ଆଗୁଆ ଆରମ୍ଭ ହେଲା ମହିଳା ଫୁଟ୍‌ବଲ୍: ଆମେରିକାକୁ ସ୍ତବ୍ଧ କଲା ସ୍ବିଡେନ୍

Advertisment

ବ୍ରାଜିଲର ମାର୍ତା କଲେ କୀର୍ତ୍ତିମାନ

ବ୍ରାଜିଲର ମାର୍ତା କଲେ କୀର୍ତ୍ତିମାନ

ଆଗୁଆ ଆରମ୍ଭ ହେଲା ମହିଳା ଫୁଟ୍‌ବଲ୍: ଆମେରିକାକୁ ସ୍ତବ୍ଧ କଲା ସ୍ବିଡେନ୍

ଟୋକିଓ: କରୋନା ସଂକ୍ରମଣ ମାମଲା ହୁ ହୁ ‌ହୋଇ ବଢ଼ିବାର ବାଦ ବିବାଦ ଭିତରେ ବୁଧବାରଠାରୁ ଟୋକିଓ ଅଲିମ୍ପିକ୍ସର ବିଭିନ୍ନ ଦଳଗତ ପ୍ରତିଯୋଗିତା ଆରମ୍ଭ ହୋଇଛି। ମହିଳା ଫୁଟ୍‌ବଲ୍‌ର ପ୍ରଥମ ମୁକାବିଲାରେ ହିଁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରି ଥର ସ୍ବର୍ଣ୍ଣ ପଦକ ବିଜେତା ଆମେରିକାକୁ ପଞ୍ଚମ ମାନ୍ୟତାପ୍ରାପ୍ତ ସ୍ବିଡେନ୍ ଏକତରଫା ଭାବେ ୩-୦ରେ ହରାଇ ସମସ୍ତଙ୍କୁ ଚକିତ କରି ଦେଇଛି। ତା’ ସହ ୨୦୧୯ ମସିହାରୁ ଚାଲିଆସୁଥିବା ଆମେରିକୀୟ ମହିଳା ଦଳର ଅପରାଜେୟ ଧାରା‌ ମଧ୍ୟ ଅଟକିଯାଇଛି। ଏହି ପ୍ରତୀକ୍ଷିତ ମ୍ୟାଚ୍‌ର ପ୍ରଥମ ୮ ମିନିଟ୍ ଭିତରେ ତିନି ଥର ଆମେରିକୀୟ ଗୋଲ୍ ପୋଷ୍ଟକୁ ଆକ୍ରମଣ କରି ସ୍ବିଡେନ୍ ତା’ର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲା। ସ୍ବିଡେନ୍ ପକ୍ଷରୁ ଆଗ୍ରଭାଗ ଖେଳାଳି ଷ୍ଟିନା ବ୍ଲାକଷ୍ଟେନିଅସ୍ ଦୁଇଟି ଗୋଲ୍ ଦେଇଥିଲା ବେଳେ ମଧ୍ୟଭାଗ ଖେଳାଳି ଲିନା ହର୍ଟିଗ୍ ତୃତୀୟ ଗୋଲ୍‌ଟି ଦେଇଥିଲେ। ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସର କ୍ବାର୍ଟର ଫାଇନାଲ୍‌ରୁ ଆମେରିକାକୁ ସ୍ବିଡେନ୍ ବିଦା କରି ଦେଇଥିଲା।

ବ୍ରାଜିଲ ଓ ଚୀନ୍‌ ମଧ୍ୟରେ ଖେଳାଯାଇଥିବା ଅନ୍ୟ ଏକ ମହିଳା ଫୁଟବଲ୍ ମ୍ୟାଚ୍‌ରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା। ବ୍ରାଜିଲର ଅଭିଜ୍ଞ ତାରକା ମାର୍ତା ପ୍ରଥମ ମହିଳା ଫୁଟ୍‌ବଲର୍‌ ଭାବେ ଅଲିମ୍ପିକ୍ସରେ ଲଗାତାର ୫ଟି ଗୋଲ୍ ଦେବାର ବିରଳ କୀର୍ତ୍ତିମାନ କରିଥିଲେ। ମହିଳା ଫୁଟ୍‌ବଲର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଥିବା ମାର୍ତା ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ନିଜ ପ୍ରଥମ ଗୋଲ୍ କରିଥିଲେ। ସେ ମଧ୍ୟ ୫ଥର ଫିଫା ପକ୍ଷରୁ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ସାରିଛନ୍ତି। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବ୍ରାଜିଲ ଏହି ମ୍ୟାଚ୍‌କୁ ଏକତରଫା ଭାବେ ୫-୦ ଗୋଲ୍‌ରେ ଜିତି ନିଜ ଅଭିଯାନ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe