କାହାକୁ ମିଳିବ ୱିକେଟରକ୍ଷଣ ଦାୟିତ୍ବ?

Advertisment

ବିସ୍ଫୋରକ ପନ୍ତ ବନାମ କୁଶଳୀ ସାହା

ବିସ୍ଫୋରକ ପନ୍ତ ବନାମ କୁଶଳୀ ସାହା

କାହାକୁ ମିଳିବ ୱିକେଟରକ୍ଷଣ ଦାୟିତ୍ବ?

ଆଡିଲେଡ୍: ଆଡିଲେଡ୍‌ରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍‌ରେ ଭାରତୀୟ ଦଳ ପାଇଁ କିଏ ୱିକେଟରକ୍ଷକ ଦାୟିତ୍ବ ତୁଲାଇବ? ତାହା ଏକ ବିତର୍କିତ ବିଷୟ ହୋଇଛି। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ପନ୍ତ ୭୩ ବଲ୍‌ରୁ ୧୦୩ ରନ୍‌ର ବିସ୍ଫୋରକ ପାଳି ଖେଳିବା ପରେ ତାଙ୍କୁ ଏବଂ ଅଭିଜ୍ଞ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କୁ ନେଇ ତୁଳନା ଆରମ୍ଭ ହୋଇ ଯାଇଛି। ଆଡିଲେଡ୍‌ରେ କିଏ ୱିକେଟରକ୍ଷଣ ଦାୟିତ୍ବ ତୁଲାଇବ? ସେ ବିଷୟରେ କୌଣସି ସଙ୍କେତ ଭାରତୀୟ ଦଳ ନଦେବା ମାମଲାକୁ ଆହୁରି ଗୋଳମାଳିଆ କରିଛି। ସାହା ସିଡ୍‌ନିର ଡ୍ରୁମୋନେ ଓଭାଲଠାରେ ଖେଳା ଯାଇଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ୫୪ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ। ତେବେ ଭାରତର ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ଖେଳିଥିବା ଅନ୍ୟ ଦୁଇ ପାଳିରେ ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ବେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଯାକ ଟେଷ୍ଟ୍‌ର ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳି ନଥିଲା। ନିଜ ନିଆରା ୱିକେଟରକ୍ଷଣ କୌଶଳ ପାଇଁ କିନ୍ତୁ ସାହା କେବଳ ଭାରତର ନୁହେଁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ୱିକେଟ୍‌ରକ୍ଷକ ଭାବେ ପରିଚିତ। ଯାହା ତାଙ୍କ ସପକ୍ଷରେ ଯାଇପାରେ। ଅବଶ୍ୟ ଅସ୍ଥିର ବ୍ୟାଟିଂ ପ୍ରଦର୍ଶନ ତାଙ୍କ ବିପକ୍ଷରେ ଯାଇପାରେ। ୨୦୧୭ ମସିହା ମାର୍ଚ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନ୍‌ର ପାଳି ଖେଳିବା‌ ପରଠାରୁ ସେ ଆଉ ଟେଷ୍ଟ୍ ଶତକ ହାସଲ କରି ନାହାନ୍ତି। ସେବେଠାରୁ ଖେଳିଥିବା ୧୪ ପାଳିରୁ ୨୩.୨୭ ହାର ଏବଂ ମାତ୍ର ଗୋଟିଏ ଅର୍ଧଶତକ ବଳରେ ସେ କେବଳ ୨୫୬ ରନ୍ କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳିଥିବା ୬ ପାଳିରେ ସେ ମଧ୍ୟ ସେମିତି କିଛି ଅଖିଦୃଶିଆ ରନ୍ କରି ନାହାନ୍ତି। ଅଷ୍ଟ୍ରେଲିଆ ମାଟିରେ ୩୫ ରନ୍‌ର ସର୍ବାଧିକ ସ୍କୋର ସହ ସାହ ମାତ୍ର ୧୧୧ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ପନ୍ତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଗତବର୍ଷ ଜାନୁଆରିରେ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ସେ ୧୮୯ ବଲ୍‌ରୁ ୧୫୯ ରନ୍‌ର ପାଳି ଖେଳିଥିଲେ। ୨୦୧୮-୧୯ର ଗତ ଅଷ୍ଟ୍ରେଲିଆ ଗସ୍ତରେ ସେ ହିଁ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଥିଲେ। ଚଳିତ ବର୍ଷର ଆଇପିଏଲ୍‌ରେ ଆଶାଜନକ ପ୍ରଦର୍ଶନ କରି ନଥିଲେ ମଧ୍ୟ ପୂର୍ବ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆରେ ପନ୍ତ ଭାରତୀୟ ଦଳରେ ସାମିଲ ହେବାକୁ ହକଦାର। ହେଲେ ଦୁର୍ବଳ ୱିକେଟ୍ ରକ୍ଷଣ ତାଙ୍କ ବିପକ୍ଷରେ ଯାଇପାରେ। ଗତ ଦୁଇ ବର୍ଷ ହେବ ଢେର ଉନ୍ନତି କରିଥିଲେ ମଧ୍ୟ ତାଙ୍କ ୱିକେଟ୍ ରକ୍ଷଣ ଦକ୍ଷତା ନେଇ ଏବେବି ସଂଶୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe