ଚୀନ୍‌କୁ ୪-୧ରେ ମାତ୍‌ଦେଲା: ଭାରତର ବିଜୟ ଜାରି

Advertisment

ମହିଳା ଏସିଆ କପ୍‌ ହକି

ମହିଳା ଏସିଆ କପ୍‌ ହକି

ଚୀନ୍‌କୁ ୪-୧ରେ ମାତ୍‌ଦେଲା: ଭାରତର ବିଜୟ ଜାରି

କାକାମିଗହରା (ଜାପାନ): ଚଳିତ ମହିଳା ହକି ଏସିଆ କପ୍‌ରେ ଭାରତର ବିଜୟ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ସିଙ୍ଗାପୁରକୁ ୧୦-୦ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ସୋମବାର ଦ୍ୱିତୀୟ ମ୍ୟାଚ୍‌ରେ ଚୀନ୍‌କୁ ୪-୧ ଗୋଲ୍‌ରେ ମାତ୍‌ ଦେଇଛି। ଅପରାଜୟ ଭାରତ ୬ ପଏଣ୍ଟ୍‌ ସହ ଗ୍ରୁପ୍‌-ଏ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି।
ସୋମବାର କାକାମିଗହରା କାଓ୍ଵାସାକି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ର ପ୍ରଥମ ୧୫ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। କିନ୍ତୁ ଏହାକୁ ଗୋଲ୍‌ରେ ରୂପାନ୍ତର କରିବାରେ ଦଳ ସଫଳ ହୋଇନଥିଲା। ପ୍ରଥମ କ୍ୱାର୍ଟର୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟର୍‌ରେ ଗୁରଜିତ୍‌ କୌର (୧୯ ମିନିଟ୍‌) ଗୋଲ୍‌ ଦେଇ ଭାରତକୁ ଆଗୁଆ କରିଥିଲେ। ତୃତୀୟ କ୍ୱାର୍ଟର୍‌ର ଦ୍ୱିତୀୟ ମିନିଟ୍‌ରେ ନବଜୀତ୍‌ କୌରଙ୍କ ଗୋଲ୍‌ରେ ଭାରତ ୨-୦ରେ ଅଗ୍ରଣୀ ହୋଇଥିଲା।

କିନ୍ତୁ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ କିଛି ଭୁଲରେ ଚୀନ୍‌କୁ ୩୮ ତମ ମିନିଟ୍‌ରେ ଏକ ପେନାଲ୍ଟି ସୁଯୋଗ ମିଳିଥିଲା। କୁକ୍ସିଆ କୁଇ ଏହାକୁ ଗୋଲ୍‌ରେ ପରିଣତ କରି ତୃତୀୟ କ୍ୱାର୍ଟର୍‌ ସୁଦ୍ଧା ସ୍ଥିତି ୧-୨କୁ ଆଣିଥିଲେ। ଶେଷ କ୍ୱାର୍ଟର୍‌ରେ ଚାଇନା ମ୍ୟାଚ୍‌ ସମାନ ସ୍ତରକୁ ଆଣିବାକୁ ପ୍ରବଳ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ରକ୍ଷଣଭାଗକୁ ଭେଦ କରି ପାରିନଥିଲା। ଅନ୍ୟପଟେ ୪୯ତମ ମିନିଟ୍‌ରେ ନେହା ଗୋଏଲ୍‌ ଗୋଲ୍‌ ଦେଇ ଭାରତକୁ ୩-୧ରେ ଆଗୁଆ କରିଥିଲେ। ମ୍ୟାଚ୍‌ ଶେଷ ହେବାର ୨ ମିନିଟ୍‌ ପୂର୍ବରୁ ଅଧିନାୟିକା ରାଣୀ ରାମପାଲ୍‌ ଫିଲ୍ଡ ଗୋଲ୍‌ ଦେଇ ବିଜୟ ମୁଣ୍ଡି ମାରିଥିଲେ।
ଭାରତ ସ୍ଥାନ ପାଇଥିବା ଗ୍ରୁପ୍‌-ଏର ଅନ୍ୟ ଏକ ମ୍ୟାଚ୍‌ରେ ମାଲେସିଆ ୮-୦ରେ ସିଙ୍ଗାପୁରକୁ ହରାଇଥିଲା। ଭାରତ ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe