତାଙ୍କର ପ୍ରଥମ ଟାଟୁ ଏକ ସ୍କର୍ପିଓ ଥିଲା ଏବଂ ତାଙ୍କ ଶରୀରରେ  ଭଗବାନ ଶିବ ଏବଂ ଅର୍ଜୁନଙ୍କର  ବି ଟାଟୁ ରହିଛି।

ଉଲ୍ଲେଖଯେ‌ାଗ୍ୟ, ନିକଟରେ ପ୍ରକାଶିତ ବିସିସିଆଇ ଚୁକ୍ତିନାମା ତାଲିକାରେ ଶିଖର ‘ସି’ ବର୍ଗରେ ରହିଛନ୍ତି।  ୩୭ ବର୍ଷୀୟା ଶିଖରଙ୍କୁ ଆଇପିଏଲର ଆଗାମୀ ୧୬ ତମ ସଂସ୍କରଣରେ ଦେଖିବାକୁ ମିଳିବ, ଯେଉଁଠାରେ ସେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଭୂମିକା ତୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe