ମହିଳା ହକି: ସେମିରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ

କାଂସ୍ୟ ପାଇଁ ନ୍ୟୁଜିଲାଣ୍ଡ ସହ ଖେଳିବ

ମହିଳା ହକି: ସେମିରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ

Hindustan Times

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାର ଶୁକ୍ରବାର ସେମିଫାଇନାଲ୍‌ରେ ଭାରତ ହାରିଯାଇଛି। ନିର୍ଦ୍ଧାରିତ ସମୟ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିବା ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ (୩-୦)ରେ ଅଷ୍ଟ୍ରେଲିଆ ବାଜି ମାରିନେଇଥିଲା। ଏଥି ସହିତ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପହଞ୍ଚି ଯାଇଥିଲା ବେଳେ ଭାରତ ଏବେ କାଂସ୍ୟ ପଦକ ପାଇଁ ନ୍ୟୁଜିଲାଣ୍ଡ ସହ ଖେଳିବ।

ମ୍ୟାଚ୍‌ର ଦଶମ ମିନିଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ୍‌ କରିଥିଲା। ରେବେକା ଗ୍ରେଇନର ଏହି ଗୋଲ୍‌ଟି କରିଥିଲେ। ତେବେ ପ୍ରଥମ କ୍ବାର୍ଟର ସରିବାକୁ ୮ ମିନିଟ୍‌ ଥିଲା ବେଳେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ନଭ୍‌ନୀତ ଏହି ସୁଯୋଗ ଦେଇଥିଲେ। କିନ୍ତୁ ଗୁର୍‌ଜିତଙ୍କ ଡ୍ରାଗ୍‌ ଫ୍ଲିକ୍‌କୁ ବନ୍ଦନା ଗୋଲ୍‌ କରିବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ଏହାର ୪ ମିନିଟ୍‌ ପରେ ଅଷ୍ଟ୍ରେଲିଆ ଅନୁରୂପ ଭାବେ ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ମନିକା ଗୋଲ୍‌ ଲାଇନରେ ଚମତ୍କାର ଭାବେ ବଞ୍ଚାଇ ଦେଇଥିଲେ। ଏଥି ସହିତ ଅଷ୍ଟ୍ରେଲିଆ ପ୍ରଥମ କ୍ବାର୍ଟରରେ ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ବି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ କରିବାରେ ଭାରତ ବିଫଳ ହୋଇଥିଲା। ଏହି ସମୟ ମଧ୍ୟରେ ୩ଟି ପେନାଲ୍‌ଟି କର୍ଣ୍ଣରରୁ ଗୋଟିଏ ହେଲେ ଗୋଲ୍‌ କରିପାରିନଥିଲା। ତେବେ ଏହି କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ମଧ୍ୟ ଗୋଲ୍‌ କରିବାକୁ ଦେଇନଥିଲା। ଫଳରେ ଦ୍ବିତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା ଏବଂ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ବଜାୟ ରଖିଥିଲା। ଭାରତ ଲଢ଼ୁଆ ପ୍ରଦର୍ଶନ କରିବାରୁ ଦ୍ବିତୀୟ ଭଳି ତୃତୀୟ କ୍ବାର୍ଟର ମଧ୍ୟ ଗୋଲ୍‌ ଶୂନ୍ୟ ରହିଥିଲା। କିନ୍ତୁ ଚତୁର୍ଥ କ୍ବାର୍ଟରର ଚତୁର୍ଥ ମିନିଟ୍‌ରେ ସୁଶୀଳା ଚାନୁଙ୍କ ଗୋଲ୍‌ ସ୍ଥିତି ୧-୧ କରିଦେଇଥିଲା। ଏହାର ଗୋଟିଏ ମିନିଟ୍‌ ପରେ ପେନାଲ୍‌ଟି କର୍ଣ୍ଣର ପାଇଥିଲା ବେଳେ ଭାରତ ଗୋଲ୍‌ କରିପାରିନଥିଲା। ଫଳରେ ମ୍ୟାଚ୍‌ ପେନାଲ୍‌ଟି ସୁଟଆଉଟ୍‌କୁ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe