ବିଶ୍ବ ଦୌଡ଼କୁଦ: ଲମ୍ବ ଡିଆଁ ଫାଇନାଲ୍‌ରେ ଶ୍ରୀଶଙ୍କର

୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ ଫାଇନାଲ୍‌ରେ ଅବିନାଶ

ବିଶ୍ବ ଦୌଡ଼କୁଦ: ଲମ୍ବ ଡିଆଁ ଫାଇନାଲ୍‌ରେ ଶ୍ରୀଶଙ୍କର

The Quint

ଓରେଗନ୍‌ (ଆମେରିକା): ଏଠାରେ ଆରମ୍ଭ ହୋଇଥିବା ବିଶ୍ବ ଦୌଡ଼କୁଦ (ଆଥ୍‌ଲେଟିକ୍ସ) ପ୍ରତିଯୋଗିତାରେ ଭାରତୀୟ ତାରକା ମୁରଲୀ ଶ୍ରୀଶଙ୍କର ପୁରୁଷ ଲମ୍ବ ଡିଆଁ ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ପ୍ରଥମ ଦିବସରେ ହିଁ ଫା‌ଇନାଲ୍‌କୁ ଯୋଗ୍ୟତା ହାସଲ କରିନେଇଥିବା ଶ୍ରୀଶଙ୍କର ଏକ୍ଷେତ୍ରରେ ପ୍ରଥମ ଭାରତୀୟ ପୁରୁଷ ହୋଇଛନ୍ତି। ଏହା ପୂର୍ବରୁ ବିଶ୍ବ ପ୍ରତିଯୋଗିତାର ଲମ୍ବ ଡିଆଁ ଫାଇନାଲ୍‌ରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିବାର ସଫଳତା ଅଞ୍ଜୁ ବବି ଜର୍ଜଙ୍କ ନାମରେ ରହିଛି। ସେ ପ୍ରଥମ ମହିଳା ଭାବେ ପ୍ୟାରିସ୍‌ରେ ଆୟୋଜିତ ୨୦୦୩ ସଂସ୍କରଣରେ ଫାଇନାଲ୍‌ ପ୍ରବେଶ କରିଥିଲେ ଏବଂ ଶେଷ‌ରେ କାଂସ୍ୟ ପଦକ ଜିତିଥିଲେ। ବିଶ୍ବ ପ୍ରତିଯୋଗିତାର ଲମ୍ବ ଡିଆଁରେ ପଦକ ଅମଳ କରିବାରେ ଅଞ୍ଜୁ ମଧ୍ୟ ପ୍ରଥମ ଭାରତୀୟ ହୋଇ ରହିଯାଇଛନ୍ତି।

ଋତୁର ଶୀର୍ଷ ତାଲିକାରେ ଦ୍ବିତୀୟ ସ୍ଥାନ ସହ ଶ୍ରୀଶଙ୍କର ପଦକ ଦାବିଦାର ଭାବେ ବିଶ୍ବ ପ୍ରତିଯୋଗିତାକୁ ଓହ୍ଲାଇଥିଲେ। ଗତ ଏପ୍ରିଲରେ ଫେଡେରେସନ୍‌ କପ୍‌ରେ ୮.୩୬ ମିଟର ଏବଂ ଗ୍ରିସ୍‌ ଓ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ଯଥାକ୍ରମେ ୮.୩୧ ଓ ୮.୨୩ ମିଟର ଲମ୍ଫ ମାରିଥିବା ଶ୍ରୀଶଙ୍କର ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଏଠାରେ ସେ ନିଜର ଦ୍ବିତୀୟ ପ୍ରୟାସରେ ଠିକ୍‌ ୮ ମିଟର ଲମ୍ଫ ମାରି ଗ୍ରୁପ୍‌-ବି ଯୋଗ୍ୟତାପର୍ଯ୍ୟାୟରେ ଦ୍ବିତୀୟ ଏବଂ ମୋଟ ଉପରେ ସପ୍ତମ ସ୍ଥାନ ପାଇ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦୁଇ ଭାରତୀୟ ଜସ୍ବିନ୍‌ ଆଲ୍‌ଡ୍ରିନ୍‌ ଏବଂ ମହମ୍ମଦ ଆନେସ୍‌ ଫାଇନାଲ୍‌କୁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ। ଉଭ‌ୟେ ଯଥାକ୍ରମେ ୭.୭୯ ଏବଂ ୭.୭୩ ମିଟର ଲମ୍ଫ ମାରି ଯଥାକ୍ରମେ ନବମ ଓ ଏକାଦଶ ସ୍ଥାନ ପାଇଥିଲେ। ଫାଇନାଲ୍‌ ପ୍ରବେଶ ପାଇଁ ୮.୧୫ ମିଟର କିମ୍ବା ଉଭୟ ଗ୍ରୁପ୍‌ରୁ ଶ୍ରେଷ୍ଠ ୧୨ ପ୍ରଦର୍ଶନକାରୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲା। ସେହି ଦୃଷ୍ଟିରୁ ଶ୍ରୀଶଙ୍କର ଏକମାତ୍ର ଭାରତୀୟ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲେ।

ଅନ୍ୟପକ୍ଷରେ ୩୦୦୦ ମିଟର ଷ୍ଟିପଲଚେଜ୍‌ ଫାଇନାଲ୍‌ରେ ଭାରତୀୟ ତାରକା ଅବିନାଶ ସାବ୍‌ଲେ ମଧ୍ୟ ପହଞ୍ଚି ଯାଇଛନ୍ତି। ୨୦୧୯ ଦୋହା ସଂସ୍କରଣରେ ଫାଇନାଲ୍‌ ଯୋଗ୍ୟତା ହାସଲ କରିଥିବା ଅବିନାଶ ୮:୧୮.୭୫ ସେକେଣ୍ଡ ସମୟ ସହ ଏଠାରେ ହିଟ୍‌-୩ରେ ତୃତୀୟ ସ୍ଥାନ ପାଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର ଏହି ଫାଇନାଲ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe