ଭୁବନେଶ୍ବର: ଟୋକିଓରେ ସେପ୍ଟେମ୍ବର ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ୧୯ (୫ ମହିଳା) ଜଣିଆ ଭାରତୀୟ ଦଳ ରବିବାର ଘୋଷିତ ହୋଇଛି। ବିଶ୍ବ ବିଜେତା ନୀରଜ ଚୋପ୍ରାଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ଓଡ଼ିଶାରୁ କେବଳ ଧାବକ ଅନିମେଷ କୁଜୁର ସ୍ଥାନ ପାଇଛନ୍ତି। ନୀରଜଙ୍କ ସହ ଜାଭଲିନ୍ରେ ୪ ଜଣ ସଚିନ ୟାଦବ, ଯଶବୀର ସିଂହ ଓ ରୋହିତ ୟାଦବ ରହିଛନ୍ତି। ନୀରଜ ଗତ ସଂସ୍କରଣ ବିଜେତା ଭାବେ ୱାଇଲ୍ଡ କାର୍ଡ ପାଇ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୩ ଭାରତୀୟ ଗୁଲବୀର ସିଂହ (୫୦୦୦ ମିଟର), ପ୍ରବୀଣ ଚିତ୍ରାଭେଲ (ଟ୍ରିପଲଜମ୍ପ) ଓ ପାରୁଲ ଚୌଧୁରୀ (୩୦୦୦ ମିଟର ଷ୍ଟିପଲ୍ଚେଜ୍) ଯୋଗ୍ୟତା ମାନଦଣ୍ଡ ପୂରଣ କରି ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟ ୧୫ ଜଣ ବିଶ୍ବ ମାନ୍ୟତା ଅନୁଯାୟୀ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ସାବ୍ଲେ ଫିଟ୍ ନଥିବାରୁ ଚୟନରୁ ଓହରି ଯାଇଥିଲା ବେଳେ ସମାନ କାରଣରୁ ନନ୍ଦିନୀ ଅଗସାରା ଓ ଆକାଶଦୀପ ସିଂହଙ୍କୁ ଦଳରେ ସ୍ଥାନ ମିଳିନି।
ଭାରତୀୟ ଦଳ: ନୀରଜ ଚୋପ୍ରା, ସଚିନ ୟାଦବ, ଯଶବୀର ସିଂହ, ରୋହିତ ୟାଦବ (ଜାଭ୍ଲିନ୍), ଗୁଲବୀର ସିଂହ (୫୦୦୦ ମିଟର), ପ୍ରବୀଣ ଚିତ୍ରାଭେଲ, ଅବଦୁଲ୍ଲା ଆବୁବାକର (ଟ୍ରିପଲ୍ଜମ୍ପ୍), ସର୍ବେଶ କୁଶାରେ (ହାଇଜମ୍ପ), ଅନିମେଷ କୁଜୁର (୨୦୦ ମିଟର), ମୁରଲୀ ଶ୍ରୀଶଙ୍କର (ଲଙ୍ଗଜମ୍ପ), ସର୍ବିନ ସେବାସ୍ତିଆନ୍ (୨୦ କିମି ରେସ୍ୱାକ୍), ସନ୍ଦୀପ, ରାମ ବାବୁ (୩୫ କିମି ରେସ୍ୱାକ୍), ଗୁଲବୀର ସିଂହ (୧୦୦୦୦ ମିଟର), ତେଜାସ ଶିର୍ସେ (୧୧୦ ମିଟର ବାଧାଦୌଡ଼)। ପାରୁଲ ଚୌଧୁରୀ, ଅଙ୍କିତା (୩୦୦୦ ମିଟର ଷ୍ଟିପଲ୍ଚେଜ୍), ଅନୁ ରାଣୀ (ଜାଭ୍ଲିନ୍), ପ୍ରିୟଙ୍କା ଗୋସ୍ବାମୀ (୩୫ କିମି ରେସ୍ୱାକ୍), ପୂଜା (୧୫୦୦, ୮୦୦ ମିଟର)।
Follow Us