ଦକ୍ଷିଣ ଆଫ୍ରିକା ବୁଧବାର ଆଉ ଏକ ମହତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ। ଚଳିତ ବିଶ୍ବକପ୍ରେ ମୁଁ ଅବଶ୍ୟ ଏକାଧିକ ଥର ଏହା କହି ସାରିଲାଣି। ନ୍ୟୁଜିଲାଣ୍ଡକୁ ହରାଇବା ଆମ ଦଳ ପାଇଁ ସେତେଟା ସହଜ ହେବ ନାହିଁ ବୋଲି ପୁଣି ଥରେ କହିପାରେ। ଚଳିତ ବିଶ୍ବକପ୍ ଏବଂ ଏହା ପୂର୍ବର ସଂସ୍କରଣରେ ନ୍ୟୁଜିଲାଣ୍ଡ ସବୁବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରି ଆସିଛି। ଗତ ଦୁଇଟି ବିଶ୍ବକପ୍ରେ ନ୍ୟୁଜିଲାଣ୍ଡ ସଫଳତାର ସହ ଦକ୍ଷିଣ ଆଫ୍ରିକାକୁ ନକଆଉଟ୍ ପର୍ଯ୍ୟାୟରୁ ବିଦା କରି ଦେଇଛି। ବୁଧବାର କିୱି ଦଳ ପାଖରେ ପୁଣି ଥରେ ସେହି ସଫଳତା ଦୋହରାଇବାର ସୁଯୋଗ ରହିବ। ମୁଁ ଖୋଲାଖୋଲି ଭାବେ କହି ପାରିବି ଯେ ଦକ୍ଷିଣ ଆଫ୍ରିକା ଏବେ ସମସ୍ୟା ଘେରରେ ରହିଛି। ମୁଁ ଭାବୁଛି ଦଳର ବରିଷ୍ଠ ଖେଳାଳିମାନେ ହିଁ ଦକ୍ଷିଣ ଆଫ୍ରିକାକୁ ନିରାଶ କରିଛନ୍ତି। ନ୍ୟୁଜିଲାଣ୍ଡ ପାଇଁ କିନ୍ତୁ ମାର୍ଟିନ ଗପ୍ଟିଲ, କେନ୍ ୱିଲିୟମସନ୍ ଓ ରସ୍ ଟେଲରଙ୍କ ଭଳି ଖେଳାଳି ଭଲ କରି ଆସୁଛନ୍ତି। କ୍ବିଣ୍ଟନ୍ ଡି’ କକ୍ଙ୍କୁ ଛାଡ଼ିଦେଲେ ଦକ୍ଷିଣ ଆଫ୍ରିକାର ଅନ୍ୟ ସମସ୍ତ ଅଭିଜ୍ଞ ଖେଳାଳି ନିଜ ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଇ ନାହାନ୍ତି। ବ୍ୟାଟିଂକ୍ରମକୁ ନେଇ ମଧ୍ୟ ଦ୍ବନ୍ଦ୍ବ ରହିଛି। ହାସିମ ଆମଲାଙ୍କ ଫର୍ମ ବଡ଼ ଚିନ୍ତାର କାରଣ। ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫଗୁର୍ସନ୍ ଯେମିତି ବୋଲିଂ କରୁଛନ୍ତି, ଆମଲାଙ୍କ ପାଇଁ ସେମାନଙ୍କୁ ସମ୍ମୁଖୀନ ହେବା ଆଦୌ ସହଜ ହେବନି। ଫର୍ଗୁସନ୍ ଉପହାଦେଶୀୟ ବ୍ୟାଟ୍ସମ୍ୟାନଙ୍କୁ ନିଜ ଗତି ଏବଂ ଉଚ୍ଛାଳରେ ଘାଇଲା କରିଛନ୍ତି। ସେ ମାତ୍ର ୩.୮୮ ରନ୍ ବ୍ୟୟ କରି ୮ ୱିକେଟ୍ ଦଖଲ କରିଛନ୍ତି। ମ୍ୟାଟ୍ ହେନରି ଏବଂ ବୋଲ୍ଟ ତାଙ୍କୁ ଭଲ ସମର୍ଥନ ଦେଇଛନ୍ତି। ତାଙ୍କ ଭୂମିକା ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ ରହିବ। ବୋଲ୍ଟ ସବୁବେଳେ ପ୍ରଭାବୀ ପ୍ରଦର୍ଶନ କରନ୍ତି। ଧଳା ବଲ୍ରେ ତାଙ୍କ କଳା କୌଶଳ ବହୁତ ଭଲ। ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବାକୁ ସେ ସିଦ୍ଧହସ୍ତ। ସେପଟେ ଦକ୍ଷିଣ ଆଫ୍ରିକା ପାଇଁ ସୁଯୋଗ ସରିସରି ଯାଉଛି। ଏଜବାଷ୍ଟନ୍ ପିଚ୍ ଉଭୟ ବ୍ୟାଟର୍ ଏବଂ ବୋଲରଙ୍କୁ ସୁହାଇବ। ବିଶ୍ବକପ୍ରେ ଆଗକୁ ଯିବାକୁ ହେଲେ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଏଥିଲାଗି ଯଥାଶୀଘ୍ର ବାଟ ବାହାର କରିବାକୁ ପଡ଼ିବ।
ଦକ୍ଷିଣ ଆଫ୍ରିକା ପାଇଁ ସୁଯୋଗ ସରି ସରି ଯାଉଛି
Advertisment
Follow Us